ସରକାରୀ ବସ୍ ଉପରକୁ ଗୁଳିମାଡ଼

ସରକାରୀ ବସ୍ ଉପରକୁ ଗୁଳିମାଡ଼

ବୈପାରୀଗୁଡ଼ା: ବୈପାରୀଗୁଡ଼ା ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ କାଲିମେଳାଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଓଏସ୍ଆର୍ଟିସି ବସ୍ ଉପରକୁ ଗୁଳିମାଡ ହୋଇଛି। ଏଥିରେ ଜଣେ ଆହତ ହୋଇଛନ୍ତି । ବସରେ ୧୦ ଜଣ ଯାତ୍ରୀ ଥିଲେ । ସମସ୍ତଙ୍କୁ ବୈପାରୀଗୁଡା ପୁଲିସ ଥାନାରେ ଅଟକ ରଖି ବ୍ୟାଗ ସବୁ ଯାଞ୍ଚ କରୁଛି । ବ୍ରହ୍ମପୁର-କାଲିମେଳା ସରକାରୀ ବସ୍ ନମ୍ବର ଓଡି ୦୭ ଏ କେ ୪୨୫୫ କାଲିମେଳାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ଗୁଳି ଫୁଟିବା ଶବ୍ଦ ଶୁଣି ଡ୍ରାଇଭର ଗାଡ଼ିକୁ ଅଟକାଇଥିଲେ । ବସ୍ କଣ୍ଡକ୍ଟର ବସର ସମ୍ମୁଖରେ ଥିବା ଏକ ଝରକାରେ ଗୁଳି ବାଜିବା ଚି଼ହ୍ନ ରହିଥିବା ଦେଖିବାକୁ ପାଇଥିଲେ। ତେବେ କିଏ, କାହିଁକି ବସକୁ ଗୁଳି କଲା ତାହା ଅସ୍ପଷ୍ଟ ରହିଛି। ଚାଳକ ବୈପାରୀଗୁଡା ଥାନାରେ ବସ୍ ଆଣି ରଖିଥିଲେ। କଣ୍ଡକ୍ଟର ଜଣଙ୍କ ଏ ନେଇ ଥାନାରେ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟାରେ ବୈପାରିଗୁଡ଼ା ଠାରୁ ଅଳ୍ପ ଦୂରରେ ରହିଥିବା ବିଏସଏଫ୍ କ୍ୟାମ୍ପ ନିକଟରେ ହଠାତ୍ ଗୁଳି ଫୁଟିବା ଶବ୍ଦ କଣ୍ଡକ୍ଟର ଶୁଣିଥିଲେ । ଏ ନେଇ ଡ୍ରାଇଭରଙ୍କୁ ପଚାରିବାରୁ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ । ଗୋଟିଏ ଝରକା କାଚରେ ଗୁଳିବାଜି ଚାଲି ଯାଇଥିବା ଦେଖି ତୁରନ୍ତ ସେଠାରୁ ବୈପାରିଗୁଡ଼ା ଅଭିମୁଖେ ବସକୁ ନେଇ ଆସିଥିଲେ । ବୈପାରିଗୁଡ଼ା ଥାନାରେ ପହଁଚି ଜଣାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।