ମାସକର ସ୍କୁଲ ଫି’ ଛାଡ଼ କରିବେ ଘରୋଇ ସ୍କୁଲ
ମାସକର ସ୍କୁଲ ଫି’ ଛାଡ଼ କରିବେ ଘରୋଇ ସ୍କୁଲ
admin
May 14, 2019 - 05:00
Updated: May 14, 2019 - 05:00
ଭୁବନେଶ୍ୱର : ଫନି ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ ସରକାରୀ ସ୍କୁଲଗୁଡ଼ିକରେ ସମସ୍ତ ଫି ଛାଡ଼ କରାଯାଇଛି । ଅପରପକ୍ଷରେ ଘରୋଇ ସ୍କୁଲଗୁଡ଼ିକ ମଧ୍ୟ ମାସକର ଫି’ ଛାଡ଼ କରିବାକୁ ସରକାର ଅପିଲ କରିଛନ୍ତି । ବାତ୍ୟା ପ୍ରଭାବିତ ଅଂଚଳରେ ଏକ ମାସର ସ୍କୁଲ ଫି ଛାଡ଼ କରିବାକୁ ଘରୋଇ ଇଂରାଜୀ ଓ ଓଡ଼ିଆ ମାଧ୍ୟମ ସ୍କୁଲଗୁଡ଼ିକୁ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଅପିଲ କରିଛନ୍ତି । ଓଡ଼ିଶା ଅଭିଭାବକ ମହାସଂଘର ନିବେଦନପରେ ଶ୍ରୀ ସେଠୀ ସମସ୍ତ ଘରୋଇ ସ୍କୁଲକୁ ପତ୍ର ଲେଖି ଏଭଳି ନିବେଦନ କରିଛନ୍ତି ।
ଶ୍ରୀ ସେଠୀ କହିଛନ୍ତିଯେ, ଫୋନି ପ୍ରଭାବରେ ୧୪ ଜିଲ୍ଲାର ୧ କୋଟି ୬୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ କ୍ଷୟକ୍ଷତି ହୋଇଛି । ଅନେକ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି । ଛାତ୍ରଛାତ୍ରୀଙ୍କ ବହି, ପାଠ୍ୟ ଉପକରଣ ଓ ସ୍କୁଲ ୟୂନିଫର୍ମ ନଷ୍ଟ ହୋଇଛି । ଏଭଳି ସ୍ଥିତିକୁ ହୃଦୟଙ୍ଗମ କରି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଥିବା ସମସ୍ତ ଘରୋଇ ସ୍କୁଲ ଅତିକମରେ ଗୋଟିଏ ମାସର ସ୍କୁଲ ଫି’ ଛାଡ଼ କରିବାକୁ ସରକାର ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟଯେ, ଦୁଇଦିନ ତଳେ ସରକାର ବାତ୍ୟା ପ୍ରଭାବିତ ଅଂଚଳରେ ପ୍ରାଥମିକ ସ୍କୁଲରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ସ୍କୁଲ ଫି ଓ ପରୀକ୍ଷା ଫି’ ଛାଡ଼ କରିଥିଲେ । ଏହାଛଡ଼ା ଅଧିକ ପ୍ରଭାବିତ ଅଂଚଳରେ ଛାତ୍ରଛାତ୍ରୀମାନଙ୍କୁ ଦୁଇ ହଳ ୟୂନିଫର୍ମ ଓ କମ ପ୍ରଭାବିତ ଅଂଚଳରେ ହଳେ ୟୂନିଫର୍ମ ଦିଆଯିବ ବୋଲି ଘୋଷଣା ମଧ୍ୟ କରିଥିଲେ ।