ବିଜେପି ଛାଡିବେ ସୁବାସ ଚୌହାନ: ସୋସିଆଲ ମଡିଆରେ ଅସନ୍ତୋଷ ପ୍ରକାଶ

ବିଜେପି ଛାଡିବେ ସୁବାସ ଚୌହାନ: ସୋସିଆଲ ମଡିଆରେ ଅସନ୍ତୋଷ ପ୍ରକାଶ

ବିଜେପି ଛାଡିବେ ସୁବାସ ଚୌହାନ: ସୋସିଆଲ ମଡିଆରେ ଅସନ୍ତୋଷ ପ୍ରକାଶ
ଭୁବନେଶ୍ୱର:ବରଗଡ ଲୋକସଭା ଟିକେଟ କଟିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁବାସ ଚୌହାନ । ସୋସିଆଲ ମିଡିଆରେ ଅସନ୍ତୋଷ ଜାହିର କରିଛନ୍ତି ସୁବାସ । ଅସନ୍ତୋଷକୁ ଲାଘବ କରିବା ଲାଗି ସୁବାସ ଚୌହାନଙ୍କୁ ଉପସଭାପତି କରିଛି ବିଜେପି, କିନ୍ତୁ ସୁବାସ ତାଙ୍କ ମନର ଅସନ୍ତୋଷ ପ୍ରକାଶ କରି ଲେଖିଛନ୍ତି, ମୁଁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରଚାରକ ଭାବରେ ଦୀର୍ଘ ୩୦ ବର୍ଷ ଧରି ରାଷ୍ଟ୍ରସେବା କରିବାର ସୁଯୋଗ ପାଇଛି । ପରେ ବିଜେପିରେ ଯୋଗଦାନ କରି ୨୦୧୪ର ଲୋକସଭା ନିର୍ବାଚନ ଲଢ଼ି ଓଡ଼ିଶାର ବିଜେପି ପ୍ରାର୍ଥୀ ମାନଙ୍କ ଭିତରେ ସର୍ବାଧିକ ୩,୭୨,୦୦୦ ଭୋଟ ଦେଇ ଲୋକେ ସମର୍ଥନ କଲେ । ମୁଁ ନିର୍ବାଚନ ହାରିଲା ପରେ ମଧ୍ୟ ଲଗାତାର ୫ବର୍ଷ ପରିଶ୍ରମ କରି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କର ସୁଖ ଦୁଃଖର ସାଥୀ ହେଲି । ବିଜେପିକୁ ସମର୍ଥନ ଦେବା ଲାଗି ବରଗଡ଼ବାସୀ ଏଥର ପ୍ରସ୍ତୁତ ହେଉଥିବା ବେଳେ ମୋର ବରଗଡ଼ ଟିକଟ କାଟି ଦିଆଗଲା। ଜନସାଧାରଣଙ୍କ ଭିତରେ ଏହାର ତୀବ୍ର ପ୍ରତିକ୍ରିୟା ତଥା ସମାଲୋଚନା ହେଲା। ଦଳର ବରିଷ୍ଠ ନେତାମାନେ ମୋର କାର୍ଯ୍ୟକର୍ତ୍ତା ତଥା ଜନତାଙ୍କୁ ଧମକ ଚମକ ଦେଲେ। ଯାହା ବି ହେଉ, ପାର୍ଟି ଚାପର ବଶବର୍ତ୍ତୀ ହୋଇ ମତେ ପ୍ରଦେଶ ଉପସଭାପତି ଦାୟିତ୍ୱ ଦେଲା ଏବଂ ବିଜେପୁର ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ନିର୍ଦ୍ଦେଶ ଦେଲା। କିନ୍ତୁ ବିଜେପୁରରେ ମୁଖ୍ୟମନ୍ତ୍ରୀ ଲଢ଼ୁଥିବା କାରଣରୁ ଧର୍ମେନ୍ଦ୍ରବାବୁଙ୍କ ଭଳି ଜଣେ ବିତ୍ତଶାଳୀ, ଶକ୍ତିଶାଳୀ ଲୋକ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲି। ଏଥିପାଇଁ ମତେ ଭୟଙ୍କର ଅପମାନ କରାଯାଇ ବିଜେପିରୁ ବାହାରି ଯିବାକୁ ଧମକ ଦିଆଗଲା। ମୁଁ ସମ୍ମାନ ରକ୍ଷା ସହିତ ସମସ୍ତ ପଦ ପଦବୀରୁ ଅବ୍ୟାହତି ଦେବାକୁ ରାଜ୍ୟ ସଭାପତିଙ୍କୁ ଜଣାଇ ଦେଇଛି ବୋଲି ସେ ଏହି ମେସେଜରେ ଦର୍ଶାଇଛନ୍ତି। ଏହାବାଦ ଏଥର କୌଣସି ନିର୍ବାଚନ ଲଢ଼ିବି ନାହିଁ ବୋଲି ଶ୍ରୀ ଚୌହାନ ଏହି ମେସେଜରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ତାଙ୍କ ସମର୍ଥକମାନେ ସୁବାସ ଶୀଘ୍ର ବିଜେପି ଛାଡ଼ିବେ ବୋଲି କହୁଛନ୍ତି।