ପୌର ଭୋଟକୁ ଡରୁଛନ୍ତି ସରକାର

ପୌର ଭୋଟକୁ ଡରୁଛନ୍ତି ସରକାର

ପୌର ଭୋଟକୁ ଡରୁଛନ୍ତି ସରକାର


ଭୁବନେଶ୍ୱର: ୨୧ ବର୍ଷର ଶାସନ । ବିଧାନସଭାରେ ୧୧୪ ଆସନ । ତଥାପି ପୌର ନିର୍ବାଚନକୁ ଡରୁଛି ବିଜେଡି ସରକାର । ବିଭିନ୍ନ ବାହାନା ଦେଖାଇ ପୌର ନିର୍ବାଚନକୁ ଟାଳି ଚାଲିଛନ୍ତି ସରକାର । ୧୧୨ ପୌରାଞ୍ଚଳରେ ଜନପ୍ରତିନିଧି ନଥିଲେ ମଧ୍ୟ ସରକାର ପୌର ନିର୍ବାଚନ କରିବାକୁ ଏବେ ଚାହୁଁନାହାନ୍ତି । ବରଂ ତା’ ଆଗରୁ ପଂଚାୟତ ନିର୍ବାଚନ କରିବାକୁ ସଜବାଜ ହେଲାଣି ପ୍ରଶାସନ । ବିରୋଧୀ କହୁଛନ୍ତି, ସରକାର ପୌର ଭୋଟକୁ ଡରୁଛନ୍ତି । ପ୍ରଥମେ ପୌର ନିର୍ବାଚନ କଲେ ସରକାରଙ୍କୁ ପରାଜୟ ଡର ଘାରୁଛି । ସରକାରଙ୍କ କାର୍ଯ୍ୟକଳାପ ବି ବିରୋଧୀଙ୍କ ଅଭିଯୋଗକୁ ବଳ ଦେଉଛି ।

  ୨୦୧୮ ସେପ୍ଟେମ୍ବରରୁ ୬୫ଟି ପୌର ସଂସ୍ଥା କାର୍ଯ୍ୟକାଳ ପୂରିଗଲାଣି । ତା’ପରେ ପର୍ଯ୍ୟାୟକ୍ରମେ ଆଉ ୪୭ଟି ପୌର ସଂସ୍ଥା କାର୍ଯ୍ୟକାଳ ସରିଯାଇଛି । କେବଳ ଢେଙ୍କାନାଳର ହିନେ୍ଦାଳ ଓ ବରଗଡ଼ର ଅତାବିରା ପୌରସଂସ୍ଥାକୁ ଛାଡ଼ିଦେଲେ ରାଜ୍ୟର ବାକି ୧୧୨ଟି ପୌରସଂସ୍ଥାରେ ନିର୍ବାଚିତ ଜନପ୍ରତିନିଧି ନାହାନ୍ତି । ଅଫିସରଙ୍କ ହାତରେ ଚାଲିଛି ପୌର ସଂସ୍ଥା । ଅପରପକ୍ଷରେ ୨୦୧୭ରେ ପଂଚାୟତ ନିର୍ବାଚନ ହୋଇଥିବାବେଳେ ଆସନ୍ତା ମାର୍ଚ୍ଚ ୧୦ରେ ୬୮୦୦ ପଂଚାୟତର କାର୍ଯ୍ୟକାଳ ସରିବ । ଏହି ହିସାବରେ ପ୍ରଥମେ ପୌର ସଂସ୍ଥା ପାଇଁ ନିର୍ବାଚନ ହେବା କଥା । ହେଲେ ସରକାର ବିପରୀତ ଦିଗରେ ଗତି କରି ପ୍ରଥମେ ପଂଚାୟତ ନିର୍ବାଚନ କରାଇବାକୁ ଲାଗିଛନ୍ତି । ଏବେ ସରିଥିବା ବିଧାନସଭାର ମୌସୁମୀ ଅଧିବେଶନରେ ପୌର ସଂରକ୍ଷଣ ସୀମା ୫୦% ରଖିବା ନେଇ ପ୍ରଥମେ ବିଲ୍ ପାରିତ ହେଲା । ତା’ପରେ ପଂଚାୟତ ସମ୍ପର୍କିତ ବିଲ୍ ପାସ୍ ହେଲା । ହେଲେ ଇତିମଧ୍ୟରେ ପଂଚାୟତ ବିଲ୍ରେ ରାଜ୍ୟପାଳଙ୍କ ମୋହର ବାଜିସାରିଛି । ଖାଲି ସେତିକି ନୁହେଁ, ପଂଚାୟତ ଭୋଟ ଗଣତି କେମିତି ହେବ, ସେ ନେଇ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିସାରିଲେଣି । ସରକାରଙ୍କ ପ୍ରସ୍ତୁତିରୁ ସ୍ପଷ୍ଟ-ସରକାର ପ୍ରଥମେ ପଂଚାୟତ ନିର୍ବାଚନ କରିବାକୁ ଯାଉଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଓ ବିଜେପିର ପଂଚାୟତ ଓ ଜିଲ୍ଲା ପରିଷଦସ୍ତରୀୟ ନେତାଙ୍କୁ ଦଳକୁ ଆଣିବା ପାଇଁ ବିଜେଡି ଜୋର ଲଗାଇ ଦେଇଛି । 

   ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ବିଜେପିର ସଂଗଠନ ବେଶି ମଜବୁତ । ଏହାସହ ସହରରେ ବିଜେପିର ଭୋଟ ହାର ବେଶ୍ ଭଲ । ଅପରପକ୍ଷରେ ବିଜେଡି ସ୍ଥିତି ଗ୍ରାମାଞ୍ଚଳରେ ବେଶ୍ ମଜବୁତ ରହିଛି । ବିଜେପି ନେତାଙ୍କ ଯୁକ୍ତି ହେଲା-ସହରରେ ଦୀର୍ଘଦିନ ହେବ ନିର୍ବାଚନ ହୋଇନଥିବାରୁ ଶାସକ ବିଜେଡିରେ ଗୋଷ୍ଠୀ କନ୍ଦଳ ବେଶ୍ ତେଜିଗଲାଣି । ଯେହେତୁ ଏଣିକି ମେୟର ଓ ପୌର ଅଧ୍ୟକ୍ଷ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବ, ତେଣୁ ବିଜେଡିକୁ ବେଶି ଡର ଲାଗୁଛି । ନେତାଙ୍କ ସଂଖ୍ୟା ଅଧିକ ଥିବାରୁ ମେୟର ଏବଂ ପୌର ଅଧ୍ୟକ୍ଷ ପଦବୀ ପାଇଁ ବିଜେଡିରେ ଆଶାୟୀ ତାଲିକା ବେଶ୍ ଲମ୍ବା । ବର୍ଷ ବର୍ଷ ଧରି ସେମାନଙ୍କ ଭିତରେ ଛକାପଞ୍ଝା ଲାଗିଛି । ଯାହାକୁ ଟିକେଟ ନ ମିଳିବ, ସେ ବିଦ୍ରୋହୀ ହେବା ଥୟ । ଅପରପକ୍ଷରେ ବିରୋଧୀ ବିଜେପି ହେଉ କି କଂଗ୍ରେସ, ଏସବୁ ପଦବୀ ପାଇଁ ସେମାନଙ୍କର ଆଶାୟୀ ସଂଖ୍ୟା କମ୍ । ବଡ଼ ସମସ୍ୟା ହେଲା-କର୍ପୋରେଟର ଓ କାଉନସିଲରଙ୍କ ଦ୍ୱାରା ମେୟର/ପୌରାଧ୍ୟକ୍ଷ ନିର୍ବାଚିତ ହେଉଥିଲେ ବିଜେଡି ପାଇଁ ସମସ୍ୟା ନଥିଲା । ହେଲେ ନୂଆ ନିୟମ ଆଧାରରେ ପ୍ରତ୍ୟକ୍ଷ ନିର୍ବାଚନ ହେଲେ ବିରୋଧୀ ବି କଡ଼ା ଟକ୍କର ଦେବେ । 

