କେନ୍ଦ୍ରରୁ ୨୯ ହଜାର କୋଟି କମ୍ ମିଳିଛି : କେନ୍ଦ୍ରୀୟ ଟିକସ ଭାଗ ବାବଦରେ ୨୭ ହଜାର କୋଟି କମିଲା

କେନ୍ଦ୍ରରୁ ୨୯ ହଜାର କୋଟି କମ୍ ମିଳିଛି : କେନ୍ଦ୍ରୀୟ ଟିକସ ଭାଗ ବାବଦରେ ୨୭ ହଜାର କୋଟି କମିଲା

କେନ୍ଦ୍ରରୁ ୨୯ ହଜାର କୋଟି କମ୍ ମିଳିଛି : କେନ୍ଦ୍ରୀୟ ଟିକସ ଭାଗ ବାବଦରେ ୨୭ ହଜାର କୋଟି କମିଲା
ଭୁବନେଶ୍ୱର: ଚତୁର୍ଦ୍ଦଶ ଅର୍ଥ କମିଶନ ଓଡ଼ିଶା ପାଇଁ ଯେତିକି ସୁପାରିଶ କରିଛନ୍ତି, କେନ୍ଦ୍ର ସରକାର ସେହି ପରିମାଣର ଅର୍ଥ ଅନୁଦାନ ଦେଇନାହାନ୍ତି । ବରଂ ଓଡ଼ିଶାକୁ ମିଳିବାକୁ ଥିବା ଅନୁଦାନକୁ କାଟି ଦେଇଛନ୍ତି । ୪ ବର୍ଷରେ କେନ୍ଦ୍ର ସରକାରଙ୍କ ଠାରୁ ୨୯ ହଜାର କୋଟି ଟଙ୍କା କମ ମିଳିଛି ଓଡ଼ିଶାକୁ । ଏ ନେଇ ବାରମ୍ବାର ବିଭିନ୍ନ ଫୋରମରେ ଦାବି ଜଣାଇଛନ୍ତି ଓଡ଼ିଶା । ବିଧାନସଭାରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ରଖିଥିବା ଉତ୍ତରରୁ ଏଭଳି ତଥ୍ୟ ପଦାକୁ ଆସିଛି । ପ୍ରଶ୍ନୋତ୍ତର କାଳରେ ଏ ସୂଚନା ଦେଇ ଅର୍ଥମନ୍ତ୍ରୀ ଦର୍ଶାଇଛନ୍ତି, ଚତୁର୍ଦ୍ଦଶ ଅର୍ଥ କମିଶନ ୨୦୧୫-୧୬ ରୁ ୨୦୧୯-୨୦ ମଧ୍ୟରେ କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶ ବାବଦରେ ମୋଟ ୧ ଲକ୍ଷ ୮୪ ହଜାର ୭୦ କୋଟି ଟଙ୍କା ସୁପାରିଶ କରିଥିଲେ । ଏଥିମଧ୍ୟରୁ ୨୦୧୫-୧୬ ରୁ ୨୦୧୮-୧୯ ପର୍ଯ୍ୟନ୍ତ ସୁପାରିଶ ପରିମାଣ ୧ ଲକ୍ଷ ୩୫ ହଜାର ୮୨୦ କୋଟି ଟଙ୍କା ଥିଲା । ମାତ୍ର କେନ୍ଦ୍ର ୧ ଲକ୍ଷ ୧୮ ହଜାର ୫୨୧ କୋଟି ଟଙ୍କା ଦେଇଛି । ଏ ବାବଦରେ ୧୭ ହଜାର ୨୯୯ କୋଟି ଟଙ୍କା କମ ମିଳିଛି । ପୁଣି ୨୦୧୯-୨୦ ବର୍ଷ ପାଇଁ ୪୮ ହଜାର ୨୫୦ କୋଟି ଟଙ୍କା ସୁପାରିଶ କରାଯାଇଥିଲା । ମାତ୍ର କେନ୍ଦ୍ର ସରକାର ୨୦୧୯-୨୦ ବଜେଟ ଆକଳନରେ ୩୭ ହଜାର ୫୬୦କୋଟି ଟଙ୍କାର ବ୍ୟବସ୍ଥା ରଖିଛନ୍ତି । ଯାହାକି ସୁପାରିଶ ପରିମାଣ ୧୦ ହଜାର ୬୯୦ କୋଟି ଟଙ୍କା କମ୍ । ପଞ୍ଚାୟତ ଗୁଡ଼ିକ ପାଇଁ କମିଶନ ମୋଟ ୭୯୬୫ କୋଟି ଟଙ୍କାର ଅନୁଦାନ ସୁପାରିଶ କରିଛନ୍ତି । ପ୍ରଥମ ଚାରି ବର୍ଷରେ ୫୫୭୭ କୋଟି