ବିରୋଧୀ ମିଛ କହିବେ, ଠିକଣା ଜବାବ ଦେବା : ନବୀନ

ବିରୋଧୀ ମିଛ କହିବେ, ଠିକଣା ଜବାବ ଦେବା : ନବୀନ

ବିରୋଧୀ ମିଛ କହିବେ,  ଠିକଣା ଜବାବ ଦେବା : ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଦଳୀୟ ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତିମାନଙ୍କୁ ଭର୍ଚୁଆଲ ଉଦ୍ବୋଧନ ଦେଇ ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ ସେମାନଙ୍କ ଆର୍ଶୀବାଦ ଆଣିବାକୁ ପରାମର୍ଶ ଦେଇଛନ୍ତି ।

ନବୀନ କହିଛନ୍ତି, ଓଡିଶାବାସୀ ବିଜେଡିକୁ ଭଲ ପାଆନ୍ତି ଓ ସବୁ ନିର୍ବାଚନରେ ଆର୍ଶୀବାଦ କରିଆସିଛନ୍ତି। ବିରୋଧିଦଳଙ୍କ ପାଖରେ କିଛି ବି ପ୍ରସଙ୍ଗ ନାହିଁ। ସେମାନେ ମିଛ ପ୍ରଚାରକୁ ଅସ୍ତ୍ର କରିବେ। ତେଣୁ ଆପଣମାନେ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାନ୍ତୁ । ବିରୋଧିଙ୍କ ମିଛ ପ୍ରଚାରର ସଠିକ ଜବାବ ଦିଅନ୍ତୁ। ମୋର ଅନୁରୋଧ ଆପଣମାନେ ଆମ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇ ବହୁଳ ପରିମାଣରେ ଲୋକଙ୍କ ଆର୍ଶୀବାଦ ଆଣିବେ। ଏଥିରେ ମୋର ପୂରା ବିଶ୍ୱାସ ରହିଛି।

ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଦଳୀୟ ବିଧାୟକ, ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତିମାନଙ୍କ ସହିତ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ କହିଥିଲେ,ମୁଁ ଜାଣିଛି ଆପଣମାନେ ପଞ୍ଚାୟତ ନିର୍ବାଚନରେ ପୂରାପୂରି ସାମିଲ ହୋଇ ଦଳର ପ୍ରାର୍ଥୀଙ୍କ ବିଜୟ ପାଇଁ କାମ କରୁଛନ୍ତି । ଏହି ସମୟରେ ମୁଁ ଆପଣଙ୍କୁ କିଛି କହିବାକୁ ଚାହୁଁଛି । କୋଭିଡ ମହାମାରୀର ତୃତୀୟ ଲହର ଚାଲିଛି। ମୋର ଅନୁରୋଧ ଆପଣମାନେ କୋଭିଡ ନିୟମ ପାଳନ କରିବେ। ଆପଣଙ୍କର ଜୀବନ ମୋ ପାଇଁ ମୂଲ୍ୟବାନ। ଆପଣମାନେ ଜାଣି ଖୁସି ହେବେ ଯେ ଓଡିଶା ଆଜି ସାରା ଭାରତ ବର୍ଷରେ କୋଭିଡ ମୁକାବିଲାରେ ଏକ ନମ୍ବର ହୋଇଛି। ଲୋକଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଲୋକଙ୍କ ମନରେ ଆଶା ଓ ବିଶ୍ୱାସ ସୃଷ୍ଟି କରିଛି। ବିଜେଡି ସରକାରଙ୍କ ଏଭଳି ଯୁଗାନ୍ତକାରୀ ପଦକ୍ଷେପ ଭାରତରେ ପ୍ରଥମ। ଏହି କଠିନ କୋଭିଡ ମହାମାରୀ ସମୟରେ ମହିଳାମାନଙ୍କୁ ମିଶନ ଶକ୍ତି, ମା’ମାନଙ୍କୁ ପ୍ରାୟ ୧୦,୦୦୦ କୋଟି ଟଙ୍କାର ଋଣ ସହାୟତା ବିନା ସୁଧରେ ଆପଣଙ୍କ ବିଜେଡି ସରକାର ଦେଇଛି। ଲକ୍ଷ ଲକ୍ଷ ଭୂମିହୀନ ଚାଷୀଙ୍କ ପାଇଁ ୧୦,୦୦୦ ଟଙ୍କା କାଳିଆ ଯୋଜନାରେ ସହାୟତା ଦେଇଛି ବିଜେଡି ସରକାର। 

ନବୀନ କହିଲେ, ରାସନ କାର୍ଡ ଥିବା ସବୁ ପରିବାରକୁ ଆର୍ଥିକ ସହାୟତା, ଗ୍ରାମାଞ୍ଚଳ ପକ୍କାଘର ଯୋଜନାରେ ଘର ମରାମତି ପାଇଁ ସହାୟତା, ଯୋଗ୍ୟ ତାଲିକାଭୁକ୍ତ ଘର ପାଇନଥିବା ପରିବାରଙ୍କୁ ସହାୟତା ଭଳି ଅଗ୍ରଣୀ ପଦକ୍ଷେପମାନ ଗ୍ରହଣ କରି ବିଜେଡି ସରକାର ଅନ୍ୟମାନଙ୍କୁ ବାଟ ଦେଖାଇଛି । ଜଳସେଚନ, ଶିକ୍ଷା ଭିତ୍ତିଭୂମି, ଶିଳ୍ପ, ଜନଜାତିଙ୍କ କଲ୍ୟାଣ ସବୁ କ୍ଷେତ୍ରରେ ଆଜି ଓଡିଶା ଅଗ୍ରଣୀ ରାଜ୍ୟ ହୋଇଛି। ମୋ ସରକାର କାର୍ଯ୍ୟକ୍ରମ ସରକାରରେ ସାଧାରଣ ଲୋକଙ୍କର ଭାଗିଦାରୀ ଆଣିଛି।