ମୋରଡ଼ା ନିର୍ବାଚନ ମଣ୍ଡଳୀ : ତ୍ରିମୁଖୀ ଲଢ଼େଇର ସମ୍ଭାବନା
ମୋରଡ଼ା ନିର୍ବାଚନ ମଣ୍ଡଳୀ : ତ୍ରିମୁଖୀ ଲଢ଼େଇର ସମ୍ଭାବନା
admin
Apr 8, 2019 - 07:48
Updated: Apr 8, 2019 - 07:48
ବାରିପଦା : ଏପ୍ରିଲ ୨୯ରେ ମୟୂରଭଞ୍ଜ ଜିଲ୍ଲା ୩୪ ନମ୍ବର ମୋରଡ଼ା ବିଧାନସଭା ଆସନରେ ୪ର୍ଥ ପର୍ଯ୍ୟାୟରେ ମତଦାନ ହେବ । ଏଥି ନିମନ୍ତେ ସମସ୍ତ ରାଜନୈତିକ ଦଳ ଚଳଚଂଚଳ ହୋଇଉଠିଛନ୍ତି । ସମୟ ସହିତ ତାଳ ଦେଇ ରାଜନୈତି ସମୀକରଣ ମଧ୍ୟ ବଦଳିବାରେ ଲାଗିଛି । ସମସ୍ତ ରାଜନୈତିକ ଦଳଗୁଡ଼ିକରେ ଦଳ ବଦଳ ସହିତ ଘର ବାହୁଡ଼ା କାର୍ଯ୍ୟ ପ୍ରାୟତଃ ସମାପ୍ତ ହୋଇସାରିଛି । ବିଜେଡ଼ିରୁ ରାଜ କିଶୋର ଦାସ, ବିଜେପିରୁ କୃଷ୍ଣଚନ୍ଦ୍ର ମହାପାତ୍ର, ଜେଏମଏମର ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନାଙ୍କ ସହ ମୈଦାନକୁ ଉହ୍ଲାଇଛନ୍ତି ସିପିଆଇ(ଏମ)ର ଜିଲ୍ଲା ସଭାପତି ଆଇନଜୀବୀ କମ୍ରେଡ଼ ରବି ଗୋସ୍ୱାମୀ । ତେବେ ନିର୍ବାଚନ ମଣ୍ଡଳୀରେ ମୁଖ୍ୟତଃ ବିଜେଡ଼ି, ବିଜେପି ଓ ଜେଏମଏମ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଥିବା ବେଳେ ଏମାନଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ସମର ସଜ୍ଜା । ଯୁଦ୍ଧ ନିମନ୍ତେ ସେନାପତିମାନେ ପ୍ରସ୍ତୁତ । ସୈନିକମାନେ ସଜାଗ । ପ୍ରତିଦ୍ୱନ୍ଦୀ ଶାସକ ବିଜଦ ଯେତିକି ଶକ୍ତିଶାଳୀ ସେହି ଅନୁପାତରେ ବିରୋଧୀ ଭାଜପା, ଜେଏମଏମ ଓ କଂଗ୍ରେସ ମେଂଟ ମଧ୍ୟ ମୁକାବିଲା ନିମନ୍ତେ ପ୍ରସ୍ତୁତ ।
ମାର୍ଚ୍ଚ ୯ରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଶେଷ ହେବା ପରେ ମୋରଡ଼ା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେବ ଜୋରଦାର ପ୍ରଚାର କାର୍ଯ୍ୟ । ସହରରୁ ଆରମ୍ଭ କରି ଗାଁଗଣ୍ଡା ଆଦି ରଙ୍ଗବେରଙ୍ଗ ପୋଷ୍ଟର, ବେନର ଓ ଦଳୀୟ ପତକାରେ ପରିପୂର୍ଣ୍ଣ ହେବା ସହ ରାଲି, ରୋଡ଼ ଶୋ, ସଭାସମିତରେ ପ୍ରକମ୍ପିତ ହେବାରେ ଲାଗିଛି ଅଂଚଳ । ଭୋଟରମାନଙ୍କୁ ନିଜନିଜ ସପକ୍ଷରେ ଆକୃଷ୍ଟ କରାଇବା ନିମନ୍ତେ ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ପ୍ରତିଶୃତିର ପାହାଡ଼ ଅଜାଡ଼ି ହୋଇପଡ଼ୁଛି । କେବେ ପ୍ରଚାରରେ ଆସିବେ ହେଭିୱେଟ ନେତା ତାକୁ କେବଳ ଅପେକ୍ଷା ।
