ସ୍କୁଲ ନାହିଁ ତ ଫି’ ବି ନାହିଁ: ମାନସ ଚୌଧୁରୀ
ସ୍କୁଲ ନାହିଁ ତ ଫି’ ବି ନାହିଁ: ମାନସ ଚୌଧୁରୀ
admin
Aug 5, 2020 - 09:03
Updated: Aug 5, 2020 - 09:03
ଭୁବନେଶ୍ୱର : କରୋନା ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବାବେଳେ ସ୍କୁଲ କଲେଜ ବନ୍ଦ ରହିଛି । ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହା ଏକ ଭଲ ପଦକ୍ଷେପ । ତେବେ ଦୁଃଖ ଓ ପରିତାପର ବିଷୟ କରୋନା ଭଳି ଘଡ଼ିସନ୍ଧି ସମୟରେ ଅଭିଭାବକମାନଙ୍କୁ ବେସରକାରୀ ସ୍କୁଲଗୁଡ଼ିକ ଲୁଟ କରି ଚାଲିଛନ୍ତି । ଆପଣମାନେ ଜାଣିଥିବେ ସରକାର ଲୋକଙ୍କ ଅସୁବିଧାକୁ ଆଖି ଆଗରେ ରଖି ଗରିବ ଲୋକଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି, ଧନୀ ଲୋକଙ୍କ ପାଇଁ ଟିକସବି ଛାଡ଼ ହୋଇଛି । ମଦରେ ବି ସେସ କମିଛି । କିନ୍ତୁ ନବୀନ ସରକାର ଅଭାବୀ ଅଭିଭାବକଙ୍କ କଥା ଚିନ୍ତା କରୁନାହାନ୍ତି । ବେସରକାରୀ ସ୍କୁଲଗୁଡ଼ିକ ଠାରୁ ବିଜେଡ଼ି ନେତାମାନେ ଚାନ୍ଦା ନେଉଛନ୍ତି । ଯେଉଁଥିପାଇଁ ଏସବୁ ଅନ୍ୟାୟ ଦେଖିଲେ ବି ଆଖି ବୁଜି ଦେଇଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ କହିଛନ୍ତି ।
ଶ୍ରୀ ଚୌଧୁରୀ କହିଛନ୍ତିଯେ, ସାରା ରାଜ୍ୟରେ ଏବେ ବେସରକାରୀ ସ୍କୁଲଗୁଡ଼ିକର ଚାପରେ ଅଭିଭାବକମାନେ ଚେପା ହୋଇଯାଇଛନ୍ତି । କରୋନା ପାଇଁ କେତେକ ଅଭିଭାବକଙ୍କର ଚାକିରୀ ପଳେଇଲାଣି, ସଟର ବନ୍ଦ ଥିବାରୁ ବ୍ୟବସାୟିକ କାରବାର ବି ଠପ ହୋଇଯାଇଛି । ଏଭଳି ସ୍ଥିତିରେ ଘର ଚଳାଇବା ବି ମୁସ୍କିଲ ହୋଇଗଲାଣି । ଗରିବ ହୁଅନ୍ତୁ କି ମଧ୍ୟବିତ ସମସ୍ତଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । କିନ୍ତୁ ବେସରକାରୀ ସ୍କୁଲଗୁଡ଼ିକର ଟଙ୍କା ନିଶା ଛାଡୁନାହିଁ ।
ସବୁଠାରୁ ବଡ଼ କଥା ହେଉଛି କେତେକ ସ୍କୁଲ କେବଳ ଟୁ୍ୟସନ ଫି’ ନୁହେଁ, ବରଂ ଡେ ବୋଡର଼୍ିଂ ଚାର୍ଜଠାରୁ ନେଇ ଫୁଡ଼ିଂ ପର୍ଯ୍ୟନ୍ତ ଟଙ୍କା ବି ନେଉଛନ୍ତି । ସ୍କୁଲ ବନ୍ଦ ଥିବାରୁ ପିଲା ତ ସ୍କୁଲ ଯାଉନାହାନ୍ତି ତାହେଲେ ଖାଇବା ଟଙ୍କା କାହିଁକି ଦେବେ, ଡେ ବୋଡ ଟଙ୍କା କାହିଁକି ଦେବେ ? ଭିତିଭୂମି ବିକାଶ ପାଇଁ ଟଙ୍କା କାହିଁକି ଦେବେ ? ଘରେ ବସିବସି ବେସରକାରୀ ସ୍କୁଲଗୁଡ଼ିକ ଏବେ ମୋଟା ଅଙ୍କର ଟଙ୍କା ଗୋଟାଇବାରେ ଲାଗିଛନ୍ତି । ଏଭଳି ପଇସା ଖିଆ ଘରୋଇ ସ୍କୁଲ ବିରୋଧରେ ନବୀନ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ? ଖାଲି ଫିସ ଛାଡ଼ କରିବାକୁ ଅନୁରୋଧ କଲେ ଚଳିବ ନାହିଁ, ସେମାନଙ୍କୁ ନିଦେ୍ର୍ଧଶ ଦେବା ଦରକାର ବୋଲି ମାନସ ଚୌଧୁରୀ ଦାବି କରିଛନ୍ତି ।
ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ସାଇ ଇଂଟରନାସନାଲ ସ୍କୁଲର ଉଦାହରଣ ନିଆଯାଉ । ସେଇ ସ୍କୁଲର ମାଲିକ ଏବେ ସରକାରଙ୍କ ଉପଦେଷ୍ଟା ସାଜିଛନ୍ତି । କିନ୍ତୁ ସେଠାରେ ଅଭିଭାବକମାନଙ୍କୁ ଶୋଷଣ କରାଯାଉଛି ବୋଲି ଅଭିଭାବକମାନେ ଅଭିଯୋଗ କରୁଛନ୍ତି । ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନଙ୍କ ବିରୋଧରେ ଷଡ଼ଯନ୍ତ୍ର କରି ପୁଲିସ କେଶ ବି କରାଯିବାର ନଜିର ରହିଛି । ଏଭଳି ଲୁଟେରା ଓ ଶୋଷକମାନେ କିଭଳି ଶିକ୍ଷାବିତ ହେବେବୋଲି ଶ୍ରୀ ଚୌଧୁରୀ ପ୍ରଶ୍ନ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଶ୍ରୀ ଚୌଧୁରୀ ଦାବି କରିଛନ୍ତିଯେ,
୧. ବେସରକାରୀ ସ୍କୁଲଗୁଡ଼ିକରେ ଫି ନିର୍ଦ୍ଧାରଣ କମିଟି ଦେଇଥିବା ସୁପାରିଶକୁ ଲାଗୁ କରାଯାଉ
୨. ବେଆଇନ ଭାବେ ବିଭିନ୍ନ ଫିସ ଲାଗୁ କରୁଥିବା ଘରୋଇ ବିଦ୍ୟାଳୟଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
୩. ଶିକ୍ଷାକୁ ସେବା ଭାବେ ଗ୍ରହଣ କରାଯାଉ । ଏହାକୁ ବ୍ୟବସାୟ କରି ଶୋଷଣ କରୁଥିବା ମାଲିକମାନଙ୍କୁ କଠୋର ଦଣ୍ଡ ଦେବା ଦରକାର ।
୪. କରୋନା ସମୟରେ ଘରୋଇ ସ୍କୁଲଗୁଡ଼ିକ ମନଇଚ୍ଛା ଟଙ୍କା ଆଦାୟ ନକରନ୍ତୁ । ନୋ ସ୍କୁଲ ନୋ ଫି ନ୍ୟାୟରେ ସେମାନେ ଅଭିଭାବକମାନଙ୍କୁ ଶୋଷଣ କରିବାରୁ ନିବୃତ ରୁହନ୍ତୁ ।
୫. ଘରୋଇ ସ୍କୁଲଗୁଡ଼ିକରେ ୨୫% ଗରିବ ଓ ଅବହେଳିତ ବର୍ଗର ପିଲାମାନେ ଯେଭଳି ପାଠ ପଢ଼ିବେ ତାହା ସୁନିଶ୍ଚିତ କରାଯାଉ । ଅନେକ ସମୟରେ ମିଛ କହି ଘରୋଇ ସ୍କୁଲଗୁଡ଼ିକ ସରକାରଙ୍କୁ ଠକୁଛନ୍ତି । ସେହି ମାଲିକମାନଙ୍କୁୁ ଗିରଫ କରିବା ସହ ସ୍କୁଲରୁ ସ୍ୱୀକୃତି ପ୍ରତ୍ୟାହାର କରିବା ଦରକାର । ଶିକ୍ଷା ଅଧିକାର ଆଇନ ଅନୁଯାୟୀ, ୨୫% ସିଟ ଅବହେଳିତ ଶ୍ରେଣୀ ବର୍ଗଙ୍କ ପାଇଁ ଉଦ୍ଧିଷ୍ଟ ଥିଲେବି ସିଟ ବିକା ଯାଉଥିବାର ନଜିର ରହିଛି । ଏନେଇ କୋର୍ଟରେ ବି ମାମଲା ହୋଇଛି ।
୬. ବିନା ଏନଓସିରେ ଚାଲିଥିବା ସ୍କୁଲଗୁଡ଼ିକ ଉପରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।
୭. ବେସରକାରୀ ସ୍କୁଲଗୁଡ଼ିକର ଏଭଳି ବେଆଇନ ଓ ଅମାନବୀୟ କାର୍ଯ୍ୟ ସମ୍ପର୍କରେ ସରକାର ଜାଣିଛନ୍ତି କି ନାହିଁ ? ଯଦି ଜାଣିଛନ୍ତି ତେବେ ଚୁପ କାହିଁକି ? ବିଜେଡ଼ି ନେତାମାନେ ସେମାନଙ୍କ ଠାରୁ ଚାନ୍ଦା ନେଇ ସୁରକ୍ଷା ଦେଉଛନ୍ତି କି ନାହିଁ ? ଏହାର ଜବାବ ସରକାର ଦେବା ଦରକାର ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ, ରଶ୍ମି ମହାପାତ୍ର, ରାଜୀବ ପଟ୍ଟନାୟକ, ବିଶ୍ୱଜିତ ଦାଶ, ନାସିର ନୱାଜ, ଅଶୋକ ଦାଶ,ଆଶିଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।