ବାହା ହେବା ପାଇଁ ଦେବୀ ଚୋରି ପରମ୍ପରା
ବାହା ହେବା ପାଇଁ ଦେବୀ ଚୋରି ପରମ୍ପରା
admin
Apr 6, 2021 - 11:47
Updated: Apr 6, 2021 - 11:47
ମନ ପସନ୍ଦର ଜୀବନସାଥୀ ପାଇବା ପାଇଁ ଅନେକ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ଏବଂ ମାନସିକ କରୁଥିବାର ଜଣାଅଛି । ହେଲେ ବାହାଘର ପାଇଁ କେହି ଦେବୀଙ୍କୁ ବି ଚୋରି କରି ନେଇପାରନ୍ତି ବୋଲି ଭାବି ନଥିବେ । ରାଜସ୍ଥାନର ବୁନ୍ଦି ଜିଲ୍ଲା ଅନ୍ତର୍ଗତ ହିଣ୍ଡୋଲିଠାରେ ଏପରି ପରମ୍ପରା ପ୍ରଚଳିତ ରହିଛି । ପରମ୍ପରା ଅନୁସାରେ ଯେଉଁ ଯୁବକଙ୍କର ବାହାଘର ହୋଇପାରୁନଥିବ ସେ ରାମସାଗର ହ୍ରଦ କୂଳରେ ଥିବା ରାମନାଥ ଘାଟ ମନ୍ଦିରରୁ ଅନ୍ଧାର ରାତିରେ ଦେବୀ ପାର୍ବତୀଙ୍କ ମୂର୍ତ୍ତି ଚୋରି କରିନେଲେ ଯଥାଶୀଘ୍ର ତାଙ୍କର ବାହାଘର ହୋଇଯାଏ । ବାହାଘର ପରେ ଯୁବକ ପୁଣି ଦେବୀଙ୍କ ମୂର୍ତ୍ତି ଆଣି ମନ୍ଦିରରେ ରଖିଦିଅନ୍ତି । ଏହି ସମୟତକ ମହାଦେବଙ୍କୁ ଏକାକୀ ରହିବାକୁ ହୋଇଥାଏ । ଏବେ କରୋନା ସଂକ୍ରମଣ ଯୋଗୁଁ ବାହାଘର ହୋଇପାରୁନାହିଁ । ସେପଟେ କେହି ଜଣେ ଯୁବକ ଦେବୀଙ୍କ ମୂର୍ତ୍ତି ଚୋରି କରି ନେଇଯାଇଛନ୍ତି । ବାହାଘର ହୋଇପାରିନଥିବାରୁ ସେ ମୂର୍ତ୍ତି ଆଣି ଫେରାଇ ନାହାନ୍ତି । ତେଣୁ ମହାଦେବଙ୍କୁ ଦୀର୍ଘଦିନ ହେବ ଏକା ରହିବାକୁ ପଡିଛି । ଅବଶ୍ୟ ମା’ପାର୍ବତୀ ବାହାଘର ତିଥି ନଥିବା ବେଳେ ବର୍ଷକୁ ମାତ୍ର ମାସେ କି ଦୁଇ ମାସ ମନ୍ଦିରରେ ରହିପାରନ୍ତି । ନଚେତ ତାଙ୍କୁ ଏମିତି କେହି ବାହାଘର ସମସ୍ୟା ଭୋଗୁଥିବା ପାତ୍ର ଚୋରି କରି ନେଇଯାନ୍ତି । ଉକ୍ତ ଯୁବକଙ୍କ ସମ୍ପର୍କରେ ଜଣାପଡ଼ିଗଲେ ବି ତାଙ୍କୁ ଦଣ୍ଡବିଧାନ କରାଯାଏ ନାହିଁ ।