ଟିମ ଇଣ୍ଡିଆର ମୁଖ୍ୟ କୋଚ ଓ ଅନ୍ୟ କୋଚ ପଦବୀ ପାଇଁ ଦରଖାସ୍ତ ଆହ୍ଵାନ କଲା ବିସିସିଆଇ
ଟିମ ଇଣ୍ଡିଆର ମୁଖ୍ୟ କୋଚ ଓ ଅନ୍ୟ କୋଚ ପଦବୀ ପାଇଁ ଦରଖାସ୍ତ ଆହ୍ଵାନ କଲା ବିସିସିଆଇ
admin
Jul 16, 2019 - 11:04
Updated: Jul 16, 2019 - 11:04
ନୂଆଦିଲ୍ଲୀ: ବିଶ୍ଵକପରେ ମିଳିଥିବା ପରାଜୟ ପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆକ୍ସନ ମୋଡ଼ରେ ରହିଛି। ବିସିସିଆଇ ଦଳର ମୁଖ୍ୟ କୋଚ୍, ବ୍ୟାଟିଂ କୋଚ୍, ବୋଲିଂ କୋଚ୍, ଫିଲ୍ଡିଂ କୋଚ୍, ସାଇକୋ ଥେରାପିଷ୍ଟ, ଆଡମିନିଷ୍ଟ୍ରେଟିଭ ପଦ ପାଇଁ ଦରଖାସ୍ତ ଆହ୍ଵାନ କରିଛି। ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଅଛନ୍ତି।
ଭାରତୀୟ ଦଳର ହେଡ୍ କୋଚ୍ ରବି ଶାସ୍ତ୍ରୀଙ୍କୁ ପୁଣି ଥରେ କୋଚ୍ ହେବା ପାଇଁ ଆବେଦନ କରିବାକୁ ପଡ଼ିବ। ଏବେ ଏହା ଦେଖିବା ବାକି ରହିଲା ଯେ, ବିଶ୍ଵକପ ସେମି ଫାଇନାଲରେ ଭାରତର ପରାଜୟ ପରେ ଶାସ୍ତ୍ରୀଙ୍କୁ କଣ ଆଉ ଥରେ ସୁଯୋଗ ମିଳିବ ?
ଉଲ୍ଲେଖଯୋଗ୍ୟ, ଶାସ୍ତ୍ରୀଙ୍କ ସହିତ ବୋଲିଂ କୋଚ୍ ଭରତ ଅରୁଣ, ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର ଓ ଫିଲ୍ଡିଂ କୋଚ୍ ଆର ଶ୍ରୀଧରଙ୍କ ବିଶ୍ଵକପ ପରେ ୪୫ ଦିନର କାର୍ଯ୍ୟକାଳବୃଦ୍ଧି କରାଯାଇଥିଲା। ମାତ୍ର ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପରେ ଏମାନଙ୍କର କାର୍ଯ୍ୟକାଳଳ ସମାପ୍ତ ହେବ। ଏ ସମସ୍ତଙ୍କୁ ପୁଣି ଥରେ ଆବେଦନ କରିବାକୁ ପଡ଼ିବ। ମାତ୍ର ଦଳକୁ ନୂତନ ଟ୍ରେନର ଓ ଫିଜିଓ ମିଳିବା ନିଶ୍ଚିତ। କାରଣ ଟ୍ରେନର ଶଙ୍କର ବାସୁ ଓ ଫିଜିଓ ପ୍ୟାଟ୍ରିକ ଫରହାର୍ଟ ଭାରତ ବିଶ୍ଵକପ୍ ସେମି ଫାଇନାଲରେ ପରାସ୍ତ ହେବା ପରେ ସହଯୋଗୀ କର୍ମଚାରୀ ପଦରୁ ହଟି ଯାଇଥିଲେ। ଭାରତୀୟ ଦଳର ଓ୍ଵେଷ୍ଟଇଣ୍ଡିଜ ଗସ୍ତ ଅଗଷ୍ଟ ୩ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଚାଲିବ।
ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପରେ ଭାରତୀୟ ଦଳ ସେପ୍ଟେମ୍ବର ୧୫ରୁ ଘରୋଇ ମାଟିରେ କ୍ରିକେଟ୍ ଖେଳିବ। ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ମାଟିରେ ପ୍ରଥମ ସିରିଜ୍ ଖେଳିବ। ବିବାଦୀୟ ପରିସ୍ଥିତିରେ ଅନିଲ କୁମ୍ବଲେଙ୍କ କାର୍ଯ୍ୟକାଳ ସରିବା ପରେ ଶାସ୍ତ୍ରୀଙ୍କୁ ୨୦୧୭ରେ ଭାରତୀୟ ଦଳର କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା। ୫୭ ବର୍ଷୀୟ ଶାସ୍ତ୍ରୀ ୨୦୧୪ ଅଗଷ୍ଟରୁ ୨୦୧୬ ଜୁନ ପର୍ଯ୍ୟନ୍ତ ଦଳର ନିର୍ଦ୍ଦେଶକ ଥିଲେ।
ତାଙ୍କ ମାର୍ଗଦର୍ଶନରେ ଭାରତ ଆଇସିସିର ଗୋଟିଏ ହେଲେ ବଡ଼ ଟୂର୍ଣ୍ଣାମେଣ୍ଟ ଜିତି ପାରିନାହିଁ। ମାତ୍ର ଟିମ୍ ଚଳିତ ବର୍ଷ ପ୍ରାରମ୍ଭରେ ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଟେଷ୍ଟ ସିରିଜ୍ ଜିତି ଇତିହାସ ରଚିଥିଲା। ବିସିସିଆଇର ଅଧିକାରୀ କହିଛନ୍ତି ଯେ, କୋଚ୍ ପଦର ଆବେଦନକୁ ଗୋଟିଏ କିମ୍ବା ଦୁଇ ଦିନରେ ଓ୍ଵେବସାଇଟରେ ପ୍ରଦର୍ଶିତ କରାଯିବ। ସହଯୋଗୀ କର୍ମଚାରୀଙ୍କ ବ୍ୟତୀତ ଟିମ୍ ମ୍ୟାନେଜର ପଦ ପାଇଁ ମଧ୍ୟ ଆବେଦନ ଆମନ୍ତ୍ରିତ କରାଯିବ।