ପ୍ରବଳ ଗ୍ରୀଷ୍ମ ପ୍ରବାହ, ପାଉଚ ପାଣିର ଚାହିଦା ବଢୁଛି

ପ୍ରବଳ ଗ୍ରୀଷ୍ମ ପ୍ରବାହ, ପାଉଚ ପାଣିର ଚାହିଦା ବଢୁଛି

ପ୍ରବଳ ଗ୍ରୀଷ୍ମ ପ୍ରବାହ, ପାଉଚ ପାଣିର ଚାହିଦା ବଢୁଛି
କନ୍ଧମାଳ : ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ପାଖାପାଖି ପହଂଚିଲାଣି । ଅସହ୍ୟ ଗରମ ଯୋଗୁଁ ଲୋକେ ବ୍ୟତିବ୍ୟସ୍ତ । ଯେତେ କାମ ଥିଲେ ମଧ୍ୟ ଖରାତାତି ଯୋଗୁଁ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି । ଏପରିସ୍ଥଳେ ଯେଉଁମାନେ ବିଭିନ୍ନ କାର୍ଯ୍ୟରେ ବାହାରକୁ ବାହାରୁଛନ୍ତି ସେମାନଙ୍କୁ ଶୋଷ ହେଲେ ପ୍ରାୟତଃ ଥଣ୍ଡା ପାଉଚପାଣି ଉପରେ ନିର୍ଭର କରନ୍ତି । ପାଉଚପାଣି ପ୍ୟାକେଟ ଏବେ ୨ଟଙ୍କା । ମାତ୍ର ଶହେ ଏମଏଲ ପାଣିକୁ ୨ଟଙ୍କା, ଲିଟର ୨୦ ଟଙ୍କା । ତଥାପି ଲୋକେ ପିଇବାକୁ ବାଧ୍ୟ ହେଉଛନ୍ତି । କାରଣ ସହରରେ ହେଉ କିମ୍ବା ଗ୍ରାମାଂଚଳରେ ହେଉ ଆବଶ୍ୟକ ସଂଖ୍ୟକ ନଳକୂପ ନାହିଁ ଯେଉଁଠି ଅଛି ସେସବୁ ଅଚଳ । ସ୍ୱଚ୍ଛ ପାନୀୟଜଳର ବ୍ୟବସ୍ଥା ନାହିଁ । ଏଣୁ, ପାଉଚ ପାଣିକୁ ସ୍ୱଚ୍ଛ ଭାବି ୨ଟଙ୍କା ଦେଇ ପିଉଛନ୍ତି ଲୋକେ । ହାଟ, ବଜାର, ପାନଦୋକାନ ସବୁଠି ସେୟା । ବାହାଘର, ବିଭିନ୍ନ ସଭାସମିତିରେ ମଧ୍ୟ ପାଉଚପାଣି ପ୍ୟାକେଟ୍ ର ବ୍ୟବହାର ବଢିଛି । ପାଣି ପାଉଚର ବିକ୍ରୀ ଜିଲ୍ଲାରେ ଏଭଳି ଭାବରେ ବୃଦ୍ଧି ପାଉଛି ଯେ, ସବୁଠି ମିଳୁଛି ପାଣି ପାଉଚ । ଆମେ ଯେଉଁ ପାଉଚ ପିଉଛୁ ତାହା କେତେ ଶୁଦ୍ଧ ତା’ର ଗୁଣାବତା ଜାଣିବା ପାଇଁ ଲୋକଙ୍କ ପକ୍ଷେ କିମ୍ବା ପ୍ରଶାସନର ସମୟ ନାହିଁ । କେବେ ମଧ୍ୟ ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଯାଂଚ କରାଯାଉନାହିଁ । ଏହି ସୂତ୍ରରୁ ପ୍ରକାଶ ଯେ, ଯେଉଁ ପ୍ଲାଷ୍ଟିକ ପ୍ୟାକେଟରେ ପାଣି ଭର୍ତି କରାଯାଉଛି ତାହା ସ୍ୱାସ୍ଥ୍ୟପକ୍ଷେ କେତେ ହିତକର, ସେହି ପାଣି ପ୍ୟାକିଂ ହୋଇଥିବା ତାରିଖର କିଛି ଠିକ ଠିକଣା ନାହିଁ, ସେଥିରେ ବ୍ୟାଚ ନମ୍ବର, ଆଇଏସଆଇ ମାର୍କ, ପ୍ରସ୍ତୁତି ତାରିଖ, ଏକ୍ସପାଇରୀ ତାରିଖ ସଂପର୍କରେ ଜାଣିବା ପାଇଁ କାହାରି ଆଗ୍ରହ ନାହିଁକି ସମୟ ମଧ୍ୟ ନାହିଁ । ଶୋଷ ବିକଳରେ ଆଗ ତାକୁ ଖୋଲି ପିଇଚାଲ, ପରେ ଯାହା ହେବ ଦେଖାଯିବ । ଏତ ଗଲା ତୃଷାର୍ତଙ୍କ କଥା ହେଲେ ପ୍ରଶାସନ ମଧ୍ୟ ସେଥିରେ କିଛି କରିବାର ନାହିଁ ଲୋକେତ ପିଉଛନ୍ତି ଯାଂଚର ଆବଶ୍ୟକତା କ’ଣ । ଏହି ପାଉଚପାଣି ପ୍ୟାକିଙ୍ଗ ହେବାପରେ କେତେଦିନ ପରେ ଓ କେଉଁ ଅବସ୍ଥାରେ ଗ୍ରାହକ ପାଖରେ ପହଂଚୁଛି କିଛି ଠିକ ଠିକଣା ନାହିଁ ସେଥିପାଇଁ ଅନେକ ସମୟରେ ପାଉଚ ପାଣି ଭିତରେ ମଇଳା ଭାସୁଥିବାର ଦେଖିବାକୁ ମିଳୁଛି । ଅସହ୍ୟ ଗରମ ଯୋଗୁଁ ସେଥିରେ ରାସାୟନିକ ପ୍ରତିକ୍ରୀୟା ହୋଇ ପ୍ଲାଷ୍ଟିକ ଗନ୍ଧ ବାହାରୁଛି ।