ଗୋବିନ୍ଦ ଉଗାଳୁଛି, ହତ୍ୟା ଯୋଜନାର ପୂରା କାହାଣୀ
ଗୋବିନ୍ଦ ଉଗାଳୁଛି, ହତ୍ୟା ଯୋଜନାର ପୂରା କାହାଣୀ
ବଲାଙ୍ଗିର: ମମିତା ମେହେରଙ୍କୁ କେମିତି ହତ୍ୟା କରାଗଲା? କେମିତି ଯୋଜନା କରିଥିଲା ଗୋବିନ୍ଦ ସାହୁ? ହତ୍ୟା ପରେ କିଭଳି ମୃତଦେହକୁ ନଷ୍ଟ କରାଯାଇଥିଲା? ଏସବୁ ଘଟଣା ଉପରୁ ପରଦା ଉଠାଇଛି ନିଜେ ଅଭିଯୁକ୍ତ ଗୋବିନ୍ଦ, ପୁଲିସ ଆଗରେ ସବୁ ସତ ଉଗାଳିଛି।
ଗୋବିନ୍ଦକୁ କୋର୍ଟରୁ ଏସପି ଅଫିସକୁ ଅଣାଯାଇ ରାତି ତମାମ ମାରାଥନ ଜେରା କରାଯାଇଥିଲା । ଖୋଦ ଉତ୍ତରାଂଚଳ ଡିଆଇଜି ଦୀପକ କୁମାର ସେଠାରେ ଡେରା ପକାଇଥିବା ବେଳେ ତାଙ୍କ ପ୍ରଶ୍ନବାଣରେ ଗୋଟିଏ ଗୋଟିଏ ପରେ ସତର ଖୁଲାସା କରୁଛି ଗୋବିନ୍ଦ।
ଗୋବିନ୍ଦଙ୍କ କହିବାନୁଯାୟୀ, ମମିତା ତାଙ୍କ ଗୁମର ଜାଣିଥିବା ବେଳେ ଏହା ବାହାରେ ପ୍ରଘଟ ହେଲେ ଲୋକଲଜ୍ଜା ଭୟରେ ମୁଣ୍ଡ ଟେକିପାରିବେନି ବୋଲି ତାଙ୍କୁ ଚିନ୍ତା ଘାରିଥିଲା। ତେଣୁ ଏହାକୁ ବାହାରେ କାହାକୁ ନ କହିବାକୁ ମମିତାଙ୍କୁ ନେହୁରା ବି ହୋଇଥିଲେ। ହେଲେ ସେ ଏହାକୁ ଏଡ଼ାଇ ଯାଇଥିଲେ। ଏହାପରେ ମମିତାଙ୍କୁ ରାସ୍ତାରୁ ହଟାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଗୋବିନ୍ଦ।
ଶେଷ ଥର ପାଇଁ ମମିତା ସେପ୍ଟେମ୍ବର ୨୧ରେ ହଷ୍ଟେଲକୁ ଆସିଥିଲେ। ସେହିଦିନ ହିଁ ତାଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ ଗୋବିନ୍ଦ । କିନ୍ତୁ ମମିତା ସାଙ୍ଗମାନଙ୍କ ସହ ଥିବାରୁ ଉଦ୍ଦେଶ୍ୟ ସଫଳ ହୋଇପାରି ନ ଥିଲା। ପୁଣି ଥରେ ଘରୁ ଡକାଇ ହତ୍ୟା କରିବାର ଯୋଜନା କରିଥିଲା । ହେଲେ ସଫଳ ହୋଇପାରି ନ ଥିଲା।
ଏହାପରେ ଅକ୍ଟୋବର ୭ ତାରିଖରେ ମିଟିଂ ଅଛି କହି ୬ ତାରିଖରେ ମମିତାଙ୍କୁ ଫୋନ୍ କରି ଡାକିଥିଲା। ମାତ୍ର ଏହା ପୁଣିଥରେ ୮ ତାରିଖକୁ ଘୁଞ୍ଚାଇ ଦିଆଗଲା ବୋଲି କହିଥିଲେ। ଏହାପରେ ୮ ତାରିଖରେ ମମିତା ପହଞ୍ଚିବା ପରେ ଭବାନୀପାଟଣାରେ ସପିଂ କରାଇଥିଲା ଗୋବିନ୍ଦ। ଏହାପରେ ମାଣିକେଶ୍ୱରୀ ପୀଠରେ ଗୁମର ନ ଫିଟାଇବାକୁ ଶପଥ ନେବାକୁ କହିଥିଲା। ମାତ୍ର ମମିତା ଏହାକୁ ପ୍ରତ୍ୟାଖାନ କରିଦେବାରୁ କ୍ରୋଧିତ ହୋଇପଡ଼ିଲା ଗୋବିନ୍ଦ।
ବାଟରେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ କୁରସୁର ନିକଟରେ ମୁଖ୍ୟ ରାସ୍ତା କଡ଼ରେ ଗାଡ଼ି ରଖିଥିଲେ। ଏହାପରେ ଦିନ ପ୍ରାୟ ୧୧ଟାରେ ମମିତାଙ୍କ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ ଗାଡ଼ିରେ ମୃତଦେହକୁ ଘରକୁ ନେଇ ଯାଇଥିଲା ଗୋବିନ୍ଦ। ଘରେ ଖାଇପିଇ ରହିଥିଲା।
ଏହା ପୂର୍ବରୁ ଅକ୍ଟୋବର ୬ ତାରିଖରେ ମହାଲିଙ୍ଗ ଷ୍ଟାଡିୟମରେ ଗାତ ବି ଖୋଳିଦେଇଥିଲା। ଏହାପରେ ଜେସିବି ଡ୍ରାଇଭର ରାଧେଙ୍କୁ ଫୋନ୍ କରି ଷ୍ଟାଡିୟମର ପଛ ଗେଟ୍ ଖୋଲା ରଖିବାକୁ କହିଥିଲେ। ଏହାପରେ କାର୍ ନେଇ ଭିତରେ ପଶିଥିଲା। ଏପରିକି ସବୁ କିଛି ଠିକଠାକ୍ ଥିବାର ଅଭିନୟ କରି ଖାଇପିଇ ରହିଥିଲା। ଉକ୍ତ ଗାତରେ କିଛି ଟାୟାର ପକାଇବାକୁ ରାଧେକୁ କହିଥିବା ବେଳେ କାଠଗଣ୍ଡି ରଖିବାକୁ ମୁନସୀକୁ କହିଥିଲେ। ଏହାବାଦ ନିଜେ କାର୍ଡବୋର୍ଡ ରଖିଥିଲେ। ଏନେଇ ରାଧେ ଓ ମୁନସୀ ପଚାରିବାରୁ ଷ୍ଟାଡିୟମର ଆବର୍ଜନା ଜିନିଷ ସେଠାରେ ପୋଡ଼ାଯିବ ବୋଲି କହିଥିଲେ। ଏହାପରେ ରାତିରେ ନିଜେ ମୃତଦେହ ପୋଡ଼ିବା ଓ ପୋତିବା କାମ କରିଥିଲେ। ହେଲେ ଏ ସମ୍ପର୍କରେ କେହି ସୁରାଗ ପାଇପାରି ନ ଥିବା ପୁଲିସ୍ ସମ୍ମୁଖରେ କହିଛନ୍ତି ଗୋବିନ୍ଦ।
ମମିତାଙ୍କୁ ହତ୍ୟାଠୁ ଆରମ୍ଭ କରି ପୋତିବା ପର୍ୟ୍ୟନ୍ତ କୌଣସି ଅସ୍ତ୍ରର ବ୍ୟବହାର କରାଯାଇ ନାହିଁ। ତଣ୍ଟି ଚିପି ହିଁ ଗୋବିନ୍ଦ ନେଇଛି ମମିତା ଜୀବନ । ସବୁ କାମ ନିଜେ କରିଥିବା ଗୋବିନ୍ଦ କହୁଥିବା ବେଳେ ଏହାକୁ କିନ୍ତୁ ସହଜେ ବିଶ୍ୱାସ କରିପାରୁନି ପୁଲିସ୍। ହେଲେ ଅନ୍ୟ କାହା ସମ୍ମୁଖରେ ସତ କହିଲେ, ଭବିଷ୍ୟତରେ ସେ ଏହାକୁ ବାହାରେ ପ୍ରଘଟ କରିଦେବାର ଆଶଙ୍କା ଥିବା ତଥା ବ୍ଲାକମେଲ୍ କରିବା ଆଶଙ୍କା ଥିବା କହିଥିଲା ଗୋବିନ୍ଦ । ତେଣୁ ନିଜ ସହଯୋଗୀଙ୍କୁ କାମ ଦେଉଥିଲା, କିନ୍ତୁ ସେମାନଙ୍କୁ କାରନାମା ଜଣାଉ ନ ଥିବା ବୋଲି କହିଛି ଗୋବିନ୍ଦ । ହେଲେ ଗୋବିନ୍ଦ ଏକାକି ଏସବୁ କାମ କରିଥିବା କଥାକୁ ପୁଲିସ ସହଜରେ ବିଶ୍ୱାସ କରିପାରୁନି। ତେଣୁ ପୁଲିସ ତନାଘନା ତଦନ୍ତ ଚଳେଇଛି ।




admin 