ରାବଡ଼ୀଙ୍କ ଘରେ ହାଇଡ୍ରାମା: ଫେରିଲେ ତେଜପ୍ରତାପଙ୍କ ପତ୍ନୀ ଐଶ୍ୱର୍ଯ୍ୟା
ରାବଡ଼ୀଙ୍କ ଘରେ ହାଇଡ୍ରାମା: ଫେରିଲେ ତେଜପ୍ରତାପଙ୍କ ପତ୍ନୀ ଐଶ୍ୱର୍ଯ୍ୟା
admin
Oct 1, 2019 - 08:19
Updated: Oct 1, 2019 - 08:19
ପାଟନା : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲରେ ସଜା କାଟୁଥିବାବେଳେ ତାଙ୍କ ଅନୁପସ୍ଥିତିରେ ଏବେ ତାଙ୍କ ପରିବାରର ସ୍ଥିତି ଆଦୌ ଠିକ୍ ନାହିଁ । ଲାଲୁଙ୍କ ବଡ଼ବୋହୂ ତଥା ତେଜ ପ୍ରତାପ ଯାଦବଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ପ୍ରଥମ ଥର ପାଇଁ ନିଜ ବିରୋଧରେ ହେଉଥିବା ଅନ୍ୟାୟ ବିରୋଧରେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ଲାଲୁଙ୍କ ପତ୍ନୀ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବଡ଼ୀ ଦେବୀ ଏବଂ ଝିଅ ମିସା ଭାରତୀ ତାଙ୍କୁ ନିର୍ଯାତନା ଦେଉଥିବା ଐଶ୍ୱର୍ଯ୍ୟା ଅଭିଯୋଗ କରିଛନ୍ତି । ତାଙ୍କୁ ବଳପୂର୍ବକ ଘରୁ ତଡ଼ି ଦିଆଯାଇଥିବା ଅଭିଯୋଗ କରି ସେ ରାବଡ଼ୀ ଦେବୀଙ୍କ ବାସଭବନ ବାହାରେ ଗତକାଲିଠାରୁ ଧାରଣାରେ ବସିଥିଲେ । ଐଶ୍ୱର୍ଯ୍ୟାଙ୍କ ସହ ତାଙ୍କ ବାପା ଚନ୍ଦ୍ରିକା ରାୟ ଏବଂ ମା' ପୂର୍ଣ୍ଣିମା ରାୟ ମଧ୍ୟ ଧାରଣାରେ ବସିଥିଲେ । ତେବେ ଚନ୍ଦ୍ରିକା ରାୟ ଉକ୍ତ ମାମଲାରେ ଡିଜିପି ଗୁପ୍ତେଶ୍ୱର ପାଣ୍ଡେଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ମାମଲାରେ ଡିଜିପି ହସ୍ତକ୍ଷେପ କରିବାପରେ ଏବଂ ଚନ୍ଦ୍ରିକାଙ୍କର ବହୁ ସଂଖ୍ୟାରେ ସମର୍ଥକ ଧାରଣାରେ ଯୋଗ ଦେବାପରେ ରାବଡ଼ୀ ଦେବୀ ଶେଷରେ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ଘରକୁ ପ୍ରବେଶ କରିବାପାଇଁ ଅନୁମତି ଦେଇଥିଲେ । ଐଶ୍ୱର୍ଯ୍ୟା ଅଭିଯୋଗ କରିଛନ୍ତି ଯେ ତାଙ୍କ ଶାଶୂ ଏବଂ ନଣନ୍ଦ ଲଗାତାର ତାଙ୍କୁ ନିର୍ଯାତନା ଦେଉଥିଲେ । ଏପରିକି ତାଙ୍କୁ ଘରର ରୋଷେଇ ଘରକୁ ଯିବାର ଅନୁମତି ମିଳୁନଥିଲା । ଗତ ୩ ମାସ ହେବ ସେ ତାଙ୍କ ଘର ଖାଦ୍ୟ କିଛି ଖାଉନଥିଲେ । ତାଙ୍କ ପାଇଁ ତାଙ୍କ ବାପଘରୁ ଖାଇବା ଆସୁଥିବା ସେ କହିଛନ୍ତି । ଅନ୍ୟପକ୍ଷେ ମିସାଙ୍କ ପାଇଁ ଦୁଇ ଭାଇ ତେଜ ପ୍ରତାପ ଏବଂ ତେଜସ୍ୱୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି ଏବଂ ତେଜପ୍ରତାପଙ୍କ ସହ ତାଙ୍କ ସମ୍ପର୍କ ଆଦୌ ସୁଧୁରି ପାରୁନି ବୋଲି ସେ କହିଛନ୍ତି ।