ଟଙ୍କା ସମ୍ପୂର୍ଣ୍ଣ ଭାବରେ ମିଳିଛି । ମାତ୍ର ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥା ଗୁଡ଼ିକ ପାଇଁ ମୌଳିକ ଅନୁଦାନ କମିଛି । ଏ ବାବଦରେ ୨୦୧୮-୧୯ ପର୍ଯ୍ୟନ୍ତ ୪୭ କୋଟି ଟଙ୍କା କମ୍ ମିଳିଛି । ୨୦୧୯-୨୦ ବର୍ଷ ପାଇଁ ୪୨୫ କୋଟି ଟଙ୍କା ସୁପାରିଶ କରାଯାଇଥିବା ବେଳେ ପ୍ରଥମ କିସ୍ତିରେ ୨୧୩ କୋଟି ଟଙ୍କା ମିଳିବା କଥା । ମାତ୍ର କେନ୍ଦ୍ର ସରକାର ୨୮ କୋଟି ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଚତୁର୍ଦ୍ଦଶ ଅର୍ଥ କମିଶନ ୨୦୧୬-୧୭ ରୁ ୨୦୧୯-୨୦ ମଧ୍ୟରେ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ଓ ସହରାଞ୍ଚଳ ସ୍ୱାୟତ୍ତ ଶାସନ ମାନଙ୍କ ଲାଗି ସମ୍ପାଦନ ଭିତ୍ତିକ ଅନୁଦାନ ବାବଦରେ ଯଥାକ୍ରମେ ୮୮୫ କୋଟି ଟଙ୍କା ୩୫୫ କୋଟି ଟଙ୍କା ସୁପାରିଶ କରିଛନ୍ତି । ଏଥିରୁ ୨୦୧୮-୧୯ ସୁଦ୍ଧା ୫୯୩ କୋଟି ଟଙ୍କା ମିଳିଥିବା କଥା, ମିଳିଛି ୧୭୪ କୋଟି । ଏ ବାବଦକୁ ୪୧୯ କୋଟି ଟଙ୍କା କମ୍ ମିଳିଛି । ସେହିପରି ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାମାନଙ୍କ ପାଇଁ ୨୦୧୬-୧୭ ରୁ ୨୦୧୮-୧୯ ପର୍ଯ୍ୟନ୍ତ ୨୩୮ କୋଟି ଟଙ୍କା ମିଳିବାକୁ ଥିବା ବେଳେ ୨୦୧୬-୧୭ ବର୍ଷ ପାଇଁ ୬୮ କୋଟି ଟଙ୍କା ମିଳିଛି । ୨୦୧୭-୧୮ ଓ ୨୦୧୮-୧୯ ପାଇଁ ଏ ଅନୁଦାନ ମିଳିନି । ଏ ବାବଦରେ ୨୭୦ କୋଟି ଟଙ୍କା କମ୍ ମିଳିଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରେ ୨୦୧୫-୧୬ ରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଅଂଶ ବାବଦରେ ୩୭୧୮ କୋଟି ଟଙ୍କା ଅନୁଦାନ ସୁପାରିଶ କରିଛନ୍ତି । ଏଥିରୁ ୨୦୧୫-୧୬ରୁ ୨୦୧୮-୧୯ ପର୍ଯ୍ୟନ୍ତ ୩୫୫ କୋଟି ଟଙ୍କା କମ୍ ମିଳିଛି । ସେହିପରି ୨୦୧୯-୨୦ ବର୍ଷ ପାଇଁ କେନ୍ଦ୍ରୀୟ ଅଂଶ ୮୧୮ କୋଟି ଟଙ୍କା ଥିବା ବେଳେ ୫୫୨ କୋଟି ଟଙ୍କା ମିଳିଛି । ଏ ବାବଦରେ ମଧ୍ୟ ୨୬୬ କୋଟି ଟଙ୍କା କମ୍ ମିଳିଛି । ମୋଟ ଉପରେ ୬୨୧ କୋଟି ଟଙ୍କା କମ୍ ମିଳିଛି ଓଡ଼ିଶାକୁ ।