ମହାନଦୀ ଜଳ ବିବାଦ: କ୍ଷେତ୍ର ପରିଦର୍ଶନ କରିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍‌

ମହାନଦୀ ଜଳ ବିବାଦ: କ୍ଷେତ୍ର ପରିଦର୍ଶନ କରିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍‌

ସମ୍ବଲପୁର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଟିମ୍‌ ତାର ତୃତୀୟ ପର୍ୟ୍ୟାୟ କ୍ଷେତ୍ର ପରିଦର୍ଶନରେ ଶୁକ୍ରବାର ଆସୁଛନ୍ତି । ଏହି ଟିମ୍‌ ହୀରାକୁଦ ବନ୍ଧର ଅଶୋକ ନିବାସରେ ଆସି ପହଞ୍ଚିବା ପରେ ଶନିବାରରୁ ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିବେ । ଆସନ୍ତା ୨୪ ତାରିଖ ପର୍ୟ୍ୟନ୍ତ ଏହି ଟିମ୍‌ ହୀରାକୁଦ ବନ୍ଧ ସମେତ ଏହାର ଉଭୟ ତଳ ଏବଂ ଉପରମୁଣ୍ଡର ସଂଲଗ୍ନ ଅଞ୍ଚଳ ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି ।

ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଏଏମ୍‌ ଖାନୱିଲ୍‌କରଙ୍କ ନେତୃତ୍ୱରେ ଆସୁଥିବା ୩ ଜଣିଆ ବିଚାରପତି, ଆସେସର୍‌, ଉଭୟ ରାଜ୍ୟର ଜଳସଂପଦ ବିଭାଗ ଅଧିକାରୀ, ବୈଷୟିକ ଟିମ୍‌ ଏବଂ ଆଇନଜୀବୀ ମିଶି ପ୍ରାୟ ୫୦ ଜଣିଆ ଟିମ୍‌ ୨ଟି ପର୍ୟ୍ୟାୟରେ ଛତିଶଗଡ଼ରେ କ୍ଷେତ୍ର ପରିଦର୍ଶନ କରି ସାରିଛନ୍ତି । ଆଉ ତୃତୀୟ ପର୍ୟ୍ୟାୟ କ୍ଷେତ୍ର ପରିଦର୍ଶନ ଓଡ଼ିଶାରେ ହେବାକୁ ଯାଉଛି । ଏଥିପାଇଁ ଶୁକ୍ରବାର ଏହି ଟ୍ରିବ୍ୟୁନାଲ ସଦସ୍ୟ, ଆସେସର୍‌ ଏବଂ ବୈଷୟିକ ଟିମ୍‌ ବିମାନ ଯୋଗେ ଆସି ଝାରସୁଗୁଡାରେ ଅବତରଣ କରି ବୁର୍ଲା ଅଶୋକ ନିବାସରେ ପହଞ୍ଚିବେ । ସନ୍ଧ୍ୟା ସୁଦ୍ଧା ଛତିଶଗଡର ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ଅନ୍ୟ ଅଧିକାରୀ ଏବଂ ସେଠାକାର ବୈଷୟିକ ଦଳ ଓ ଆଇନଜୀବୀ ମଧ୍ୟ ବୁର୍ଲାରେ ପହଞ୍ଚିବାର କାର୍ୟ୍ୟକ୍ରମ ରହିଛି । ଆଉ ଏଠାରେ ପୁରା ଟିମ୍‌ ଏକାଠି ହେବା ପରେ ୨୪ ତାରିଖ ଯାଏ ହେବାକୁ ଥିବା କ୍ଷେତ୍ର ପରିଦର୍ଶନ ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।