ଢିଙ୍କିଆରେ କଂଗ୍ରେସ ଟିମ, ଆହତଙ୍କୁ ଭେଟିଲେ ଚେଲ୍ଲାକୁମାର

ଢିଙ୍କିଆରେ କଂଗ୍ରେସ ଟିମ, ଆହତଙ୍କୁ ଭେଟିଲେ ଚେଲ୍ଲାକୁମାର

ଢିଙ୍କିଆରେ କଂଗ୍ରେସ ଟିମ, ଆହତଙ୍କୁ ଭେଟିଲେ ଚେଲ୍ଲାକୁମାର
ଭୁବନେଶ୍ୱର:ବହୁଚର୍ଚ୍ଚିତ ଢିଙ୍କିଆରେ ପୋଲିସର ବର୍ବରୋଚିତ ଆକ୍ରମଣ ଘଟଣାର ଅନୁଧ୍ୟାନ ପାଇଁ ପହଁଚିଲା କଂଗ୍ରେସ ଟିମ। କଂଗ୍ରେସର ଓଡ଼ିଶା ପ୍ରଭାରୀ ଡ. ଚେଲ୍ଲାକୁମାରଙ୍କ ନେତୃତ୍ୱରେ ପିସିସି ତଥ୍ୟ ଅନୁସଂଧାନ କମିଟି ଢ଼ିଙ୍କିଆ ଗସ୍ତ କରିଥିଲା ଶନିବାର। ପୋଲିସର ବର୍ବରୋଚିତ ଆକ୍ରମଣରେ ଶିକାର ହୋଇଥିବା ଆହତଙ୍କ ଘରକୁ ଯାଇଥିଲେ ଚେଲ୍ଲାକୁମାର ଓ ପିସିସି ଟିମ। ଆହତମାନଙ୍କୁ ଭେଟିba ସହ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ପିସିସି ଟିମ ଆଗରେ ଦୁଃଖ ବଖାଣିଲେ ଗ୍ରାମବାସୀମାନେ। ଅତ୍ୟନ୍ତ ଭୟଭୀତ ଅବସ୍ଥାରେ କାନ୍ଦି କାନ୍ଦି ପୋଲିସ ମାଡ଼ର ଚିହ୍ନ ଆଜି ପର୍ଯ୍ୟନ୍ତ ଲିଭିନାହିଁ ବୋଲି କହିଥିଲେ। ଲୋକେ ଅଭିଯୋଗ କରିଥିଲେ,ପୋଲିସର ଆତଙ୍କରାଜ, ଦୌରାତ୍ମ ଅତ୍ୟାଚାର ଅସହ୍ୟ ହେଲାଣି। ଲୋକଙ୍କ ସ୍ୱଭାବିକ ଜୀବନ, ଜୀବିକା ଓ ରୋଜଗାର ଆଦି ବିପନ୍ନ ହୋଇପଡ଼ିଲାଣି । ପୋଲିସର ଅତ୍ୟାଚାର ସୀମା ପାର କରିଛି। ଶହଶହ ଲୋକଙ୍କ ଉପରେ ମିଥ୍ୟା ମକଦ୍ଦମା କରାଯାଇ ତାଙ୍କୁ ଜେଲରେ ପୂରାଯାଇଛି । ଗୋଟେ ପରିବାରର ୫ଜଣଙ୍କୁ ଗିରଫ କରାଯାଇଛି ବୋଲି ସ୍ଥାନୀୟ ଲୋକେ ଜଣାଇଥିଲେ। କୋମଳମତି ଶିଶୁ, ମହିଳା, ବୃଦ୍ଧ-ବୃଦ୍ଧାଙ୍କ କରୁଣ କାନ୍ଦଣାର ଦୃଶ୍ୟ ଏବଂ ଲୋମହର୍ଷଣକାରୀ ଘଟଣାବଳୀର ପ୍ରତ୍ୟକ୍ଷ ବର୍ଣ୍ଣନା ଶୁଣି ଚେଲା କୁମାର ଅତ୍ୟନ୍ତ ଭାବବିହ୍ୱଳ ହୋଇଥିଲେ, ଗୋଟିଏ ଗଣତନ୍ତ୍ର ରାଷ୍ଟ୍ରରେ ପୋଲିସର ଏପରି ବର୍ବରୋଚିତ ଆକ୍ରମଣର ନିନ୍ଦା କରିଥିଲେ । ରାଜ୍ୟରେ ଚାଲିଥିବା ବିଜେଡି ସରକାର ସାଧାରଣ ଜନତାଙ୍କର ସରକାର ନୁହେଁ ବୋଲି ମତବ୍ୟକ୍ତ କରିଥିଲ । ଚେଲ୍ଲାକୁମାର କହିଥିଲେ, ସାଧାରଣ ଗରିବ ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବାପାଇଁ କଂଗ୍ରେସ କେନ୍ଦ୍ରରେ ସରକାରରେ ଥିବାବେଳେ ବହୁ ଆଇନ କରିଛି । ସେହି ଆଇନ ଆଇନ ଭିତରୁ ଜଙ୍ଗଲ ଆଇନ ହେଉଛି ଅନ୍ୟତମ । ୨୦୦୬ ମସିହାରେ ଜଙ୍ଗଲ ଆଇନ ହୋଇଥିଲା । ପୁରୁଷ ପୁରୁଷ ଧରି ଜଙ୍ଗଲରେ ଚଳିଆସୁଥିବା ଗରିବ ଲୋକଙ୍କର ଜମି ଉପରେ ପୂର୍ଣ୍ଣ ଅଧିକାର ରହିଛି ଏବଂ କୌଣସି ଉପାରେ ଜମି କେହି ଛଡାଇ ନେଇପାରିବେ ନାହିଁ ବୋଲି ଚେଲା କୁମାର କହିଥିଲେ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଢ଼ିଙ୍କିଆ ଘଟଣା ସଂପର୍କରେ ଅବଗତ ଅଛନ୍ତି ଏ ସଂପର୍କରେ ଆମେ ତାଙ୍କୁ ତଥ୍ୟ ପ୍ରଦାନ କରିବୁ ଏବଂ କଂଗ୍ରେସ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆଇନର ସହାୟତା ନେବ ବୋଲି ପ୍ରକାଶ କରିଥିଲେ । ଫୁଲଖାଇ ମନ୍ଦିର ପ୍ରାଙ୍ଗଣରେ ଗ୍ରାମବାସୀଙ୍କ ଦ୍ୱାରା ଏକ ସଭାରେ ଡ. ଚେଲା କୁମାର ଉକ୍ତ ବକ୍ତବ୍ୟ ରଖିଥିଲେ । ଏ ସଭାରେ କମିଟିର ଅଧ୍ୟକ୍ଷ ତଥା ବିଧାୟକ ଦଳ ନେତା ନରସିଂହ ମିଶ୍ର ଢ଼ିଙ୍କିଆ ଅଂଚଳରୁ ଅବିଳମ୍ବେ ପୋଲିସ ପ୍ରତ୍ୟାହାର କରାଯାଉ ଏବଂ ଯେଉଁ ଗ୍ରାମବାସୀମାନେ ଗିରଫ ହୋଇଛନ୍ତି, ତାଙ୍କୁ ଖଲାସ କରାଯିବା ସହ ଗ୍ରାମବାସୀଙ୍କ ନାମରେ ହୋଇଥିବା ମକଦ୍ଦମା ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ସେ କହିଥିଲେ ବର୍ଷ ବର୍ଷ ଧରି ଚଳିଆସୁଥିବା ଗରିବ ଲୋକମାନଙ୍କୁ ତାଙ୍କର ମୌଳିକ ଅଧିକାରରୁ ବଂଚିତ କରାନଯାଉ । କଂଗ୍ରେସ ଦଳ ଶିଳ୍ପପ୍ରତିଷ୍ଠାକୁ ବିରୋଧ କରେ ନାହିଁ, ଶିଳ୍ପ ପ୍ରତିଷ୍ଠା ହେଉ କିନ୍ତୁ ଗ୍ରାମବାସୀଙ୍କୁ ଧମକାଇ, ଡରାଇ, ବାଡ଼ାଇ, ଜୋରରଜବରଦସ୍ତ ତାଙ୍କର ଜମି ଛଡ଼େଇ ନେଇ ଶିଳ୍ପ ପ୍ରତିଷ୍ଠା କରାନଯାଉ । ସେ କହିଥିଲେ, ବହୁ ଜମି ରହିଛି ଯେଉଁଠି ସରକାର କାରଖାନା ପ୍ରତିଷ୍ଠା ବା ଶିଳ୍ପ ପ୍ରତିଷ୍ଠା କରାଯାଇ ପାରିବ କିନ୍ତୁ ଗୋଟିଏ ଜନବହୁଳ ଅଂଚଳରେ ଜୋରରଜବରଦସ୍ତ ଗରିବ ଲୋକଙ୍କ ଜମି ଛଡ଼ାଇ ତା ଉପରେ ଶିଳ୍ପ ପ୍ରତିଷ୍ଠା ନହେଉ । ସେ ମଧ୍ୟ ରାଜ୍ୟ ସରକାରଙ୍କର ଦୃଢ଼ ନିନ୍ଦା କରିଥିଲେ । କମିଟିର ଆବାହକ ତଥା ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ କହିଥିଲେ, କଂଗ୍ରେସ ଦଳ ଗରିବ ଲୋକଙ୍କ ସହିତ ସବୁବେଳେ ରହିଛି, ଆଗକୁ ମଧ୍ୟ ରହିବ । ତେଣୁ ଢ଼ିଙ୍କିଆ ଅଂଚଳବାସୀଙ୍କୁ ତାଙ୍କ ଅଧିକାର ଦେବାପାଇଁ ଆନ୍ଦୋଳନ ଜାରି ରଖିବ। ଏହି ଅବସରରେ ଆଜି ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମର ଟ୍ୟୁଟରଟ୍ରେଣ୍ଡ ଚାଲିଥିଲା ଯାହାକି ସାରା ଭାରତରେ ପଂଚମ ସ୍ଥାନରେ ରହିଛି । ଢ଼ିଙ୍କିଆ ଗସ୍ତରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ସଦସ୍ୟ ସର୍ବଶ୍ରୀ ରାମଚନ୍ଦ୍ର ଖୁଂଟିଆ, ଗଣେଶ୍ୱର ବେହେରା, ଡ. ଲଲାଟେନ୍ଦୁ ମହାପାତ୍ର, ନଟବର ବାରିକ, ଅରିନ୍ଦମ ସର୍ଖେଲ, ଅଭିଷେକ ମହାନନ୍ଦ, ଅଂଶୁମାନ ମହାନ୍ତି, ପିସିସି ମୁଖପାତ୍ର ମନୋଜ ମହାପାତ୍ର, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର, ପିସିସି ସଂପାଦକ ସୁବ୍ରତ ମହାପାତ୍ର, ବିପ୍ଳବ ଚୌଧୁରୀ, ସୁଭାଷ ଚନ୍ଦ୍ର ପ୍ରଧାନ, ଜଗତ ଜୀବନ ମହାନ୍ତି,ସୁବାଷ ଚନ୍ଦ୍ର ନାୟକ ହରପ୍ରସାଦ ବେହେରା ପ୍ରମୁଖ ସାମିଲ ଥିଲେ ।