ବୀଭତ୍ସ, ୯ ମାସ ଧରି ନାବାଳିକାକୁ ୨୯ ଜଣ କରିଛନ୍ତି ଦୁଷ୍କର୍ମ
ବୀଭତ୍ସ, ୯ ମାସ ଧରି ନାବାଳିକାକୁ ୨୯ ଜଣ କରିଛନ୍ତି ଦୁଷ୍କର୍ମ
ଥାନେ : ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଘଟିଯାଇଛି ବୀଭତ୍ସ କାଣ୍ଡ। ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଦୀର୍ଘ ୯ ମାସ ଧରି ୨୯ ଜଣ ଗଣଦୁଷ୍କର୍ମ କରିଛନ୍ତି। ଏହି ଅପରାଧରେ ୨ ନାବାଳକ ବି ସାମିଲ ଅଛନ୍ତି । ଏହି ଘଟଣା ଲୋକଲୋଚନାକୁ ଆସିବା ପରେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ଗତ ଜାନୁଆରିରୁ ଚଳିତ ସେପ୍େଟମ୍ବର ମଧ୍ୟରେ ଏହି ଘଟଣା ଘଟିଛି । ଅଭିଯୁକ୍ତମାନେ ପୀଡ଼ିତାର ଭିଡିଓ ବ୍ୟବହାର କରି ତାକୁ ବାରମ୍ବାର ନିର୍ୟାତନା ଦେଉଥିଲେ ଏବଂ ବ୍ଲାକମେଲ କରୁଥିଲେ । ଶେଷରେ ପୀଡ଼ିତା ତାଙ୍କ ପ୍ରତି ହେଉଥିବା ବର୍ବରତା ସହ୍ୟ କରିନପାରି ଗତ ରାତିରେ ମନପଡ଼ା ଥାନାରେ ଅଭିଯୋଗ କରିବାପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି । ଉକ୍ତ ମାମଲାରେ ପୁଲିସ ୨୬ ଜଣଙ୍କୁ ଗିରଫ କରିଛି ଏବଂ ୨ ଜଣ ନାବାଳକଙ୍କୁ ଅଟକ ରଖିଛି । ଏସିପି ଦତ୍ତତ୍ରେୟ କରାଲେ କହିଛନ୍ତି, ପୀଡ଼ିତା ମନପଡ଼ା ଥାନାରେ ପହଞ୍ଚି ତାଙ୍କ ସହ ଗତ ୯ ମାସ ଧରି ଯାହା ହୋଇଥିଲା ସବୁ କହିଛନ୍ତି । ଜାନୁଆରିରୁ ଚଳିତ ସେପ୍େଟମ୍ବର ୨୨ ମଧ୍ୟରେ ତାଙ୍କ ପ୍ରତି ଯେଉଁ ଯୌନ ଅତ୍ୟାଚାର ହୋଇଥିଲା ସେଥିରେ ସେ ୨୯ ଜଣଙ୍କ ନାମ ନେଇଛନ୍ତି । ପୁଲିସ ତୁରନ୍ତ ଉକ୍ତ ଘଟଣାରେ ତଦନ୍ତ କରି ୨୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି । ସେମାନେ ପୀଡ଼ିତାଙ୍କୁ ଡୋମ୍ବିଭଲି, ରବାଲେ, ମୁରବାଦ, ବାଦଲପୁର ଏବଂ ଅନ୍ୟ ସ୍ଥାନମାନଙ୍କରେ ଯୌନ ନିର୍ୟାତନା ଦେଇଛନ୍ତି । ସମସ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ପୋକ୍ସ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି । ଏନସିପି (ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି) ଏବଂ ଆରପିଆଇ( ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ) କର୍ମୀମାନେ ଆଜି ମନପଡ଼ା ଥାନା ଘେରାଉ କରିଛନ୍ତି ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ।




admin 