ଫୋକସରେ ଯାଜପୁର ନିର୍ବାଚନ ମଣ୍ଡଳୀ

ଫୋକସରେ ଯାଜପୁର ନିର୍ବାଚନ ମଣ୍ଡଳୀ

  ଫୋକସରେ ଯାଜପୁର ନିର୍ବାଚନ ମଣ୍ଡଳୀ
ଯାଜପୁର: ଯାଜପୁର ସଦର ନିର୍ବାଚନ ମଣ୍ଡଳୀ ହୋଉଛି ବିଜେଡି ଗଡ । ୧୯୮୫ ପର ଠାରୁ ଏଠାରେ କଂଗ୍ରେସ ଖାତା ଖୋଲି ପାରିନାହିଁ । ବିଜେଡିର ଅନ୍ୟତମ ପ୍ରଭାବଶାଳୀ ଯୁବନେତା ପ୍ରଣବ ପ୍ରକାଶ ଦାସ (ବବି ଦାସ) ଙ୍କର ଶାଣିତ ରାଜନୀତି ସମ୍ମୁଖର ବିରୋଧୀ କଂଗ୍ରେସ ଓ ବିଜେପି ନେତା ନିଜର ଥଳକୂଳ ପାଉନାହାନ୍ତି । ଲଗାତର ୨ ଥର (୨୦୧୯, ୨୦୧୪ )ରେ ବିଜୟୀ ହୋଇଥିବା ବବି ଏଥର ହ୍ୟାଟ୍ରିକ କରିବାକୁ ଆଗୁଆ ସବୁ ପ୍ରସ୍ତୁତି ଶେଷ କରି ସାରା ରାଜ୍ୟ ସଂଗଠନରେ ମାତିଛନ୍ତି ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି । ୨୦୧୪ ନିର୍ବାଚନରେ ବବି ୮୪ ହଜାର ଭୋଟ ବ୍ୟବଧାନରେ ବିଜୟ ହୋଇଥିଲେ । ପ୍ରତିଦ୍ୱନ୍ଦ୍ୱୀମାନେ ଅମାନତ ହରାଇଥିଲେ । ଏଥର ତାଙ୍କୁ କିଏ ଟକ୍କର ଦେବ ତା ଉପରେ ସମସ୍ତଙ୍କର ନଜର । ମନ୍ତ୍ରୀ ପଦ ଅଦଳବଦଳ ବେଳେ ଯେପରି ବବି ନିଜେ ମନ୍ତ୍ରୀ ଲବିରୁ ଓହରି ଆସି ଦଳର ସଙ୍ଗଠନରେ ଅଧିକ ସକ୍ରିୟ ହୋଇ ମାଷ୍ଟ୍ରକ୍ ଷ୍ଟ୍ରୋକ ଖେଳୁଛନ୍ତି । ସେହିପରି ଏଥର ସେ ପ୍ରାର୍ଥୀ ନହୋଇ ଦଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଚର୍ଚ୍ଚା ହୋଉଛି । ତାଙ୍କ ଦାଦାପୁଅ ଭାଇ ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସଙ୍କୁ ପ୍ରାର୍ଥୀ କରାଇପାରନ୍ତି ବୋଲି କୁହାଯାଉଛି । ବବି ନିଜେ ଟିକେଟ୍ ନେବେ ନାହିଁ କି ତାଙ୍କ ସହ ଭଲ ସଂପର୍କ ନଥିବା ଦଳୀୟ ନେତାଙ୍କୁ ଟିକେଟ ଦେବେ ନାହିଁ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଥାଉକି , ପଂଚାୟତ ନିର୍ବାଚନରେ ବିଜେପିକୁ କିଛି ପରିମାଣରେ ସଫଳତା ମିଳିଥିଲେ ହେଁ ଭୁଲ ଗୋଟି