କଟକ ଆଇପିଏଲ୍‌ ଦଳ ପାଇଁ ଜିନ୍ଦଲର ଆଗ୍ରହ

କଟକ ଆଇପିଏଲ୍‌ ଦଳ ପାଇଁ ଜିନ୍ଦଲର ଆଗ୍ରହ

କଟକ ଆଇପିଏଲ୍‌ ଦଳ ପାଇଁ ଜିନ୍ଦଲର ଆଗ୍ରହ

କଟକ : ଆଇପିଏଲରେ କଟକ ତାଲିକାରେ ସ୍ଥାନ ପାଇବା ଆଶା ଦେଖାଦେଇଛି। କଟକ ପାଇଁ ଆଗ୍ରହ ଦେଖାଇଛନ୍ତି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର ଅଧ୍ୟକ୍ଷ ନବୀନ ଜିନ୍ଦଲ। ଯଦିଓ ଏନେଇ ବିସିସିଆଇ, ଓସିଏ କିମ୍ବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ, ତଥାପି ଜାତୀୟ ଗଣମାଧ୍ୟମ ତଥ୍ୟ ଅନୁଯାୟୀ ବିସିସିଆଇ ପକ୍ଷରୁ ଡକାଯାଇଥିବା ନୂଆ ସହର ଟେଣ୍ଡରରେ ନବୀନ ଜିନ୍ଦଲ କଟକ ସହର ପାଇଁ ବିଡ୍ ପେପର କିଣିଛନ୍ତି। ଆସନ୍ତା ୨୫ ତାରିଖରେ ଦୁବାଇରେ ହେବାକୁ ଥିବା ବୈଠକରେ ବିଡ ଦାଖଲ ହେବା ପରେ ଦୁଇଟି ନୂଆ ଦଳ ବିଷୟରେ ଘୋଷଣା କରାଯିବ । ତେଣୁ କଟକର ଭାଗ୍ୟ ଫିଟିବ କି ନାହିଁ ତାହା ଆସନ୍ତା ସୋମବାର ପରେ ସ୍ପଷ୍ଟ ହେବ । ଆସନ୍ତା ଆଇପିଏଲ ସଂସ୍କରଣଠୁ ଦଳ ସଂଖ୍ୟା ୮ରୁ ୧୦କୁ ବୃଦ୍ଧି ପାଇବ । ଏଥିପାଇଁ ଦୁଇଟି ନୂଆ ଦଳ ପାଇଁ ଗୌହାଟୀ, ରାଞ୍ଚି, କଟକ, ଅହମ୍ମଦାବାଦ, ଲକ୍ଷ୍ନୌ ଓ ଧର୍ମଶାଳାକୁ ନୂଆ ସହର ଭାବେ ବିଡ ଆହ୍ୱାନ କରାଯାଇଥିଲା । ନୂଆ ଦଳ ପାଇଁ ବିଡର ମୂଳ ଦର ୨ହଜାର କୋଟି ଟଙ୍କା ରଖାଯାଇଥିଲା । ତେବେ ଯେଉଁ ସଂସ୍ଥା ବିଡ୍ ଦାଖଲ କରିବେ ସେମାନଙ୍କ ବାର୍ଷିକ ହାରାହାରି ଟର୍ଣ୍ଣଓଭର ୩ହଜାର କୋଟି ଥିବା ଆବଶ୍ୟକ । ଏଥିସହ ବିଡ ଦାଖଲକାରୀଙ୍କ ବ୍ୟକ୍ତିଗତ ସମ୍ପତ୍ତି ଅନ୍ୟୁନ ୨୫୦୦ କୋଟି ଟଙ୍କା ହୋଇଥିବା ବାଧ୍ୟତାମୂଳକ ରହିଥିଲା । ତେବେ ବାର୍ଷିକ ଟର୍ଣ୍ଣଓଭର ଧାରା କ୍ଷେତ୍ରରେ କେତେକ ଆଗ୍ରହୀ ବିଡର ଆପତ୍ତି ଉଠାଇଥିଲେ । ମାନଦଣ୍ଡ ପୂରଣ କରିବା ପାଇଁ ଟର୍ଣ୍ଣଓଭର ମୂଲ୍ୟକୁ ହ୍ରାସ କରିବାକୁ ଅନୁରୋଧ ଆସିଥିଲା । ଯେଉଁଥିପାଇଁ ବିସିସିଆଇ ଏହାର ଟେଣ୍ଡର ସର୍ତ୍ତରେ କିଛିଟା ପରିବର୍ତ୍ତନ କରିଥିଲା । ଏହାଫଳରେ ନବୀନ ଜିନ୍ଦଲଙ୍କ ସହ ଅନ୍ୟାନ୍ୟ ବିଡରମାନେ ଆଇପିଏଲ ଦଳ ପାଇଁ ଆକୃଷ୍ଟ ହୋଇଥିବା କୁହାଯାଉଛି । ନବୀନ ଜିନ୍ଦଲଙ୍କ ବ୍ୟତୀତ କୋଟାକ ଗ୍ରୁପ, ଟୋରେଣ୍ଟ, ଆଦାନି ଗ୍ରୁପ ଭଳି ବଡ଼ ବଡ଼ କମ୍ପାନିମାନେ ଆଇପିଏଲର ବିଭିନ୍ନ ଦଳ ପାଇଁ ଆଗ୍ରହ ଦେଖାଇଛନ୍ତି । କଟକକୁ ଆଇପିଏଲ ସହର ପାଇଁ ପୂର୍ବରୁ କେହି ଆଗ୍ରହ ଦେଖାଉ ନଥିଲେ ବି ଏଠାରେ ଆଇପିଏଲ ମ୍ୟାଚ ଖେଳାଯାଇଛି । ଡେକାନ ଚାର୍ଜର୍ସ, ସନରାଇଜର୍ସ ହାଇଦ୍ରାବାଦ, କୋଲକାତା ନାଇଟ ରାଇଡର୍ସ ବାରବାଟୀକୁ ଘରୋଇ ପଡ଼ିଆ ଭାବେ ବ୍ୟବହାର କରିଛନ୍ତି । ଯଦି ନୂଆ ଦଳ ମଧ୍ୟରେ କଟକ ସ୍ଥାନ ପାଏ, ତାହେଲେ ଓଡ଼ିଶାର ଖେଳାଳିମାନେ ଜାତୀୟସ୍ତରରେ ସିଧାସଳଖ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇପାରିବେ । ପୂର୍ବରୁ କେବଳ ହଳଧର ଦାସ, ବିପ୍ଲବ ସାମନ୍ତରାୟ ଆଇପିଏଲରେ ଖେଳିବାକୁ ସୁଯୋଗ ପାଇଥିଲା ବେଳେ ଆଇପିଏଲରେ ଖେଳିସାରିଥିବା ଅଭିଷେକ ରାଉତ ବର୍ତ୍ତମାନ ଓଡ଼ିଶା ଦଳରେ ଖେଳୁଛନ୍ତି ।