ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ରାଜ୍

ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ରାଜ୍

ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ରାଜ୍
ମୁମ୍ବାଇ : ମହାରାଷ୍ଟ୍ରରେ ଆରମ୍ଭ ହୋଇଛି ଉଦ୍ଧବ ରାଜ । ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଶିବାଜୀ ପାର୍କରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଉଦ୍ଧବଙ୍କ ସମେତ ୬ ଜଣ ଶପଥ ଗ୍ରହଣ କରିଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ, ରାଜ ଠାକରେ, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ, କଂଗ୍ରେସ ନେତା ଅହମ୍ମଦ ପଟେଲ ଓ ଶିଳ୍ପପତି ମୁକେଶ ଅମ୍ବାନୀ ପ୍ରମୁଖ ଉପସ୍ଥିତ ଥିଲେ । ଶପଥ ଗ୍ରହଣ କରିବା ପରେ ଉଦ୍ଧବ ପ୍ରଥମ କ୍ୟାବିନେଟ ବୈଠକ ଡକାଇ ଆଲୋଚନା କରିଛନ୍ତି । ଏନସିପି, ଶିବସେନା ଓ କଂଗ୍ରେସ ମିଳିତ ଭାବେ ‘ମହାରାଷ୍ଟ୍ର ବିକାଶ ଆଘାଡ଼ି’ ନାମରେ ମେଂଟ କରିଛନ୍ତି । ତିନି ଦଳର ସରକାରକୁ ଠିକ ଭାବେ ପରିଚାଳନା କରିବା ପାଇଁ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଗୋଟିଏ ପଟେ ଶିବସେନା ହିନ୍ଦୁତ୍ୱର କଥା କହୁଥିବାବେଳେ ଅପରପକ୍ଷରେ ସିଏମପିରେ ଧର୍ମନିରପେକ୍ଷ ଶବ୍ଦକୁ ବାରବାର ଉଲ୍ଳେଖ କରାଯାଇଛି । ଉଦ୍ଧବ ଠାକରେ ରାଜନୀତିରେ ବିଶେଷ ଆଗ୍ରହ ପ୍ରକାଶ କରୁନଥିଲେ । ବାଲ ଠାକରେ ଶିବସେନା ସୁପ୍ରିମୋ ଥିବାବେଳେ ରାଜ ଠାକରେ ହିଁ ଦଳୀୟ କାର୍ଯ୍ୟକ୍ରମ ବୁଝାସୂଝା କରୁଥିଲେ । ତେବେ ୨୦୦୩ ଜାନୁଆରୀରେ ଉଦ୍ଧବଙ୍କୁ ଶିବସେନାର କାର୍ଯ୍ୟକାରୀ ସଭାପତି କରାଯିବା ପରେ ରାଜ ବିଦ୍ରୋହ କରି ନିଜର ନୂଆ ଦଳ ଗଠନ କରିଥିଲେ । ବାଲ ଠାକରେଙ୍କ ମୃତୁ୍ୟ ପରେ ଶିବସେନାର ସଭାପତି ହୋଇଥିଲେ ଉଦ୍ଧବ । ତେବେ ପ୍ରତ୍ୟକ୍ଷ ରାଜନୀତି ଅପେକ୍ଷା ସେ ନିଜ ପିତାଙ୍କ ଭଳି ରିମୋର୍ଟ କଂଟ୍ରୋଲ ହେବାକୁ ଚାହିଁଥିଲେ । କିନ୍ତୁ ପରିବର୍ତିତ ରାଜନୀତିକ ସ୍ଥିତି ତାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ପଦରେ ଆସୀନ କରାଇଛି ।