କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ କଂଗ୍ରେସର ଅଣ୍ଡା ମାଡ଼
କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ କଂଗ୍ରେସର ଅଣ୍ଡା ମାଡ଼
ଭୁବନେଶ୍ୱର: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ଘଟଣାର ପ୍ରତିବାଦ ଭୁବନେଶ୍ୱରରେ । ଏହି ଘଟଣାକୁ ନେଇ କଂଗ୍ରେସ କର୍ମୀମାନେ ଆଜି ଭୁବନେଶ୍ୱର ବିମାନବନ୍ଦର ଛକରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଗାଡ଼ି ଉପରକୁ ଘନଘନ ଅଣ୍ଡା ମାଡ଼ କରିଛନ୍ତି । ଖାଲି ସେତିକି ନୁହେଁ, କଳା ପତାକା ଦେଖାଇବା ସହ ନାରାବାଜି ବି ଦେଇଛନ୍ତି । ଏହି ଘଟଣାରେ ପୁଲିସ ବହୁସଂଖ୍ୟକ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ।
ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଆଜି ଭୁବନେଶ୍ୱର ଆସିଛନ୍ତି । ଏହି ଖବର ପାଇଁ ଆଗରୁ ପ୍ରସ୍ତୁତ ହୋଇ ଏୟାରପୋର୍ଟରେ ଛକିଥିଲେ କଂଗ୍ରେସ କର୍ମୀ । କାରକେଡ୍ରେ ମନ୍ତ୍ରୀଙ୍କ ଗାଡ଼ିକୁ ଦେଖି ଆରମ୍ଭ କରିଦେଲେ ଅଣ୍ଡା ମାଡ଼ । କଂଗ୍ରେସ କର୍ମୀଙ୍କ କହିବା କଥା ହେଲା, ଲକ୍ଷ୍ମୀପୁର ଖେରିରେ ମନ୍ତ୍ରୀଙ୍କ ପୁଅ ଗାଡ଼ି ମଡ଼ାଇ କୃଷକମାନଙ୍କୁ ହତ୍ୟା କରିଛନ୍ତି । ଏହି ଘଟଣାରେ ମନ୍ତ୍ରୀ ତାଙ୍କ ପୁଅକୁ ସୁରକ୍ଷା ଦେଉଛନ୍ତି । ତାଙ୍କ ପୁଅ ପକ୍ଷରେ ସଫେଇ ଦେଉଛନ୍ତି । ଏମିତିରେ ତଦନ୍ତ କେମିତି ହେବ? ମନ୍ତ୍ରୀ ନା ଇସ୍ତଫା ଦେଉଛନ୍ତି ନା ମୋଦି ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରୁଛନ୍ତି । କୃଷକ ହିଁ ଭାରତର ଜୀବନରେଖା । କୃଷକଙ୍କ ଉପରେ ଅତ୍ୟାଚାରକୁ ବରଦାସ୍ତ କରାଯିବନି । କଂଗ୍ରେସ ଏ ଆନେ୍ଦାଳନ ଜାରି ରଖିବ ।