ଆଧାର ଲିଙ୍କ୍ ନ ହେଲେ ଏପ୍ରିଲରୁ ଭତ୍ତା ବନ୍ଦ

ଆଧାର ଲିଙ୍କ୍ ନ ହେଲେ ଏପ୍ରିଲରୁ ଭତ୍ତା ବନ୍ଦ

ଆଧାର ଲିଙ୍କ୍ ନ ହେଲେ ଏପ୍ରିଲରୁ ଭତ୍ତା ବନ୍ଦ
ଭୁବନେଶ୍ୱର - ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ଆଧାର ଲିଙ୍କ୍ ବାଧ୍ୟତାମୂଳକ । ସରକାର ଏଥି ପାଇଁ ପୂର୍ବରୁ ଜିଲ୍ଲାପାଳମାନଙ୍କୁ ଅବଗତ କରାଇଥିଲେ । କିନ୍ତୁ ଆଧାର ଲିଙ୍କ୍ ଶତ ପ୍ରତିଶତ ହୋଇ ନ ଥିବାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଉଦବେଗ ପ୍ରକାଶ କରିଛି । ବିଭାଗୀୟ ସଚିବ ଭାସ୍କରଜ୍ୟୋତି ଶର୍ମା ବୁଧବାର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ତାଗିଦ୍ କରିଛନ୍ତି । ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ନ କଲେ ଏପ୍ରିଲରୁ ଭତ୍ତା ମିଳିବ ନାହିଁ ବୋଲି ଜଣାଇ ଦେଇଛନ୍ତି । ସଚିବ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ୍ ଯୋଜନାର ହିତାଧିକାରୀମାନଙ୍କୁ ଆଧାର୍ ଲିଙ୍କ୍ ୨୦୧୯ ଅକ୍ଟୋବର ସୁଦ୍ଧା ଶେଷ କରିବା ପାଇଁ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପୂର୍ବରୁ କୁହାଯାଇଥିଲା । ଏବେ ସୁଦ୍ଧା ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ୯୧ ପ୍ରତିଶତ ଓ ମଧୁବାବୁ ପେନସନ ଯୋଜନାରେ ୭୩% ହିତାଧିକାରୀଙ୍କ ଆଧାର ଲିଙ୍କ୍ ହୋଇଛି । ଉଭୟ ଯୋଜନାରେ ଏହା ଶତ ପ୍ରତିଶତ ହେବାର ଆବଶ୍ୟକତା ରହିଛି । ଏ ଦିଗରେ ଜିଲ୍ଲାପାଳମାନେ ତତ୍ପରତା ପ୍ରକାଶ କରିବା ଉଚିତ । ଆସନ୍ତା ୧୫ତାରିଖରେ ମାସିକ ଭତ୍ତା ନେବାକୁ ଆସୁଥିବା ହିତାଧିକାରୀଙ୍କୁ ସେମାନଙ୍କର ଆଧାର ଲିଙ୍କ୍ ଦସ୍ତାବିଜ୍ ନକଲ ସାଙ୍ଗରେ ଆଣିବାକୁ କୁହାଯିବ । ଯଦି ସେମାନେ ନ ଆଣନ୍ତି, ତାଙ୍କୁ ଫେବ୍ରୁଆରି ୧୫ ତାରିଖରେ ଆଉ ଗୋଟିଏ ସୁଯୋଗ ଦିଆଯିବ । ସେହିପରି ଯେଉଁ ହିତାଧିକାରୀମାନଙ୍କ ଆଧାର କାର୍ଡ ନ ଥିବ ସେମାନଙ୍କୁ ଜାନୁଆରି ୧୫ରେ ନିକଟସ୍ଥ ବ୍ଲକ୍ କାର୍ଯ୍ୟାଳୟ ନିଆଯାଇ ସେଠାରେ ତାଙ୍କର ଆଧାର କାର୍ଡ ପ୍ରସ୍ତୁତ କରିବା ପାଇଁ ପ୍ରଶାସନ ପଦକ୍ଷେପ ନେବ । ଜାନୁଆରି ୩୧ ତାରିଖ ସୁଦ୍ଧା ସମ୍ପୃକ୍ତ ହିତାଧିକାରୀଙ୍କୁ ଆଧାର କାର୍ଡ ଯୋଗାଇବାର ବନେ୍ଦାବସ୍ତ କରାଯିବ । ମାର୍ଚ୍ଚ ୧୫ ତାରିଖ ଭିତରେ ଆଧାର ଲିଙ୍କ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଯଦି କୌଣସି ହିତାଧିକାରୀଙ୍କ ଆଧାର ଲିଙ୍କ୍ ବିଫଳ ହୁଏ, ତେବେ ଏପ୍ରିଲ୍ ମାସରୁ ଭତ୍ତା ବନ୍ଦ କରିଦିଆଯିବ ବୋଲି ଶ୍ରୀ ଶର୍ମା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନ୍ସନ୍ ଯୋଜନାରେ ଏବେ ରାଜ୍ୟର ପ୍ରାୟ ୪୮ଲକ୍ଷ ହିତାଧିକାରୀ ଅଛନ୍ତି ।