ବଢ଼ୁଛି ତାତି
ବଢ଼ୁଛି ତାତି
admin
Feb 17, 2020 - 08:50
Updated: Feb 17, 2020 - 08:50
ଭୁବନେଶ୍ୱର : ବଢ଼ୁଛି ତାତି । ରାଜ୍ୟର ଅଧିକାଂଶ ସହରରେ ଦିନର ତାପମାତ୍ରା ଇତି ମଧ୍ୟରେ ୩୦ ଡିଗ୍ରି ଟପିଗଲାଣି । ଏପରିକି ମାଲକାନଗିରି ଓ ପାରଳାଖେମୁଣ୍ଡି ସହରରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଉପରକୁ ଚାଲିଯାଇଥିବା ବେଳେ ଟିଟିଲାଗଡ଼ ତାପମାତ୍ରା ୩୪ ଡିଗ୍ରି ପାର ହୋଇଛି । ଏଣିକି ପ୍ରତିଦିନ ତାପମାତ୍ରା ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଆସନ୍ତା ୨ରୁ ୩ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତ୍ତନ ଆସିବ ନାହିଁ । ତେବେ ଦିନର ତାପମାତ୍ରା ବଢ଼ିବ । ଏହି ସମୟ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବ । ଉପକୂଳ ଓଡ଼ିଶାରେ କୁହୁଡ଼ି ପରିମାଣ ଅଧିକ ରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କୁହୁଡ଼ି ହେବାକୁ ଥିଲେ ମଧ୍ୟ ଦିନର ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଉଛି ଯେ ଆସନ୍ତା ୧୮ ତାରିଖ ଯାଏ ଥଣ୍ଡା ପ୍ରବାହ ଜାରି ରହିବ । ତେବେ ଦିନର ତାପମାତ୍ରା ବଢ଼ିବ ଓ ୨୦ ତାରିଖରେ ଚଳିତବର୍ଷର ସବୁଠାରୁ ଅଧିକ ଗରମ ଅନୁଭୂତ ହେବ । ଏବେ ରାଜ୍ୟକୁ ବହୁଥିବା ଉତ୍ତରା ପଶ୍ଚିମା ଥଣ୍ଡା ପବନ ୧୮ ତାରିଖ ଯାଏ ଜାରି ରହିବ । ଏହା ପରେ ପାଗରେ ପରିବର୍ତ୍ତନ ଆସିବ ଓ ପବନର ଦିଗ ବଦଳିବ । ଅଧିକାଂଶ ସ୍ଥାନରେ ଦକ୍ଷିଣ ଓ କିଛି ସ୍ଥାନରେ ଦକ୍ଷିଣପୂର୍ବ ପବନ ପ୍ରବାହିତ ହେବ । ତେଣୁ ଦିନର ତାପମାତ୍ରା ବଢ଼ିବ । ୧୯ ଓ ୨୦ ତାରିଖ ଭିତରେ ୨ ଡିଗ୍ରି ବଢ଼ିପାରେ । ୧୮ ତାରିଖ ପରେ ସର୍ବନିମ୍ନ ତାପମାତ୍ରା ଲଗାତାର ବୃଦ୍ଧି ପାଇବ । କୋରାପୁଟ, କଳାହାଣ୍ଡି, ବୌଦ୍ଧ, ସୋନପୁର, ବଲାଙ୍ଗୀର, କନ୍ଧମାଳ, ବରଗଡ଼ ଆଦି ଜିଲ୍ଲାରେ ୨୦ ତାରିଖ ସୁଦ୍ଧା ୬ ଡିଗ୍ରି ଯାଏ ବଢ଼ିବାର ସମ୍ଭାବନା ରହିଛି ।