ଦରବୃଦ୍ଧି ପାଇଁ ବିଜେଡି ରାସ୍ତାରେ ଗର୍ଜୁଛି
ଦରବୃଦ୍ଧି ପାଇଁ ବିଜେଡି ରାସ୍ତାରେ ଗର୍ଜୁଛି
ଭୁବନେଶ୍ୱର: ଦରବୃଦ୍ଧି ଯନ୍ତ୍ରଣାରେ ଜନତା ଛଟପଟ ହେଉଛନ୍ତି । ପେଟ୍ରୋଲ ଦର ନିତି ରେକର୍ଡ ଭାଙ୍ଗୁଛି । ଏମିତିରେ ନା କେନ୍ଦ୍ର ସରକାର ନା ରାଜ୍ୟ ସରକାର କେହି ବି ତୈଳ ଉପରୁ ଟିକସ କମାଉନାହାନ୍ତି । ହେଲେ ଏହି ତୈଳଦର ଓ ଏଲପିଜି ସିଲିଣ୍ଡର ଦରବୃଦ୍ଧିକୁ ପ୍ରସଙ୍ଗ କରି ବିଜେଡି ଏବେ ରାସ୍ତାକୁ ଓହ୍ଲାଇଛି । ଆଜି ରାଜଭବନ ଆଗରେ ମହିଳା ବିଜୁ ଜନତା ଦଳ କର୍ମକର୍ତ୍ତାମାନେ ଧାରଣା ଦେଇଛନ୍ତି । ଆସନ୍ତାକାଲି ସବୁ ନିର୍ବାଚନମଣ୍ଡଳୀରେ ମହିଳା ସଂଗଠନ ନେତୃତ୍ୱରେ ପ୍ରତିବାଦ କରାଯିବ । ୫ରୁ ୭ ତାରିଖ ଯାଏ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ପେଟ୍ରୋଲ ପମ୍ପ ସାମ୍ନାରେ ଧାରଣା ଦିଆଯିବ ।
ଭୁବନେଶ୍ୱରରେ ଆଜି ଅଭିନବ ଢଙ୍ଗରେ ବିଜେଡିର ମହିଳା ନେତ୍ରୀ ଓ କର୍ମୀମାନେ ପ୍ରତିବାଦ କରିଛନ୍ତି । ରାସ୍ତାରେ ଶଗଡ଼ ଚଳାଇବା ସହ ସାଇକେଲରେ ଶୋଭାଯାତ୍ରା କରିଛନ୍ତି । ମୁଣ୍ଡରେ ଗ୍ୟାସ ସିଲିଣ୍ଡର ବୋହିଛନ୍ତି । ରାଜଭବନ ସମ୍ମୁଖରେ ଧାରଣା ଦେବା ସହ ଚୂଲି ଲଗାଇ ପ୍ରତିବାଦ ଜଣାଇଛନ୍ତି । ବିଜେଡି ନେତ୍ରୀମାନେ କହିଛନ୍ତି, ମୋଦି ସରକାର ପେଟ୍ରୋଲ, ଡିଜେଲ ଦର କମାଇବା କଥା କହି କ୍ଷମତାକୁ ଆସିଥିଲେ । ଏବେ ସବୁ ଭୁଲି ଲୋକଙ୍କୁ ପ୍ରତାରଣା ଦେଇଛନ୍ତି । ପେଟ୍ରୋଲ ୧୧୦ ଟଙ୍କା ହେଲାଣି। ଉଜ୍ୱଳା ଯୋଜନା ନେଇ ମୋଦି ସରକାର ବହୁ ପ୍ରଚାର କରିଛନ୍ତି । ହେଲେ ପ୍ରକୃତ କଥା ହେଲା, ଗ୍ୟାସ ସିଲିଣ୍ଡର ଦାମ ୧୦୦୦ ଟଙ୍କା ଛୁଇଁଲାଣି । ଏମିତିରେ ମହିଳାମାନେ ଗ୍ୟାସ ଛାଡ଼ି ଚୂଲିରେ ରୋଷେଇ କରିବାକୁ ବାଧ୍ୟ ହେଉଛନ୍ତି । ମୋଦି ସରକାର କେବଳ ମିଛ କହି ଲୋକଙ୍କୁ ନିର୍ଯାତନା ଦେଉଛନ୍ତି । ଏହାର ପ୍ରତିବାଦରେ ବିଜେଡି ରାଜ୍ୟବ୍ୟାପୀ ଆନେ୍ଦାଳନ କରିବ । ଏହି ବିକ୍ଷୋଭରେ ସଂଜୟ ଦାସବର୍ମା, ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତଙ୍କ ସମେତ ବହୁ ନେତା ଯୋଗ ଦେଇଛନ୍ତି ।
ବିଜେଡିର ଏହି ଆନେ୍ଦାଳନକୁ ଉଭୟ କଂଗ୍ରେସ ଓ ବିଜେପି ସମାଲୋଚନା କରିଛନ୍ତି । ବିଜେପି କହିଛି, ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ଅଭିଯୋଗ ହେଉଥିବାବେଳେ ସରକାର ଅଡ଼ୁ୍ରଆରେ ପଡ଼ିଛନ୍ତି । ଏଥିରୁ ନଜର ହଟାଇବା ପାଇଁ ବିଜେଡି ଏଭଳି ରାଜନୀତି କରୁଛି । କଂଗ୍ରେସ କହିଛି, ଦରବୃଦ୍ଧି ପାଇଁ ଉଭୟ ମୋଦି ଓ ନବୀନ ସରକାର ଦାୟୀ । ଯଦି ପ୍ରକୃତରେ ବିଜେଡି ଲୋକଙ୍କ ଦୁଃଖ ବୁଝୁଛି, ତେବେ ପେଟ୍ରୋଲ, ଡିଜେଲ ଉପରୁ ଟିକସ କମାଇବା ଦରକାର । ଟିକସ ନ କମାଇ ନାଟକବାଜି କରିବାର କିଛି ମାନେ ନାହିଁ ।