ଟ୍ରମ୍ପଙ୍କ ର୍ୟାଲି ଯୋଗୁଁ ୩୦ ହଜାର ସଂକ୍ରମିତ, ୭୦୦ ମୃତ

ଟ୍ରମ୍ପଙ୍କ ର୍ୟାଲି ଯୋଗୁଁ ୩୦ ହଜାର ସଂକ୍ରମିତ, ୭୦୦ ମୃତ

ଟ୍ରମ୍ପଙ୍କ ର୍ୟାଲି ଯୋଗୁଁ ୩୦ ହଜାର ସଂକ୍ରମିତ, ୭୦୦ ମୃତ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା କରାଯାଉଥିବା ନିର୍ବାଚନ ରାଲି ଯୋଗୁଁ ସେଠାରେ ୩୦ ହଜାର ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୭୦୦ ଲୋକ ପ୍ରାଣ ହରାଇଥିବାର ଆକଳନ କରାଯାଇଛି । ଷ୍ଟାନଫୋର୍ଡ ବିଶ୍ୱ ବିଦ୍ୟାଳୟର ଅର୍ଥନୀତି ବିଭାଗର ଜଣେ ପ୍ରଫେସରଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି । ତେବେ ପ୍ରତ୍ୟେକ ସଂକ୍ରମିତ ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ କରି ଏହି ଆକଳନ କରାଯାଇନାହିଁ । ବରଂ ରାଲି କରାଯାଇଥିବା ସ୍ଥାନରେ ସଂକ୍ରମଣର ମାତ୍ରାକୁ ଅନ୍ୟ ସ୍ଥାନ ଗୁଡ଼ିକର ସଂକ୍ରମଣ ମାତ୍ରା ସହ ତୁଳନା କରି ଏହି ସିଦ୍ଧାନ୍ତ ବାହାର କରାଯାଇଛି । ଟ୍ରମ୍ପ ଜୁନରୁ ସେପ୍ଟେମ୍ବର ଭିତରେ ପ୍ରାୟ ୧୮ଟି ରାଲିରେ ଯୋଗ ଦେଇଥିଲେ । ସେଥିମଧ୍ୟରୁ ପ୍ରଥମ ତିନୋଟି ରାଲି ଇନଡୋର ହଲରେ ହୋଇଥିଲା ଏବଂ ବାକି ସବୁ ଖୋଲା ସ୍ଥାନରେ ଆୟୋଜନ କରାଯାଇଥିଲା । ଯେଉଁ ସ୍ଥାନ ଗୁଡ଼ିକରେ ରାଲି ହୋଇଥିଲା, ସେଠାରେ ରାଲି ପୂର୍ବରୁ ଓ ପରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଆକଳନ କରାଯାଇଥିଲା । ତାହାକୁ ପ୍ରାୟ ସମାନ ଜନସଂଖ୍ୟା ଓ ସଂକ୍ରମଣର ମାତ୍ରା ଥିବା ଅନ୍ୟ କିଛି ସ୍ଥାନ ସହିତ ତୁଳନା କରାଯାଇଥିଲା । ଏଥିରୁ ଜଣାପଡ଼ିଥିଲା କି ଟ୍ରମ୍ପଙ୍କ ରାଲି ପରେ ସେ ସବୁ ସ୍ଥାନରେ ପ୍ରତି ଲକ୍ଷେ ଲୋକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ବୃଦ୍ଧି ପାଇଥିଲା । ତେଣୁ ମୋଟାମୋଟି ଭାବେ ଟ୍ରମ୍ପଙ୍କ ୧୮ଟି ରାଲି ଯୋଗୁଁ ୩୦ ହଜାର ଲୋକ ସଂକ୍ରମିତ ହୋଇଥିଲେ । ନଭେମ୍ବର ୩ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଥିବା ତା’ପୂର୍ବରୁ ଏଭଳି ରିପୋର୍ଟ ଆସିଥିବାରୁ ଡେମୋକ୍ରାଟମାନେ ଟ୍ରମ୍ପଙ୍କୁ ଆହୁରି କଡ଼ା ସମାଲୋଚନା କରିବେ ବୋଲି ମନେ କରାଯାଉଛି ।