ନ୍ୟୁଜିଲାଣ୍ଡ୍ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଲେ କ୍ରିସ୍ ହିପ୍କିନ୍ସ୍
ନ୍ୟୁଜିଲାଣ୍ଡ୍ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଲେ କ୍ରିସ୍ ହିପ୍କିନ୍ସ୍
ସିଡ୍ନି: ଆଜି ଔପଚାରିକ ସମାରୋହରେ ‘ଲେବର୍ ପାର୍ଟି’ ନେତା କ୍ରିସ୍ ହିପ୍କିନ୍ସ୍ ନ୍ୟୁଜିଲାଣ୍ଡ୍ର ୪୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।ନ୍ୟୁଜିଲାଣ୍ଡ୍ର ଗଭର୍ଣ୍ଣର୍ ଜେନେରାଲ୍ ସିଣ୍ଡି କାଇରୋ ତାଙ୍କ ବନ୍ଧୁ ଓ ସହଯୋଗୀଙ୍କ ଉପସ୍ଥିତିରେ ସଂକ୍ଷିପ୍ତ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରିଥିଲେ। ଶପଥ ଗ୍ରହଣ ସମାରୋହରେ ହିପ୍ କିନ୍ସ୍ କହିଛନ୍ତି, ଏ ହେଉଛି ମୋ ଜୀବନରେ ସବୁଠୁ ବଡ଼ ସୁଯୋଗ ଓ ଦାୟିତ୍ବ। ଆଗକୁ ସମ୍ମୁଖୀନ ହେବାକୁ ଥିବା ଚାଲେଞ୍ଜ୍ ପ୍ରତି ମୁଁ ପ୍ରସ୍ତୁତି କରୁଛି। ଏହାଛଡ଼ା, ଦେଶର ଉପପ୍ରଧାନମନ୍ତ୍ରୀ ଭାବେ କାର୍ମେଲ୍ ସିପୁଲୋନି ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଉପପ୍ରଧାନମନ୍ତ୍ରୀ ପଦବୀ ପାଇବାରେ ସେ ହେଉଛନ୍ତି ପ୍ରଶାନ୍ତ ମହାସାଗରୀୟ ଦ୍ବୀପର ଐତିହ୍ୟ ଧାରଣ କରିଥିବା ପ୍ରଥମ ମହିଳା। ତାଙ୍କ ପ୍ରତି ବିଶ୍ବାସ ରଖିଥିବାରୁ ସେ ହିପ୍କିନ୍ସ୍ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଦେଶର ଅର୍ଥନୀତିକୁ ‘ମୁଦ୍ରାସ୍ଫୀତିର ମହାମାରୀ’ ବୋଲି କହି ୪୪ ବର୍ଷିୟ ହିପ୍କିନ୍ସ୍ ଅର୍ଥନୀତି ଉପରେ ଧ୍ୟାନନିବେଶ କରିବାକୁ ପ୍ରତିଶ୍ରୁତି ଦଇଥିବା କଥା ‘ଦି ଆସୋସିଏଟ୍ ପ୍ରେସ୍’ ରିପୋର୍ଟ କରିଛି। ଆଗାମୀ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ, ଅର୍ଥାତ୍ ଆଉ ୯ ମାସରୁ କମ୍ ସମୟ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ କ୍ଷମତାରେ ରହିବେ। ‘ଓପିନିୟନ୍ ପୋଲ୍’ରୁ ଜଣାପଡୁଛି ଯେ, ବିରୋଧୀ ‘କଞ୍ଜର୍ଭେଟିଭ୍’ ପାର୍ଟିଠାରୁ ‘ଲେବର୍ ପାର୍ଟି’ ପଛୁଆ ରହୁଛି।ସ୍ମରଣଯୋଗ୍ୟ, କାର୍ଯ୍ୟକାଳ ଅବ୍ୟବହିତ ପୂର୍ବରୁ ନ୍ୟୁଜିଲାଣ୍ଡ୍ର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣ ଇସ୍ଥଫା ଦେବାରୁ ହିପ୍କିନ୍ସ୍ଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରାଯାଇଥିଲା।




admin 