ବଢିଲା ତାତି

ବଢିଲା ତାତି

ବଢିଲା ତାତି
ଭୁବନେଶ୍ୱର: ସାରା ରାଜ୍ୟରେ ଆଜି ଅସହ୍ୟ ତାତି ଅନୁଭୂତି ହୋଇଛି । ରବିବାର ତୁଳନାରେ ଆଜି ସବୁଠି ପାରଦ ଉପରକୁ ଚଢିଛି । ୦.୨ ଡିଗ୍ରିରୁ ୧ ଡିଗ୍ରି ପର୍ଯ୍ୟନ୍ତ ତାତି ବଢିଛି । ଆସନ୍ତା ଦୁଇ ଦିନ ସ୍ଥିତି ସାଂଘାତିକ ହେବାକୁ ଯାଉଛି । ରାଜ୍ୟରେ ୨ ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତାତି ବଢିପାରେ । କେତେକ ସ୍ଥାନରେ ପାରଦ ୪୦ ଡିଗ୍ରି ଅତିକ୍ରମ କରିଯିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଶନିବାର ପୂର୍ବାନୁମାନ କରିଥିଲା ରବିବାରଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯିବ । ୫ ଦିନ ପର୍ଯ୍ୟନ୍ତ ଅସହ୍ୟ ଗରମ ହେବ । ଆଉ ଆଜି ଅଧିକାଂଶ ସ୍ଥାନରେ ପ୍ରାୟ ୧ ଡିଗ୍ରି ପାରଦ ବଢିବା ପରେ ଲୋକ ଖରାରେ ପୂରା ଅସ୍ତବ୍ୟସ୍ତ ହୋଇ ଯାଇଛନ୍ତି । ଆସନ୍ତା ଦୁଇ ଦିନ ୨ ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତାତି ବଢିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିବାରୁ ସ୍ଥିତି ସାଂଘାତିକ ହେବାର ସମ୍ଭାବନା ଦେଖାଦେଲାଣି । ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ମାଲକାନଗିରିରେ ଗତ କିଛି ଦିନ ଭଳି ଆଜି ବି ପାରଦ ୪୦ ଡିଗ୍ରିରେ ରହିଛି । ଏଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱର ଆଜି ଶନିାବର ତୁଳନାରେ ୧ ଡିଗ୍ରି ଅଧିକ ତାତି ରେକର୍ଡ ହୋଇଛି । ଆଜି ଭୁବନେଶ୍ୱରରେ ପାରଦ ୩୮.୭ଡିଗ୍ରି ଛୁଇଁଛି । ସେହିପରି ଅନୁଗୁଳରେ ଆଜି ୩୭.୧,କଟକରେ ୩୭.୬, ସୋନପୁରରେ ୩୫.୮,ତାଳଚୋରେ ୩୬.୧ ଡିଗ୍ରି ତାତି ରେକର୍ଡ ହୋଇଛି । ଯାହା ରବିବାର ତୁଳନାରେ ଅଧିକ ଥିଲା । ଆଜି କୌଣସି ସ୍ଥାନରେ ବି କାଳବୈଶାଖୀ ଜନିତ ବର୍ଷା ପବନ ହୋଇନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।