ଯାହାର ପରିଣାମ ସ୍ୱରୁପ ସେହି ପାଣି ପଇଲେ ଜଣ୍ଡିସ ଭଳି ନାନା ପ୍ରକାରର ଭୟଙ୍କର ରୋଗ ମଧ୍ୟ ହେବାର ସମ୍ଭବନା ରହିଛି ବୋଲି ବିଶେଷଜ୍ଞ ମାନେ ମତ ଦିଆନ୍ତି । ବିଶେଷତଃ ଛୋଟଛୋଟ ପିଲାମାନଙ୍କ ପାଇଁ ଏହା ଘାତକ ଅଟେ । କିନ୍ତୁ ଅଧିକାଂଶ ଗ୍ରାମାଂଚଳର ଲୋକେ ୨ଟଙ୍କା ଟିଏ ବଢାଇଦେଇ ମହାଆନନ୍ଦରେ ଥଣ୍ଡା ପାଣି ପାଉଚଟି ପିଇ ଥାଆନ୍ତି । ପାଣି ପାଉଚ ପ୍ରସ୍ତୁତକର୍ତା ମଧ୍ୟ ଚାହିଦାକୁ ଦେଖି ମନଇଚ୍ଛା କୂଅ, ପୋଖରୀରୁ ପମ୍ପ ଲଗାଇ ପାଣି ଆଣି ସିଧାସଳଖ ପାଉଚରେ ଭର୍ତିକରି ବିକ୍ରୀ କରି ମାଲେମାଲ ହେଉଥିବା ଦେଖାଯାଉଛି । ପ୍ରାୟତଃ ପାଣି ପାଉଚରେ ଆଇଏସଆଇ ମାର୍କ ନାହିଁ । ଦର ଲେଖା ଯାଉନାହିଁ, ଏକ୍ସପାଇରୀ ଡେଟ୍ ନାହିଁ । ତେବେ, ଏସବୁ ବୁଝିବାକୁ ବା ଦେଖିବାକୁ କିଏ ନାହିଁ । ଜଣେ ଭେଷଜ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ନିମ୍ନମାନର ପଲିଥିନରେ ପ୍ରସ୍ତୁତ ପାଣି ପାଉଚ ଯୋଗୁଁ ମୁଖ୍ୟତଃ ପେଟରୋଗ ବ୍ୟାପିବାର ସମ୍ଭାବନା ଯଥେଷ୍ଟ ରହିଛି । ଏହାବ୍ୟତିତ ସ୍ଥାନୀୟ ପାଣି ପାଉଚ କଂପାନୀରେ କାମ କରୁଥିବା କର୍ମଚାରୀ ଓ ବିକ୍ରେତା ନାମ ଗୋପନରଖି ପ୍ରକାଶ କରିଛନ୍ତି ଯେ, ପ୍ରକୃତରେ ଯେଉଁ ପ୍ରଣାଳୀରେ ଯେତେଥର ବିଶୋଧିତ ହୋଇ ପାଉଚପାଣି ପ୍ରସ୍ତୁତ ହେବାକଥା ତାହା ହେଉନାହିଁ । ଅଧିକାଂଶ ପ୍ଲାଂଟରେ ବିଶୋଧନ ପାଇଁ ଲାଗିଥିବା ଯନ୍ତ୍ରପାତି ଅକାମୀ ହୋଇପଡିଛି । ନିୟମ ପ୍ରକାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଉଚ ପାଣି ବିକ୍ରୀ କରୁଥିବା ଗୋଦାମ ଓ ଦୋକାନ ଉପରେ ଚଢାଉ କରି ପାଣି ଗୁଡିକର ମାନ ଯାଂଚ ପାଇଁ ଲାବରୋଟୋରୀକୁ ପଠାଇ ଟେଷ୍ଟ କରାଯିବା କଥା । ତେବେ, କିଛି ଅସାଧୁ କର୍ମଚାରୀ ଓ ଅଫିସର ପ୍ରତି ମାସରେ ମୋଟା ଅଙ୍କର ଲାଂଚ ନେଇ ଘଟଣା ପ୍ରତି ଆଖି ବୁଜି ଦେଉଥିବା ଅଭିଯୋଗ ହେଉଛି । ତେବେ, ପଇସା ଦେଇ ପାଣି ପିଇ ଲୋକେ ସେମାନଙ୍କର ଅଜାଣତରେ ରୋଗ କିଣୁଛନ୍ତି ଓ ଅଜାଣତରେ ମୃତ୍ୟୁମୁହଁକୁ ଟାଣି ହୋଇଯାଉଥିବା ବେଳେ ଜିଲ୍ଲାରେ ଥିବା ଫୁଡ ଇନିସ୍ପେକ୍ଟର ଏହି ସବୁ ବିଷୟରେ ଜାଣି ମଧ୍ୟ ଏହାକୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।