ମୟୂରଭଞ୍ଜ ଜିଲ୍ଲାର ୯ଟି ବିଧାନସଭା କ୍ଷେତ୍ର ମଧ୍ୟରୁ କେବଳ ୩୪ନଂ ମୋରଡ଼ା ବିଧାନସଭା କ୍ଷେତ୍ର ଅଣସଂରକ୍ଷିତ ରହିଥିବାରୁ ରାଜନୈତିକ ଦୃଷ୍ଟିକୋଣରୁ ଏହି ନିର୍ବାଚନ ମଣ୍ଡଳୀ ଅନେକ ଗୁରୁତ୍ୱ ବହନ କରିଥାଏ । ୨୦୦୮ ବିଧାନସଭା ଆସନ ପୁର୍ନଗଠନ ସମୟରେ ଶୁଳିଆପଦା, ରାସଗୋବିନ୍ଦପୁର ଓ ମୋରଡ଼ା ବ୍ଲକକୁ ନେଇ ଏହା ପୁଣି ଥରେ ନିର୍ବାଚନ ମଣ୍ଡଳୀ ଭାବେ ସ୍ୱୀକୃତି ପାଇବାପରେ ୨୦୦୯ ଓ ୨୦୧୪ରେ ବିଜଦ ଟିକଟରେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ବିଭାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ ନିର୍ବାଚନର ଫଳାଫଳ ଅନୁସାରେ ବିଜଦ ୨୮.୮୬ ହାରରେ ମୋଟ ୩୭,୬୦୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଝାମୁମୋ ୨୪.୧୦ ପ୍ରତିଶତ ହାରରେ ମୋଟ ୩୧,୪୦୮ ଖଣ୍ଡ ଭୋଟ ପାଇ ଦ୍ୱିତୀୟ, ଭାଜପା ୨୦.୬୯ ହାରରେ ମୋଟ ୨୬,୯୫୫ ଖଣ୍ଡ ଭୋଟ ପାଇ ତୃତୀୟ ଓ କଂଗ୍ରେସ ୧୫.୮୦ ପ୍ରତିଶତ ହାରରେ ମୋଟ ୨୦,୫୮୭ ଖଣ୍ଡ ଭୋଟ ପାଇ ଚତୃର୍ଥ ସ୍ଥାନରେ ରହିଥିଲା । ସେହିପରି ୨୦୧୪ ବିଧାନସଭା ନିର୍ବାଚନରେ ପୁଣି ଥରେ ମହାରାଜା ଶ୍ରୀଭଞ୍ଜଦେଓ ୩୨. ୦୩ ପ୍ରତିଶତ ହାରରେ ୫୨, ୨୦୭ ଖଣ୍ଡ ଭୋଟପାଇ ନିର୍ବାଚିତ ହୋଇଥିବା ବେଳେ ଭାଜପା ୨୭. ୭୬ ହାରରେ ୪୫, ୨୫୧ ଖଣ୍ଡ ଭୋଟ ପାଇ ଦ୍ୱିତୀୟ, କଂଗ୍ରେସ ୧୫. ୨୧ ପ୍ରତିଶତ ହାରରେ ୨୪, ୭୯୦ ଖଣ୍ଡ ଭୋଟ ପାଇ ତୃତୀୟ ଓ ଝାମୁମୋ ୧୦. ୬୭ ପ୍ରତିଶତ ହାରରେ ୧୭,୩୯୧ ଖଣ୍ଡ ଭୋଟ ପାଇ ଚତୃର୍ଥ ସ୍ଥାନରେ ରହିଥିଲେ ମଧ୍ୟ ମହାରାଜା ଶ୍ରୀଭଞ୍ଜଦେଓଙ୍କୁ ୨୦୦୯ ତୁଳନାରେ ମିଥିବା ଭୋଟର ହାର ୧.