ଆନ୍ଦୋଳନକୁ ଓହ୍ଲାଇଲେ ଜିଏମ୍ କଲେଜ ଛାତ୍ରଛାତ୍ରୀ
ଆନ୍ଦୋଳନକୁ ଓହ୍ଲାଇଲେ ଜିଏମ୍ କଲେଜ ଛାତ୍ରଛାତ୍ରୀ
admin
Oct 19, 2019 - 11:57
Updated: Oct 19, 2019 - 11:57
ସମ୍ବଲପୁର: ଆଠ ଜଣ ଅଧ୍ୟାପକଙ୍କ ବଦଳିକୁ ବରୋଧ କରି ଗଙ୍ଗାଧର ମେହେର ଜୁନିୟର କଲେଜରେ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଶହ ଶହ ଛାତ୍ରଛାତ୍ରୀ ସହରର ମୁଖ୍ୟ ପ୍ରବେଶ ପଥ ଜିଏମ୍ ଛକ ନିକଟରେ ଏକତ୍ରିତ ହୋଇ ଶୋଭାଯାତ୍ରା କରିବା ସହ ଧାରଣାରେ ବସିଛନ୍ତି। ଶନିବାର ସକାଳ ୮ଟାରେ ଛାତ୍ରଛାତୀଙ୍କ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ସମୟକ୍ରମେ ଏହା ଉଗ୍ର ରୂପ ଧାରଣ କରିଛି। ସୁରକ୍ଷାକର୍ମୀମାନେ ଆନ୍ଦୋଳନକାରୀଙ୍କ କାର୍ୟ୍ୟକଳାପ ଉପରେ କଡା ନଜର ରଖିଥିଲେ ମଧ୍ୟ ଅଳ୍ପ କିଛି ସମୟ ପାଇଁ ପୁଲିସ ଓ ଛାତ୍ରଛାତ୍ରୀ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଏଭଳି ପରିସ୍ଥିତିରେ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । କଲେଜ ଅଧ୍ୟକ୍ଷ ଛୁଟିରେ ଚାଲିଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗଙ୍ଗାଧର ମେହେର ଜୁନିୟର କଲେଜରେ କିଛି ଦିନ ତଳେ ୮ ଜଣ ଅଧ୍ୟାପକଙ୍କୁ ବଦଳ କରାଯାଇଥିଲା। ଗୋଟିଏ ପଟେ ଅଧ୍ୟାପକ ସଂଖ୍ୟା କମ ରହିଥିବା ବେଳେ ଅନ୍ୟପଟରେ ୮ ଜଣ ଅଧ୍ୟାପକଙ୍କୁ ବଦଳି କରାଯିବାକୁ ନେଇ ଛାତ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ପରେ ଏନେଇ କଲେଜ ଛାତ୍ରଛାତ୍ରୀ ଜିଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ସମସ୍ୟାର ସମାଧାନ ବାଟ ନବାହାରିବାରୁ ଶେଷରେ ବାଧ୍ୟ ହୋଇ ଛାତ୍ରଛାତ୍ରୀମାନେ ଆଜି ରାଜରାସ୍ତକୁ ଓହ୍ଲାଇଛନ୍ତି ।