ହୋମ୍‌ୱାର୍କ କରି ନଥିବାରୁ ଛାତ୍ରଙ୍କୁ ବାଡ଼େଇ ମାରିଲେ ଶିକ୍ଷକ

ହୋମ୍‌ୱାର୍କ କରି ନଥିବାରୁ ଛାତ୍ରଙ୍କୁ ବାଡ଼େଇ ମାରିଲେ ଶିକ୍ଷକ

ହୋମ୍‌ୱାର୍କ କରି ନଥିବାରୁ ଛାତ୍ରଙ୍କୁ ବାଡ଼େଇ ମାରିଲେ ଶିକ୍ଷକ
ଚୁରୁ : ରାଜସ୍ଥାନର ଚୁରୁ ଜିଲ୍ଲା ସଲସର ଗ୍ରାମରେ ଘଟିଯାଇଛି ବଡ଼ ଅଘଟଣ। ଘରୋଇ ସ୍କୁଲରେ ପଢ଼ୁଥିବା ଜଣେ ୧୩ ବର୍ଷୀୟ ଛାତ୍ରଙ୍କୁ ଜଣେ ଶିକ୍ଷକ ଅତି ନିର୍ଦ୍ଦୟ ଭାବେ ବାଡେ଼ଇ ବାଡେ଼ଇ ମାରି ଦେଇଛନ୍ତି । ମାଡ଼ ଯୋଗୁଁ ଛାତ୍ର ଜଣଙ୍କ ତଳେ ପଡ଼ି ଯାଇ ବେହୋସ ହୋଇଯାଇଥିଲେ । ସଙ୍ଗେସଙ୍ଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ମୃତ ଘୋଷଣା କରିଥିଲେ । ବୁଧବାର ଘଟିଛି ଏହି ଅଘଟଣ। ମୃତ ଛାତ୍ରଙ୍କ ନାମ ଗଣେଶ ଶର୍ମା ଏବଂ ଅଭିଯୁକ୍ତ ଶିକ୍ଷକଙ୍କ ନାମ ମନୋଜ କୁମାର । ଅଭିଯୁକ୍ତ ଶିକ୍ଷକ ଗିରଫ ହୋଇଛନ୍ତି ଏବଂ ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି । ଗଣେଶ ଶର୍ମା ସପ୍ତମ ଶ୍ରେଣୀରେ ପଢ଼ୁଥିଲେ । ସେ ହୋମୱାର୍କ ଶେଷ କରିନଥିବାରୁ ତାଙ୍କୁ ଶିକ୍ଷକ ମନୋଜ କୁମାର ଅତି ନିର୍ମମ ଭାବେ ପ୍ରହାର କରିଥିବା ସଂକ୍ରାନ୍ତ ସମସ୍ତ ପ୍ରମାଣ ମିଳିଛି ଏବଂ ଶିକ୍ଷକ ଜଣଙ୍କ ମଧ୍ୟ ଏହା ସ୍ୱୀକାର କରିଛନ୍ତି । ତେବେ ଗତ ୧୫ ଦିନ ହେଲା ମନୋଜ କୁମାର ବିନା କାରଣରେ ଗଣେଶ ଶର୍ମାଙ୍କୁ ମାଡ଼ ମାରୁଥିଲେ ବୋଲି ସେ ତାଙ୍କ ଘରେ ଅଭିଯୋଗ କରିଥିଲେ । ମାଡ଼ ଖାଇ ଚେତା ବୁଡ଼ିବାପରେ ଶିକ୍ଷକ ଜଣଙ୍କ ଗଣେଶଙ୍କ ବାପାଙ୍କୁ ଫୋନ କରିଥିଲେ । ଗଣେଶଙ୍କ ବାପା ଅତ୍ୟନ୍ତ ବ୍ୟସ୍ତ ହୋଇ ଶିକ୍ଷକଙ୍କୁ ପଚାରିଥିଲେ ଯେ, ବାଡେ଼ଇ ବାଡେ଼ଇ ସେ ତାଙ୍କ ପୁଅକୁ ମାରି ଦେଇଛନ୍ତି କି । ତେବେ ଶିକ୍ଷକ କହିଥିଲେ, ତାଙ୍କ ପୁଅ ମରିନି । ମରିବାର ନାଟକ କରୁଛି । ଓମପ୍ରକାଶ ତୁରନ୍ତ ହସ୍ପିଟାଲରେ ପହଞ୍ଚିବାପରେ ନିଜ ପୁଅର ମୃତୁ୍ୟ ହୋଇଥିବା ଜାଣିଲେ । ଗତକାଲି ଏହି ଘଟଣା ଘଟିବା ସମୟରେ ସ୍କୁଲରେ ଉପସ୍ଥିତ ଥିବା ଛାତ୍ରମାନେ ମଧ୍ୟ ଏ ବାବଦରେ ସେମାନଙ୍କ ବୟାନ ରଖିଛନ୍ତି । ଶିକ୍ଷକଙ୍କ ମାଡ଼ରେ ହିଁ ଗଣେଶ ଶର୍ମାର ମୃତୁ୍ୟ ହୋଇଛି ବୋଲି ସେମାନେ କହିଛନ୍ତି ।