ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ଅଧ୍ୟକ୍ଷ କରିବାକୁ ସୁପାରିସ!

ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ଅଧ୍ୟକ୍ଷ କରିବାକୁ ସୁପାରିସ!

ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ଅଧ୍ୟକ୍ଷ କରିବାକୁ ସୁପାରିସ!
ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ ରାଜ୍ୟ ମାନବାଧିକାର କମିସନର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ବୈଠକରେ ଜଷ୍ଟିସ ଦାସଙ୍କ ନାମ ସୁପାରିସ କରାଯାଇଥିବା ଜଣାପଡ଼ିଛି । ଏହା ସହିତ ବିଶିଷ୍ଟ ଆଇନଜୀବୀ ଅସୀମ ଅମିତାଭ ଦାଶଙ୍କ ନାମକୁ ବି କମିଟି ସୁପାରିସ କରିଛି । ସୋମବାର ସନ୍ଧ୍ୟାରେ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମାନବାଧିକାର କମିସନ ଅଧ୍ୟକ୍ଷ ଓ ସଦସ୍ୟ ପଦ ପାଇଁ ଚୟନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଧ୍ୟକ୍ଷ ପଦ ପାଇଁ ୩ ଜଣ ଅବସରପ୍ରାପ୍ତ ବିଚାରପତି ଓ ଆଇନଜୀବୀଙ୍କ ଭିତରୁ ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କ ନାମକୁ ଏକ ନମ୍ବର ସ୍ଥାନରେ ରଖାଯାଇ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ସୁପାରିସ କରାଯାଇଛି । ପୁରୀ ଶ୍ରୀମନ୍ଦିର ସଂସ୍କାର କମିସନର ଜଣିକିଆ ଅଧ୍ୟକ୍ଷ ଥିଲେ ଜଷ୍ଟିସ ଦାସ । ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ସୁବିଧା ପାଇଁ ଜଷ୍ଟିସ ଦାସ କରିଥିବା ସୁପାରିସ ଅନୁଯାୟୀ ଏବେ ସରକାର ପୁରୀ ଶ୍ରୀମନ୍ଦିର ଚାରିପଟୁ ନିର୍ମାଣ ଉଚ୍ଛେଦ କରିବା କାମ ଆରମ୍ଭ କରିଛନ୍ତି । ସେହିପରି ଅଧ୍ୟକ୍ଷ ପଦ ପାଇଁ ବିଶିଷ୍ଟ ଆଇନଜୀବୀ ଅସୀମ ଅମିତାଭ ଦାଶଙ୍କ ନାମକୁ ଦ୍ୱିତୀୟ ସ୍ଥାନରେ ରଖାଯାଇଛି । କମିଟିର ସୁପାରିସକୁ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଛି । ଓଏଚଆରସିର ସଦସ୍ୟ ପଦ ପାଇଁ ୩ ଜଣ ଆଇନ ବିଶାରଦଙ୍କ ନାମ ଉପରେ କମିଟି ବିଚାର କରିଥିବା ଜଣାପଡ଼ିଛି । ଚୟନ କମିଟିରେ ଅନ୍ୟମାନଙ୍କ ମଧ୍ୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ଗୃହ ବିଭାଗର ଅଧିକାରୀଙ୍କ ସମେତ ୪ ଜଣ ସଦସ୍ୟ ଉପସ୍ଥିତ ଥିଲେ ।