ହରିୟାଣାରେ କଂଗ୍ରେସ ବିଭାଜନ ମୁହାଁ

ହରିୟାଣାରେ କଂଗ୍ରେସ ବିଭାଜନ ମୁହାଁ

ହରିୟାଣାରେ କଂଗ୍ରେସ ବିଭାଜନ ମୁହାଁ
ରୋହତକ : ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଏବେ ବଡ଼ ଧରଣର ଦଳୀୟ କନ୍ଦଳକୁ ସାମ୍ନା କରୁଛି । ସଂଜୟ ସିଂହ, ଭୁବନେଶ୍ୱର କଲିତାଙ୍କ ଭଳି ବରିଷ୍ଠ ସାଂସଦମାନେ ଦଳରୁ ଇସ୍ତଫା ଦେଇଥିବା ବେଳେ କର୍ଣ୍ଣାଟକ ଏବଂ ଗୋଆରେ ଦଳ ବିଦ୍ରୋହର ସମ୍ମୁଖୀନ ହୋଇଛି । ଧାରା ୩୭୦ ହଟାଯିବାକୁ ବହୁ ନେତା ଖୋଲାଖୋଲି ସମର୍ଥନ କରି ଦଳର ଆଭିମୁଖ୍ୟକୁ ବିରୋଧ କରିଛନ୍ତି । ହରିୟାଣାରେ ଆଜି ଦଳର ବରିଷ୍ଠ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଦା ଦଳକୁ ବଡ଼ ଝଟକା ଦେଇଛନ୍ତି । ଧାରା ୩୭୦ ହଟାଯିବା ନେଇ ଏନ୍ଡିଏ ସରକାରଙ୍କ ପଦକ୍ଷେପକୁ ହୁଦା ଦୃଢ଼ ସମର୍ଥନ କରିବା ସହ କଂଗ୍ରେସ ଏବେ ଦିଗହରା ହୋଇଯାଇଛି ବୋଲି କହିଛନ୍ତି । ଆଜି ରୋହତକରେ ହୁଦା ଏକ ର୍ୟାଲି କରି ଶକ୍ତି ପ୍ରଦର୍ଶନ କରିବା ସହ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । କଂଗ୍ରେସ ଏବେ ବଡ଼ ବିଭ୍ରାନ୍ତ ଭିତରେ ଗତି କରୁଛି । ଏବଂ ଆଗଭଳି ଶୃଙ୍ଖଳିତ ହୋଇ ରହିନାହିଁ ବୋଲି ସେ କହିଛନ୍ତି । ଧାରା ୩୭୦ ହଟାଯିବା ଦେଶ ହିତରେ ଏକ ବଡ଼ ପଦକ୍ଷେପ ଏବଂ ଏଥିପ୍ରତି ତାଙ୍କର ଦୃଢ଼ ସମର୍ଥନ ରହିଛି ବୋଲି ସେ କହିଛନ୍ତି । ଦେଶ ସ୍ୱାର୍ଥରେ ନିଆଯାଉଥିବା ପଦକ୍ଷେପକୁ କଂଗ୍ରେସ ବିରୋଧ କରିବା ଆଦୌ ଉଚିତ ହେଉ ନାହିଁ ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ଦଳର ହାଇକମାଣ୍ଡମାନଙ୍କ ସହ କୌଣସି ବିଚାର ବିମର୍ଶ ନ କରି ଆଜି ହୁଦା ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ଏହାକୁ ଦଳର ଅନେକ ବରିଷ୍ଠ ନେତା ବିରୋଧ କରିଛନ୍ତି । ରୋହତକ ର୍ୟାଲିରେ ଆଜି ହୁଦା ଦଳ ବିରୋଧରେ ଯେଭଳି ବର୍ଷିଛନ୍ତି ସେଥିରୁ ସେ ଖୁବ ଶୀଘ୍ର ଦଳ ଛାଡ଼ିବେ ବୋଲି ଆଲୋଚନା ଜୋର ଧରିଛି । ଅନ୍ୟ ପକ୍ଷରେ କଂଗ୍ରେସ ଉପରେ ଚାପ ସୃଷ୍ଟି କରି ତାଙ୍କୁ ହିଁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ଏହା ହୁଦାଙ୍କ ଏକ ସୁଚିନ୍ତିତ ଯୋଜନା ବୋଲି କୁହାଯାଇଛି । ତେବେ ଆଜି ର୍ୟାଲିରେ ହୁଦା ରାଜ୍ୟର କ୍ଷମତାସୀନ ବିଜେପି ସରକାରକୁ ଯେତିକି ସମାଲୋଚନା କରିଥିଲେ, ତା ଠାରୁ ଅଧିକ ସମାଲୋଚନା ନିଜ ଦଳକୁ କରିଥିବାରୁ ଏହା ଦଳୀୟ କର୍ମୀଙ୍କୁ ନିରାଶ କରିଛି ।