ଅଡୁଆରେ ସଲମାନଙ୍କୁ ଅଟକାଇଥିବା ଓଡ଼ିଆ ଯବାନ
ଅଡୁଆରେ ସଲମାନଙ୍କୁ ଅଟକାଇଥିବା ଓଡ଼ିଆ ଯବାନ
ମୁମ୍ବାଇ : ଅଭିନେତା ସଲମାନ ଖାନକୁ ଅଟକାଇଥିବା ଓଡ଼ିଆ ଯବାନ ସୋମନାଥ ମହାନ୍ତି ଦେଶବ୍ୟାପୀ ପ୍ରଶଂସା ସାଉଁଟି ଥିବା ବେଳେ ଏବେ ଅଡୁଆରେ ପଡ଼ିଯାଇଛନ୍ତି । ଚାକିରି ନିୟମାବଳୀର ଉଲ୍ଲଘଂନ କରି ଗଣମାଧ୍ୟମ ସମ୍ମୁଖରେ ନିଜ ମତାମତ ଦେଇଥିବାରୁ ସୋମନାଥଙ୍କଠାରୁ ସିଆଇଏସଏଫ ଜବାବ ତଲବ କରିଛି ।
ଗତ ଶନିବାର ଭୋର ପ୍ରାୟ ୪ଟାରେ ସଲମାନ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଇମ୍ରାନ ହାସମି ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଥିଲେ । ଆଗାମୀ ହିନ୍ଦୀ ସିନେମା ‘ଟାଇଗର-୩’ ସୁଟିଂ ପାଇଁ ଏମାନେ ବ୍ୟକ୍ତିଗତ ବିମାନରେ ରୁଷ ଯାଉଥିଲେ । ତେଣୁ ଏମାନଙ୍କର କେବଳ ଭିସା ଓ ପାସପୋର୍ଟ ତନଖି ହେବା କଥା । ବିମାନ ବନ୍ଦରର ତନଖି ଫାଟକରେ ନିୟୋଜିତ ଥିବା ସୋମନାଥ ସଲମାନଙ୍କୁ ଅଟକାଇ ସାଧାରଣ ଯାତ୍ରୀଙ୍କ ସହ ଧାଡ଼ିରେ ଆସିବାକୁ କହିଥିଲେ । ସଲମାନ ଯବାନଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ପଛକୁ ଫେରି ଯାତ୍ରୀଙ୍କ ଧାଡ଼ିରେ ଆସି ତନଖି ପରେ ବିମାନ ଅଭିମୁଖେ ଯାତ୍ରା କରିଥିଲେ । ସେ ବିମାନ ବନ୍ଦର ତନଖି ଫାଟକ ନିକଟରେ ଥିବା ବେଳେ କେତେ ଜଣ ଫଟୋଗ୍ରାଫର ଓ ପ୍ରଶଂସକ ଭିଡ ଜମାଇଥିଲେ । ନିରାପତ୍ତା ଦୃଷ୍ଟିରୁ ସୋମନାଥ ସେମାନଙ୍କୁ ମଧ୍ୟ ଘଉଡ଼ାଇ ଦେଇଥିଲେ । ପରେ ସଲମାନ ଓ ତାଙ୍କ ଦଳ ନିଜ ବ୍ୟକ୍ତିଗତ ବିମାନରେ ରୁଷ ଯାତ୍ରା କରିଥିଲେ । ନିୟମ ସମସ୍ତଙ୍କ ପାଇଁ ସମାନ ବୋଲି ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୋମନାଥ କହିଥିଲେ । ଏ ସଂକ୍ରାନ୍ତରେ ଏକ ଭିଡିଓ ବ୍ୟାପିବା ପରେ ସମଗ୍ର ଦେଶରେ ସୋମନାଥଙ୍କ କର୍ତ୍ତବ୍ୟ ପରାୟଣ ଓ ଦାୟିତ୍ୱବୋଧକୁ ପ୍ରଶଂସା କରାଯାଉଥିଲା । ସୋମନାଥଙ୍କ ଘର ନୟାଗଡ଼ ଜିଲ୍ଲାରେ ବୋଲି ଜଣାପଡ଼ିଛି । ତେବେ ସେନା ପୋଷାକରେ ଥାଇ ସର୍ବସାଧାରଣରେ ନିଜ ମତାମତ ଉପସ୍ଥାପନ କରିବା ଚାକିରି ନିୟମର ଉଲ୍ଲଂଘନ । ଏଥିପାଇଁ ସିଆଇଏସଏଫ ପକ୍ଷରୁ ଜବାବ ତଲବ କରାଯାଇଥିବା ଜଣାପଡ଼ିଛି ।




admin 