ବିଜୁ ପଟ୍ଟନାୟକ କ୍ରୀଡ଼ା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ
ବିଜୁ ପଟ୍ଟନାୟକ କ୍ରୀଡ଼ା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ
admin
Aug 29, 2019 - 09:55
Updated: Aug 29, 2019 - 09:55
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ କ୍ରୀଡ଼ା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କରିଛନ୍ତି । କ୍ରୀଡ଼ା ପାଇଁ ପାରା ବ୍ୟାଡମିଣ୍ଟନରେ ବିଶ୍ୱ ଚମ୍ପିଆନସିପ ହାସଲ କରିଥିବା ପ୍ରମୋଦ ଭଗତ ଏବଂ ସାହସିକତାରେ ବନ୍ଧୁଙ୍କୁ ଦୁର୍ଘଟଣାରେ ବଞ୍ଚାଇଥିବା ଅନୁଗୁଳର ଛୋଟ ଝିଅ ଶ୍ରୀମତୀ ଭଦ୍ରାଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଛି । ଉଭୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଛି ।
ଏହି ଅବସରରେ ଉପସ୍ଥିତ କ୍ରୀଡ଼ାବିତ ଓ କ୍ରୀଡ଼ାପ୍ରେମୀମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ପ୍ରତିଭାବାନ ଖେଳାଳୀମାନେ ବିଭିନ୍ନ ଜାତୀୟ ଓ ଅନ୍ତଜାତୀୟସ୍ତରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରୁଛନ୍ତି । ସେମାନଙ୍କ ସଫଳତା ଓ କ୍ରୀଡ଼ା ପାଇଁ ଅବଦାନ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବ ।
ଭୁବନେଶ୍ୱର ବର୍ତ୍ତମାନ ଧୀରେ ଧୀରେ ଦେଶର କ୍ରୀଡ଼ା ରାଜଧାନୀ ଭାବରେ ପ୍ରତିଷ୍ଠା ହାସଲ କରୁଛି । କ୍ରୀକ୍ଷା ପରିଚାଳନାରେ ଏହା ଅନ୍ତର୍ଜାତୀୟ ସ୍ୱୀକୃତି ପାଇଛି । ଏସିଆନ ଆଥଲେଟିକସ ଚମ୍ପିଆନସିପ, ପୁରୁଷ ହକି ବିଶ୍ୱ ଲିଗ ଫାଇନାଲ ଓ ପୁରୁଷ ହକି ବିଶ୍ୱ କପର ସଫଳ ଆୟୋଜନ ପରେ ଏବେ ୧୭ ବର୍ଷ ବୟସରୁ କମ ମହିଳା ହକି ବିଶ୍ୱ କପ କ୍ରୀଡ଼ା ଆୟୋଜନର ଆଶା ଉଜ୍ୱଳ ହୋଇଛି । କ୍ରୀଡ଼ା ଆକାଶରେ ଭୁବନେଶ୍ୱର ଏବେ ଏକ ଉଜ୍ୱଳ ତାରକା ଭାବେ ସୁନାମ ଅର୍ଜନ କରିଛି । ବିଭିନ୍ନ କ୍ରୀଡ଼ା କ୍ଷେତ୍ର ଯଥା ଆଥଲେଟିକସ, ଫୁଟବଲ, ଟେନିସ, ବ୍ୟାଡମିଣ୍ଟନ ଓ ଅନ୍ୟାନ ଖେଳରେ ଯୁବ ପ୍ରତିଭାମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ପ୍ରତିଷ୍ଠିତ ପ୍ରଶିକ୍ଷଣ ଅନୁଷ୍ଠାନମାନଙ୍କ ସହିତ ସହବନ୍ଧନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ତୁଷାରକାନ୍ତି ବେହେରୀ, ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ ନାୟକ, କ୍ରୀଡ଼ା ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ ଓ ନିଦେ୍ର୍ଧଶକ ଭିଲିନ କ୍ରିଷ୍ଣନ ପ୍ରମୁଖ ଉପସ୍ଥିତ ଥିଲେ ।