ଚାଳନା, ନୂଆ-ପୁରୁଣା ଲଢେଇରେ ସଂଗଠନ ଦୋହଲି ଯାଇଛି । ଅନ୍ୟପକ୍ଷରେ ପଂଚାୟତ ନିର୍ବାଚନରେ ନୈରାଶ୍ୟଜନକ ଫଳାଫଳ ବିଜେଡି ନେତାଙ୍କ ପାଇଁ ସତର୍କ ଘଂଟି ଥିଲା । ଏହାକୁ ବିଜେଡି ନେତାମାନେ ଗୁରୁତ୍ୱ ଦେଇ ନିଜର ସ୍ଥିତି ସୁଧାରିବାରେ ଲାଗିଛନ୍ତି । ଏଭଳି ପରିସ୍ଥିତିରେ ଅଣ କଂଗ୍ରେସରୁ ରାଜନୀତି ଆରମ୍ଭ କରିଥିବା ବିଜେପିର ଜିଲ୍ଲା ସଭାପତି ଗୌତମ ରାୟ ଏଠାରୁ ପ୍ରାର୍ଥୀ ହେବା ସମ୍ଭାବନା ଥିବାରୁ ଯାଜପୁର ରାଜନୀତି ରୋଚକ ମୋଡ ନେବ ବୋଲି ଚର୍ଚ୍ଚା ହୋଇଛି । ଉତ୍ଥାନ ପତନ ଦେଇ ଆଗେଇ ଚାଲିଥିବା ଗୌତମ କିପରି ବବିଙ୍କୁ ଟକ୍କର ଦେଉଛନ୍ତି ତା ଉପରେ ସମସ୍ତଙ୍କର ନଜର ରହିଛି । ଦଳୀୟ କାର୍ଯ୍ୟକ୍ରମକୁ ତୃଳମୂଳ ସ୍ତରରେ ପହଂଚାଇ ନିଜର ଶିବିର ସଜାଡିବାରେ ଗୌତମ ଧୀରେ ଧୀରେ ଅଗ୍ରସର ହେଉଛନ୍ତି । ଏହା ବ୍ୟତୀତ କଂଗ୍ରେସ ମଧ୍ୟ ଜଣେ ଟାଣୁଆ ଯୁବ ନେତାଙ୍କୁ ଏଠାରେ ପାର୍ଥୀ କରିବାକୁ ଯୋଜନାରେ ଅଛି । ବବିଙ୍କ ଯୁବ ବାହିନୀଙ୍କୁ ଟକ୍କର ଦେବା ଭଳି ପ୍ରାର୍ଥୀ ଦେବାକୁ କଂଗ୍ରେସ ମଧ୍ୟ ଚିନ୍ତା କରୁଛି । କଂଗ୍ରେସରୁ ଗତ ଥର ପ୍ରାର୍ଥୀ ହୋଇଥିବା ସନ୍ତୋଷ ନନ୍ଦ ଏଥର ମଧ୍ୟ ଆଶାୟୀ ଅଛନ୍ତି । ତେବେ ଗତ ଥର ଶୋଚନୀୟ ପରାଜୟ ସନ୍ତୋଷଙ୍କ ପାଇଁ ବାଟ ଓଗାଳୁଥିବା ବେଳେ ବଳଭଦ୍ର ଦାସ,ସୁଦିପ୍ତ କର , ଦିପ୍ତିମୟୀ ମିଶ୍ର ଓ ହିମାଂଶୁ ଲେଙ୍କା ପ୍ରମୁଖ ଟିକେଟ ପାଇଁ ଆଶାୟୀ । ଏହା ବାଦ ପୂର୍ବତନ ସାମାରିକ କର୍ମଚାରୀ ଯୁବନେତା ପୁଲିନ ପୁହାଣ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଦୌଡରେ ଅଛନ୍ତି । ବବିଙ୍କ ଯୁବ ବାହିନୀଙ୍କୁ ଟକ୍କର ଦେବା ଭଳି କ୍ଷମତା ପୁଲିନଙ୍କ ଟିମ୍ରେ ରହିଛି ବୋଲି କୁହାଯାଉଥିବା ବେଳେ ବୁଦ୍ଧିଜୀବୀ ଗୋଷ୍ଠୀ ଏହାକୁ କିପରି ଗ୍ରହଣ କରୁଛନ୍ତି ତା ଉପରେ ଦଳୀୟ ହାଇକମାଣ୍ଡଙ୍କର ନଜର ରହିଛି ।