  ମହାନଗର ନିଗମ ଅଞ୍ଚଳରେ ବିଜେଡି ପାଇଁ ସମସ୍ୟା ବେଶି । ଲଗାତାର ସମସ୍ତ ମହାନଗର ନିଗମକୁ ଦଖଲ କରି ଆସୁଥିବା ବିଜେଡି ପାଇଁ ଏଥର ଚାଲେଞ୍ଜ ସହଜ ନୁହେଁ । ଭୁବନେଶ୍ୱରରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରଭାବ ଓ ଲୋକପ୍ରିୟତା ବିଜେଡିର ନିଦ ହଜାଇ ଦେଇଛି । ରାଜଧାନୀରେ ଡ୍ରେନେଜ୍ ସମସ୍ୟା ଯେଉଁଭଳି ରୂପ ନେଲାଣି, ଏବେ ନିର୍ବାଚନ ହେଲେ ବିଜେଡିକୁ ଗଦାଗଦା ପ୍ରଶ୍ନର ଉତ୍ତର ଦେବାକୁ ହେବ । ଭୁବନେଶ୍ୱର ମେୟର ପଦବୀ ପାଇଁ ଏବେଠାରୁ ଆଶାୟୀଙ୍କ ଭିତରେ ଛକାପଞ୍ଝା ଜୋର । 

  ସମ୍ବଲପୁର ମହାନଗର ନିଗମରେ ବି ବିଜେଡି ରାସ୍ତା ସହଜ ନୁହେଁ । ସମ୍ବଲପୁରରେ ବିଧାୟକ ଜୟନାରାୟଣ ମିଶ୍ର ଓ ସାଂସଦ ନୀତିଶ ଗଙ୍ଗଦେବଙ୍କ ଉପସ୍ଥିତି ବିଜେଡି ପାଇଁ ସମସ୍ୟା ଛିଡ଼ା କଲାଣି । କଂଗ୍ରେସରୁ ଆସି ବିକ୍ରମ ପଣ୍ଡା ବିଧାୟକ ହୋଇଥିଲେ ବି ଏବେ ବି ସେଠାରେ ପୂର୍ବତନ ଓ ବର୍ତ୍ତମାନ ବିଧାୟକଙ୍କ ଗୋଷ୍ଠୀଙ୍କ ଭିତରେ ବିବାଦ ରହିଛି । ଏହା ପୌର ନିର୍ବାଚନକୁ ପ୍ରଭାବିତ କରିବ । 

  କଟକରେ ଦଳ ସ୍ଥିତି ଆହୁରି ଖରାପ । କଟକରେ ସାଂସଦ ଭର୍ତ୍ତୃହରି ମହତାବ   ଓ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଭିତରେ ସମ୍ପର୍କ ଭଲ ନାହିଁ । ବାରମ୍ବାର ବାକ୍ ଯୁଦ୍ଧ ଦେଖିବାକୁ ମିଳୁଛି । ମହତାବ ଦଳଠାରୁ ସବୁବେଳେ ଭିନ୍ନ ମତ ରଖୁଛନ୍ତି । ପରାଜୟ ପରେ ଦେବାଶିଷଙ୍କ  ପ୍ରଭାବ ବି କମିଛି । ଅପରପକ୍ଷରେ କଟକରେ ବିଜେପି ନେତା ସମୀର ଦେ ପୁଣି ସକ୍ରିୟ ହେଉଥିବାବେଳେ କଂଗ୍ରେସ ଦବଦବା ବଢ଼ିଛି । ଅନେକ ୱାର୍ଡରେ କଂଗ୍ରେସ କଡ଼ା ଟକ୍କର ଦେବା ସ୍ଥିତିରେ ରହିଛି । ସିଧାସଳଖ ମେୟର ନିର୍ବାଚନ ହେଲେ କଟକରେ ଫଳାଫଳ ଯେ କୌଣସି ଦଳ ସପକ୍ଷରେ ଯାଇପାରେ ।

  ଏମିତିରେ ଆଗ ପୌର ନିର୍ବାଚନ ହେଲେ ବଡ଼ ଧକ୍କା ଲାଗିପାରେ ବିଜେଡିକୁ । ପୌର ଝଟକା ଖାଇ ପଂଚାୟତକୁ ଗଲେ ପଂଚାୟତ ପ୍ରଦର୍ଶନ ବି ପ୍ରଭାବିତ ହୋଇପାରେ । ଏକଥାକୁ ଦଳ ଠିକ୍ ଭାବେ ବୁଝିଛି । ସେଥିପାଇଁ ପଂଚାୟତରେ ଦମ୍ ଦେଖାଇ ପୌର ଭୋଟକୁ ପ୍ରଭାବିତ କରିବାକୁ ବିଜେଡି ରଣନୀତି ଚଳାଇଥିବା ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି ।