ବରୀରୁ କିଏ ପାଇବେ ବିଜେଡ଼ି ଟିକେଟ ?

ବରୀ ହେଉଛି ବିଜୁ ଜନତା ଦଳର ଗଡ଼ । ଏକଦା ସେଠାରେ ବିଜେଡ଼ି ଟିକେଟକୁ ନେଇ ଛକାପଞ୍ଝା ଦେଖିବାକୁ ମିଳୁନଥିଲା । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଦେବାଶିଷ ନାୟକଙ୍କୁ ସବୁବେଳେ ଟିକେଟ ମିଳି ଆସୁଥିଲା । କିନ୍ତୁ ୨୦୧୯ ପରେ ବରୀ ରାଜନୀତିରେ ହଟଚମଟ ସୃଷ୍ଟିହୋଇଛି । ଗତ ନିର୍ବାଚନବେଳେ ବବି ଦାସଙ୍କ ଅନୁଗତ ସୁନନ୍ଦାଙ୍କୁ ବିଜେଡ଼ି ଟିକେଟ ମିଳିଥିଲା । ଏବେ ବରୀ ବିଜେଡ଼ିରେ ବିଚିତ୍ର ସ୍ଥିତି ସୃଷ୍ଟିହୋଇଛି । ଟିକେଟ ଦୌଡ଼ରେ ପ୍ରାୟ ଅଧ ଡଜନ ନେତା ସାମିଲ ହୋଇଥିବାବେଳେ ଦଳ କାହାକୁ ଟିକେଟ ଦେବ ସେନେଇ ଅକଳରେ ପଡ଼ିଯାଇଛି ।
ନବୀନ ଓଡ଼ିଶା ରାଜନୀତିରେ ପାଦ ଥାପିବା ବେଳେ ତାଙ୍କର ଘନିଷ୍ଠ ସହଯୋଗୀ ଥିଲେ ଦେବାଶିଷ ନାୟକ । ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ନବୀନ ତାଙ୍କୁ ୪ ଥର ଟିକେଟ ଦେବା ସହ ଅନେକ ବାର ମନ୍ତ୍ରୀ ମଧ୍ୟ କରିଥିଲେ । କିନ୍ତୁ ବାଚସ୍ପତି-ମାର୍ଶାଲ ବିବାଦ ଘଟଣାରେ ଦେବାଶିଷ ନବୀନଙ୍କ ଆସ୍ଥା ହରାଇଥିଲେ । ଧିରେଧିରେ ତାଙ୍କର ପତିଆରା କମି କମି ଚାଲିବା ସହ ୨୦୧୯ରେ ଆଉ ପ୍ରାର୍ଥୀ ହୋଇନଥିଲେ । ବରୀ ରାଜନୀତିରେ ଦେବାଶିଷଙ୍କ ଯବନିକା ପଡ଼ିବା ପରେ ବିଜେଡ଼ିରେ ଅନେକ ଆଶାୟୀ ମୁଣ୍ଡ ଟେକିଥିଲେ । ତେବେ ଗତ ନିର୍ବାଚନବେଳକୁ ବରୀରେ ବିଜେପିର ପ୍ରଭାବ ବଢ଼ିବାରୁ ବବି ଦାସ ଗୋଟି ଚାଳନା କରି ବିଜେପି ନେତ୍ରୀ ସୁନନ୍ଦାଙ୍କୁ ବିଜେଡ଼ିକୁ ଆଣିଥିଲେ । ଗତ ନିର୍ବାଚନରେ ସୁନନ୍ଦା ବାଜିମାତ କରିବା ସହ ଚବିଶରେ ଟିକେଟ ପାଇବାକୁ ଆଶା ରଖିଥିଲେ । କିନ୍ତୁ ବିଜେପିର ଟାଣୁଆ ନେତା ବିଶ୍ୱରଞ୍ଜନ ମଲ୍ଲିକ ଶଙ୍ଖ ଫୁଙ୍କିବା ପରେ ସୁନନ୍ଦାଙ୍କ ଟିକେଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଯେଉଁଥିପାଇଁ ଏବେ ବିଶ୍ୱ ଓ ସୁନନ୍ଦା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ଏବେ ଯାଜପୁରର ସାଂସଦ ଅଛନ୍ତି ଶର୍ମିଷ୍ଠା ସେଠୀ । ତାଙ୍କ ଶାଶୁଘର ବରୀରେ ହୋଇଥିବାରୁ ସେ ବି ଟିକେଟ ପାଇଁ ଆଶାୟୀ ଅଛନ୍ତି ।
ବରୀର ଆଉ ଜଣେ ଟାଣୁଆ ନେତ୍ରୀ ହେଉଛନ୍ତି ସୁଲତା ଦେଓ । ସରଂପଚରୁ ସେ ଏବେ ରାଜ୍ୟସଭା ସାଂସଦ ହୋଇଛନ୍ତି । ପ୍ରତି ନିର୍ବାଚନ ବେଳେ ବିଜେଡ଼ିର ରାଜ୍ୟସଭା ସାଂସଦମାନଙ୍କୁ ବିଧାୟକ ଟିକେଟ ଦେବାର ନଜିର ରହିଛି । ଯାହାଫଳରେ ଖାଲି ପଡ଼ିଥିବା ରାଜ୍ୟସଭା ଆସନକୁ ଦଳ ଥୋପ ଭାବେ ବ୍ୟବହାର କରିପାରିବ । ଭୁବନେଶ୍ୱର ମେୟର ଥିବା ସୁଲୋଚନା ଦାସ ମଧ୍ୟ ପୂର୍ବରୁ ବରୀ ପାଇଁ ଗୋଟିଚାଳନା କରୁଥିଲେ । ଏବେବି ସେ ବରୀ ପାଇଁ ଆଶାୟୀ ଥିବା କୁହାଯାଉଛି । ସେହିପରି ଦେବାଶିଷ ନାୟକଙ୍କ ମଧ୍ୟ ଏଥର ଲଢ଼ିବେ ବୋଲି ଖୋଲାଖୋଲି କହି ବୁଲୁଛନ୍ତି । ବିଜେଡ଼ି ନେତା ବିଜୟ ନାୟକ ମଧ୍ୟ ବହୁଦିନ ଧରି ବରି ପାଇଁ ଗୋଟି ଚଳାଇ ଆସୁଛନ୍ତି । ଦେବାଶିଷ ନାୟକଙ୍କ ପୂର୍ବତନ ସହଯୋଗୀ ସେକ ସଫିକ ଉଦ୍ଦିନ ମଧ୍ୟ ବରି ଟିକେଟ ପାଇଁ ଆଶା ବାନ୍ଧିଛନ୍ତି । ଯୁବନେତା ଅଶୋକ କୁମାର ବେହେରା ଓ ସଂଜୀବ ଜେନା ମଧ୍ୟ ଟିକେଟ ରେସରେ ରହିଛନ୍ତି । ଗଦାଗଦା ଟାଣୁଆ ନେତା ଆଶାୟୀ ଥିବାରୁ ବିଜେଡ଼ି କାହାକୁ ବରି ଟିକେଟ ଦେବ ତାହା ଉପରେ ନଜର ରହିଛି ।