ବାହାନଗା ଦୁର୍ଘଟଣା: ଆଉ ୪ ଦିନ ବଢ଼ିଲା ଅଭିଯୁକ୍ତଙ୍କ ରିମାଣ୍ଡ
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ସିବିଆଇ ଜୋରଦାର୍ ତନାଘନା କରୁଛି । ଦୁର୍ଘଟଣା ପାଇଁ ଦାୟୀ ଥିବା ଅଭିଯୋଗରେ ଗତ ଶୁକ୍ରବାର ସିନିଅର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତି, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେଇ ଜେରା କରୁଥିଲା । ଅଧିକ ତଦନ୍ତ ପାଇଁ ମଙ୍ଗଳବାର ପୁଣି ୪ ଦିନ ରିମାଣ୍ଡ ପାଇଁ ସିବିଆଇକୁ ଅନୁମତି ମିଳିଛି । ଆସନ୍ତା ଶୁକ୍ରବାର ଦିନ ରିମାଣ୍ଡ ସରିବ ।
ଗତ ଶୁକ୍ରବାର ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଥିଲା ସିବିଆଇ । ସୁରକ୍ଷା ଦୃଷ୍ଟିରୁ ଉଭୟଙ୍କୁ ଚନ୍ଦକା ଥାନାରେ ରଖି ପଚରାଉଚରା କରୁଥିଲା । ଆଜି ରିମାଣ୍ଡ ଅବଧି ସରିଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେମାନଙ୍କୁ ମେଣ୍ଢାଶାଳ ମେଡିକାଲକୁ ନିଆଯାଇଥିଲା । ସେଠାରୁ ଆଣି ସିବିଆଇ ସ୍ପେଶାଲ୍ କୋର୍ଟରେ ହାଜର କରାଯାଇଥିଲା । ଆଉ ୫ ଦିନ ରିମାଣ୍ଡ ଆବେଦନ କରିଥିଲା ସିବିଆଇ । କୋର୍ଟ ୪ ଦିନ ମଞ୍ଜୁର କରିଥିଲେ ।
ସେପଟେ ସାନି ରିମାଣ୍ଡକୁ ବିରୋଧ କରିଥିଲେ ଅଭିଯୁକ୍ତମାନଙ୍କ ଓକିଲ । ୩ ଅଭିଯୁକ୍ତଙ୍କ ମଧ୍ୟରୁ ଅରୁଣ ଓ ଅମୀର୍ଙ୍କ ପାଇଁ ତାଙ୍କ ଓକିଲ ଜାମିନ ଆବେଦନ କରିଥିଲେ । ଏହାର ଶୁଣାଣି ହୋଇନାହିଁ । ସେପଟେ ଗତକାଲି ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଜେରା କରିଛି ସିବିଆଇ ବାହାନଗା ଷ୍ଟେସନ୍ରେ କାର୍ୟ୍ୟରତ ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କୁ ଜେରା କରାଯିବ । ବର୍ତ୍ତମାନ ପର୍ୟ୍ୟନ୍ତ ୧୭ ଜଣଙ୍କୁ ସିବିଆଇ ନୋଟିସ୍ କରିଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।




admin 