୧୦ ପ୍ରତିଶତ ତଳକୁ ଖସି ଆସିଥିଲା । ଏହାପରେ ୨୦୧୭ରେ ସମାପ୍ତ ହୋଇଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ମୋରଡ଼ା ନିର୍ବାଚନ ମଣ୍ଡଳୀରେ ବିଜଦ ମାଟି କାମୁଡ଼ି ଆଣ୍ଠେଇ ପଡ଼ିଥିଲା । ନିର୍ବାଚନ ମଣ୍ଡଳୀର ଶୁଳିଆପଦା, ମୋରଡ଼ା ଓ ରାସଗୋବିନ୍ଦପୁର ତିନୋଟି ବ୍ଲକକୁ ଭାଜପା ବିଜଦ ହାତରୁ ଛଡ଼଼ାଇ ନେଇଥିବା ସମୟରେ ୭ଟି ଜିଲ୍ଲାପରିଷଦ ଜୋନ୍ ମଧ୍ୟରୁ ୩୮, ୩୯, ୪୦, ୪୭, ୫୩ ଓ ୫୪ ନଂ ଜିଲ୍ଲାପରିଷଦ ଜୋନକୁ ମଧ୍ୟ ଛଡ଼଼ାଇ ନେଇଥିଲା । ଜିଲ୍ଲାପରିଷଦ ନିର୍ବାଚନରେ ବିଜେଡ଼ି ସପକ୍ଷରେ ୩୦.୦୫ ପ୍ରତିଶତ ହାରରେ ୪୭,୭୨୯ ଖଣ୍ଡ ଭୋଟ ପଡ଼ିଥିବା ବେଳେ ବିଜେପି ୪୦.୫୬ ପ୍ରତିଶତ ହାରରେ ୬୪,୪୧୬ ଖଣ୍ଡ, ଜେଏମଏମ ୮.୦୮ ପ୍ରତିଶତ ହାରରେ ୧୨,୮୨୫ ଓ କଂଗ୍ରେସ ୧୩.୯୯ ପ୍ରତିଶତ ହାରରେ ୨୨,୨୨୬ ଖଣ୍ଡ ଭୋଟ ପାଇଥିଲେ । ମୋରଡ଼ା ବିଧାୟକ ତଥା ବିଜଦର ଜିଲ୍ଲା ସଭାପତି ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କୁ କେନ୍ଦ୍ର କରି ନିର୍ବାଚନ ମଣ୍ଡଳୀରେ ଶଙ୍ଖ ମାର୍କା ବିଜଦ ଦଳରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଗୋଷ୍ଠୀ କନ୍ଦଳ ସିଧାସଳଖ ଭାବେ ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ପ୍ରଭାବିତ କରାଇଥିଲା ବୋଲି ଦାବି କରାଯାଇଥିଲା । ନିର୍ବାଚନ ମଣ୍ଡଳୀରେ ବିଜଦର ସ୍ଥିତାବସ୍ଥାକୁ ଦେଖି ୨୦୧୯ରେ ହାଇକମାଣ୍ଡ ମହାରାଜା ଶ୍ରୀ ଭଞ୍ଜଦେଓଙ୍କ ଉପରୁ ଆସ୍ଥା ହରାଇ ବିଜେପିର ରାଜ୍ୟ ଉପସଭାପତି ପଦ ତ୍ୟାଗ କରି ବିଜେଡ଼ିରେ ମିଶିଥିବା ଟାଣୁଆ ସଂଗ୍ରାମୀ ନେତା ରାଜକିଶୋର ଦାସଙ୍କୁ ମୋରଡ଼ା ନିର୍ବାଚନ ମଣ୍ଡଳୀରୁ ଦଳୀୟ ପ୍ରାର୍ଥୀ କରାଇଛନ୍ତି ଏବଂ ନିର୍ବାଚନ ମଣ୍ଡଳୀକୁ ବିଜେଡ଼ି ପୁଣି ଥରେ ଜିତି ହେଟ୍ରିକ ମାରିବ ବୋଲି ଆଶାବାଦୀ ରହିଛି ।
ଏହି ସମୟରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଦଳର ବିବାଦୀୟ ନେତା ତଥା ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର । ବିଜେପି ପ୍ରାର୍ଥୀ ଶ୍ରୀ ମହାପାତ୍ର ଠକେଇ, ଜାଲିଆତି ସହ ଜାମଶୋଳା ତନଖି ଫାଟକରେ କର୍ତବ୍ୟରେ ଥିବା ସରକାରୀ ପଦାଧିକାରୀଙ୍କୁ ଆକ୍ରମଣ, ଅର୍ଥ ଲୁଟ୍ ଆଦି ମାମଲାରେ ଜେଲ୍ ଯାଇ ଜାମିନରେ ବାହାରିବା ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନାରେ ପୂର୍ବରୁ ତାଙ୍କ ନାମରେ ଫୌଜଦାରୀ ଆଦି ମାମଲା ରୁଜୁ ହୋଇଥିବାର ବିଷୟ ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ଏପରିକି, ସେ ବାରିପଦା ସହରରେ ବସବାସ କରୁଥିବା ଜମି ସରକାରୀ ହୋଇଥିବା ବେଳେ ତକତପୁର ଅଂଚଳରେ ମଧ୍ୟ ଏକ ସରକାରୀ ଜମିକୁ ବେଆଇନ ଭାବେ ମାଡ଼ିବସି ତାକୁ ମେସ ଭାବେ ଭଡ଼ା ଲଗାଇ ଅର୍ଥ ରୋଜଗାର କରିବା, ପିଡ଼ିଏସ କିରୋସିନି ପରିବହନ ସମୟରେ ଅପମିଶ୍ରଣ କରୁଥିବା ବେଳେ ଧରାପଡ଼ି ଜୋରିମାନା ଦେଇଥିବାର ଅଭିଯୋଗ ମଧ୍ୟ ରହିଛି । ତେଣୁ ବିଜେପି ଶ୍ରୀ ମହାପାତ୍ରଙ୍କୁ ମୋରଡ଼ା ନିର୍ବାଚନ ମଣ୍ଡଳୀରୁ ଦଳୀୟ ପ୍ରାର୍ଥୀ କରାଇ ଅଡ଼ୁଆ ମଧ୍ୟକୁ ଟାଣି ହୋଇ ଆସିଛି । ଏହି ସମସ୍ତ ଅଭିଯୋଗ, ଆରୋପକୁ ନିର୍ବାଚନ ମଣ୍ଡଳୀରେ ଭୋଟରମାନଙ୍କୁ ପ୍ରଭାବିତ କରାଇବାର ସମ୍ଭାବନା ଦେଖାଦେଇଛି । ସେହିପରି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ-ଜେଏମଏମ ମେଂଟରୁ ଜେଏମଏମର ରାଜ୍ୟ ସାଧାରଣ ସମ୍ପାଦକ ତଥା ସଂଗ୍ରାମୀ ଯୁବ ନେତା କଳିଙ୍ଗ କେଶରୀ ଜେନା ମଇଦାନକୁ ଉହ୍ଲାଇଛନ୍ତି । ଜେଏମଏମରୁ ମେଂଟ ପ୍ରାର୍ଥୀ ଯୁବ ନେତା ଶ୍ରୀ ଜେନା ୧୯୯୨ରେ ଛାତ୍ର ରାଜନୀତିରୁ ଆସିଛନ୍ତି । ଭଞ୍ଜସେନା ଭଳି ଏକ ଅଣରାଜନୈତିକ ସଂଗଠନରେ ବହୁ ବର୍ଷ ଅଧ୍ୟକ୍ଷ ଭାବେ ରହି ସେ ମୟୂରଭଞ୍ଜର ସ୍ୱାଭିମାନ, ଜିଲ୍ଲାବାସୀଙ୍କ ସାମୁହିକ ସ୍ୱାର୍ଥ ଓ ହକ୍ ପାଇଁ ନିରନ୍ତର ଭାବେ ସଂଗ୍ରାମ ଚଳାଇ ଆସିଥିଲେ । ଏଥି ସହିତ ମୋରଡ଼ା ନିର୍ବାଚନ ମଣ୍ଡଳୀରୁ ୨୦୧୪ ନିର୍ବାଚନ ଲଢ଼ି ସାରିଛନ୍ତି । ମୟୂରଭଞ୍ଜରେ ମେଡ଼ିକାଲ କଲେଜ, ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ରେଳପଥର ବିକାଶ, ଶିଳ୍ପ ପ୍ରତିଷ୍ଠା, ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ବିକାଶ, ନିଯୁକ୍ତି, ଦୁର୍ନୀତି ଆଦି ବିଭିନ୍ନ ଦାବି ଓ ସମସ୍ୟାଗୁଡ଼ିକୁ ନେଇ ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଆସିଛନ୍ତି । ଏହି ସମୟରେ ଜେଏମଏମ ଓ କଂଗ୍ରେସ ସମର୍ଥନରେ ଶ୍ରୀ ଜେନା ମୋରଡ଼ା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହେବା ନିମନ୍ତେ ଆଶାବାଦୀ ରହିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ସିପିଆଇଏମରୁ ଆଇନଜୀବୀ କମ୍ରେଡ଼ ରବି ଗୋସ୍ୱାମୀ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । କମ୍ରେଡ଼ ଗୋସ୍ୱାମୀ ସିପିଆଇଏମର ମୟୂରଭଞ୍ଜ ଜିଲ୍ଲା ସମ୍ପାଦକ ରହିଥିବା ବେଳେ ସିଆଇଟିୟୁର ଜିଲ୍ଲା ସଭାପତି, ମୋଟର ଟ୍ରାନ୍ସପୋର୍ଟ ୟୁନିଅନର କାର୍ଯ୍ୟକାରୀ ସଭାପତି, ଉକ୍ରଳ ବଲବ୍ କମ୍ପାନୀ ଓ ବିଏସଏନଏଲ କେଜୁଆଲ୍ ୱାର୍କାରସ୍ ୟୁନିଅନର ସଭାପତି, ଆଶା ସଂଗଠନରେ ଉପଦେଷ୍ଟା ଏହି ଭଳି ବିଭିନ୍ନ ସଂଗଠନ ସହିତ ସିଧାସଳଖ ଭାବେ ଜଡ଼ିତ ରହିଆସିଛନ୍ତି । ମୟୂରଭଞ୍ଜବାସୀଙ୍କ ସ୍ୱାଭିମାନ, ହକ୍ ନିମନ୍ତେ ନିସ୍ୱାର୍ଥପର ଭାବେ ସେବା ଯୋଗାଇ ଦେବା ସହ ସଂଗ୍ରାମ ଜାରି ରଖିଛନ୍ତି । ଏପରିକି ଅଦାଲତରେ ଗରୀବ ଖଟିଖିଆ ଶ୍ରେଣୀର ଜନସାଧାରଣଙ୍କ ମାମଲାଗୁଡ଼ିକୁ ମାଗଣାରେ ପରିଚାଳନା କରୁଥିବାର ପରିଲକ୍ଷିତ ହୋଇଛି । ସିପିଆଇଏମରୁ ଆଇନଜୀବୀ ଶ୍ରୀ ଗୋସ୍ୱାମୀ ପ୍ରତିଦ୍ୱନ୍ଦିତା କରୁଥିବାରୁ ତାଙ୍କୁ ସହାୟତା କରିବା ନିମନ୍ତେ ବିଭିନ୍ନ ସଂଗଠନ ଆଗେଇ ଆସିଛନ୍ତି । କିନ୍ତୁ ମୋରଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି, ବିଜେପି ଓ ଜେଏମଏମ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି । ତେବେ ନିର୍ବାଚନରେ ବିଜେଡ଼ି ରାଜ୍ୟରେ ଜାରି ରହିଥିବା ବିକାଶର ଧାରା, କେନ୍ଦ୍ରୀୟ ଅବହେଳା ଓ ଓଡ଼ିଶା ପ୍ରତି ବୈମାତୃକ ମନୋଭାବକୁ ପ୍ରସଙ୍ଗ କରିବାକୁ ଯାଉଥିବା ବେଳେ ବିଜେପି, ଜେଏମଏମ ଓ ସିପିଏମ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ସହ ନିଯୁକ୍ତିକୁ ଆୟୁଧ ଭାବେ ବ୍ୟବହାର କରୁଥିବାର ଜଣାପଡ଼ିଛି ।