ଏଣିକି ଟ୍ରେନ ଭିତରକୁ କିନ୍ନର ମନା
ଏଣିକି ଟ୍ରେନ ଭିତରକୁ କିନ୍ନର ମନା
admin
Jun 26, 2019 - 04:58
Updated: Jun 26, 2019 - 04:58
ଭୁବନେଶ୍ୱର : ଏଣିକି ଷ୍ଟେସନ ହେଉ କିମ୍ବା ଟ୍ରେନ । କିନ୍ନରମାନେ ପ୍ରବେଶ କରିବେ ନାହିଁ । ଯାତ୍ରୀ ହିସାବରେ ସେମାନେ ଯାଇପାରିବେ କିନ୍ତୁ ଭିକ୍ଷାବୃତ୍ତି କରିପାରିବେ ନାହିଁ । ଆଜି ରେଲୱେ କର୍ତ୍ତୃପକ୍ଷ, ଆରପିଏଫ ଓ ରେଳବାଇ ପୁଲିସ ଏକ ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଥିପାଇଁ କିନ୍ନରମାନଙ୍କ ସହିତ ପ୍ରଥମେ ଆଲୋଚନା କରାଯିବ, ସେମାନେ ରହୁଥିବା ସ୍ଥାନକୁ ଯାଇ ପୁଲିସ ସେମାନଙ୍କୁ ବୁଝାଇବ । ଯଦି ସେମାନେ ଏହାକୁ ନ ମାନି ଷ୍ଟେସନ ଓ ଟ୍ରେନ ଭିତରେ ଭିକ୍ଷାବୃତ୍ତି କରନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଷ୍ଟେସନ ଓ ଟ୍ରେନ ଭିତରେ ଯାତ୍ରୀଙ୍କ ସୁରକ୍ଷା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । କେମିତି ଯାତ୍ରୀମାନେ ସୁରକ୍ଷିତ ଭାବେ ଯାତ୍ରା କରିପାରିବେ । ବିଶେଷ କରି ମହିଳା ଓ ଶିଶୁ ଯାତ୍ରୀମାନଙ୍କ ସୁରକ୍ଷାକୁ କିଭଳି ପ୍ରାଧାନ୍ୟ ଦିଆଯାଇପାରିବ ତା ଉପରେ ସବିଶେଷ ଆଲୋଚନା ହୋଇଥିଲା । କିଭଳି ନିଶାଦିଆ ଲୁଟେରାଙ୍କ ଠାରୁ ଆରମ୍ଭ କରି ଲୁଟେରାମାନଙ୍କ ହାବୁଡ଼ରେ ଯାତ୍ରୀମାନେ ନ ପଡ଼ିବେ ସେ ନେଇ ପୁଲିସ ଯତ୍ନବାନ ହେବ । ଏଥିପାଇଁ ଜିଆରପି ଓ ରେଲୱେ ପୁଲିସ ମଧ୍ୟରେ ଏକ ହ୍ୱାଟସ ଆପ ଗ୍ରୁପ ଗଠନ କରାଯିବ । ଏହି ଗ୍ରୁପ ମାଧ୍ୟମରେ ପେଶାଦାର ରେଳବାଇ ଅପରାଧୀମାନଙ୍କ ଫଟୋ ସେୟାର କରାଯିବ । ସେହିପରି ଗ୍ରୁପ ମାଧ୍ୟମରେ ତଥ୍ୟର ମଧ୍ୟ ଆଦାନ ପ୍ରଦାନ କରାଯିବ । ଟ୍ରେନରେ ନିଶା, ମାରଣାସ୍ତ୍ର ଚାଲାଣ ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ଆଲୋଚନା ହୋଇଥିଲା । ସେହିପରି ଜିଆରପି କର୍ମଚାରୀମାନଙ୍କୁ ମଧ୍ୟ ବୋମା ନିଷ୍କ୍ରିୟ କରାଯିବା ନେଇ ତାଲିମ ପ୍ରଦାନ କରାଯିବ । ସମସ୍ତ ଷ୍ଟେସନରେ ବ୍ୟାଗେଜ ସ୍କାନର କରାଯିବା ସହିତ ସିସି କ୍ୟାମେରା କରାଯିବାକୁ କୁହାଯାଇଛି । ଆଗକୁ ରଥଯାତ୍ରା ଆସୁଥିବାରୁ ପୁରୀକୁ ଯିବା ଆସିବା କରିବାକୁ ଥିବା ଟ୍ରେନରେ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ବୈଠକ ସ୍ଥିର ହୋଇଥିଲା ।
ବୈଠକରେ ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା, ରେଳବାଇ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଏଡିଜି ଗୁଇନ୍ଦା ଆରକେ ଶର୍ମାଙ୍କ ସମେତ ଆରପିଏଫ ଓ ଜିଆରପିର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ ।