ଋତୁଚକ୍ରରେ ଋତୁର ନାମ ବସନ୍ତ

ଋତୁଚକ୍ରରେ  ଋତୁର ନାମ ବସନ୍ତ

ଆମ ଋତୁଚକ୍ର ଅନୁସାରେ, ଫାଲଗୁନ ଓ ଚୈତ୍ର ଦୁଇମାସ ହେଉଛି ବସନ୍ତ ଋତୁ। ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି- “ମୁଁ ଋତୁମାନଙ୍କ ଭିତରେ କୁସୁମାକର (ବସନ୍ତ)।” ଏହା ବସନ୍ତ ଋତୁର ଶ୍ରେଷ୍ଠତା ସୂଚାଏ। ଏହି ଶ୍ରେଷ୍ଠତା ହିଁ ବସନ୍ତକୁ ‘ଋତୁରାଜ’ ଆଖ୍ୟା ଦେଇଛି।
ମହାକବି କାଳିଦାସଙ୍କର ଗୋଟିଏ ପ୍ରସିଦ୍ଧ କୃତି ହେଉଛି ‘ଋତୁସଂହାର’। ‘ସଂହାର’ର ଅର୍ଥ ସଂଗ୍ରହ ବା ସଂକଳନ। ଏହା ଋତୁମାନଙ୍କର ବର୍ଣ୍ଣନାର ସଂକଳନ। ଏହା କାଳିଦାସଙ୍କର ପ୍ରଥମ କୃତି। ସମଗ୍ର ସଂସ୍କୃତ ସାହିତ୍ୟରେ ମଧ୍ୟ ଏହା ପ୍ରଥମ ରଚନା- ଯେଉଁଥିରେ ଆମ ଦେଶ ଭାରତବର୍ଷରେ ଅନୁଭୂତ ହେଉଥିବା ଛଅଟିଯାକ ଋତୁର ସ୍ୱତନ୍ତ୍ର ରୂପ ବର୍ଣ୍ଣିତ। ଏହାର ଆରମ୍ଭ ଗ୍ରୀଷ୍ମଋତୁରୁ ଏବଂ ଶେଷ ବସନ୍ତ ଋତୁରେ। ଗ୍ରୀଷ୍ମରୁ ବସନ୍ତ ପର୍ଯ୍ୟନ୍ତ ଛଅଟି ସର୍ଗରେ ଏହି ଛଅ ଋତୁର ବର୍ଣ୍ଣନା ଅତ୍ୟନ୍ତ ସରଳ ଶୈଳୀରେ କରାଯାଇଛି। ଷଷ୍ଠ ସର୍ଗରେ ବର୍ଣ୍ଣିତ ହୋଇଛି ବସନ୍ତଋତୁର ସ୍ୱରୂପ। ପ୍ରିୟାକୁ ସମ୍ବୋଧନ କରି କବି ଏହି ବର୍ଣ୍ଣନା କରିଛନ୍ତି।

ବସନ୍ତ ଋତୁର ଆଗମନରେ ବୃକ୍ଷମାନେ ଫୁଲରେ ଭରିଉଠନ୍ତି। ହେମନ୍ତର ଶିଶିରରେ ନାଶ ଯାଇଥିବା ପଦ୍ମ ପୁଣି ଫୁଟି ହସିଉଠେ। ନାରୀମାନଙ୍କ ମନରେ କାମବାସନା ଜାଗ୍ରତ ହୁଏ। ପବନରେ ଫୁଟା ଫୁଲର ବାସ ଚହଟେ। ସନ୍ଧ୍ୟା ସୁଖକର ହେବା ଆରମ୍ଭ ହୁଏ।
ଏହିପରି ଭାବରେ ବସନ୍ତର ବର୍ଣ୍ଣନା କରି କାଳିଦାସ କହିଛନ୍ତି- ହେ ପ୍ରିୟେ! ବସନ୍ତଋତୁରେ ପ୍ରତ୍ୟେକ ବସ୍ତୁ ପୂର୍ବାପେକ୍ଷା ଅଧିକ ସୁନ୍ଦର ହୋଇଥାଏ। ବସନ୍ତଋତୁ ଜଳାଶୟର ଜଳକୁ, ମଣିରେ ନିର୍ମିତ ମେଖଳାକୁ, ଚନ୍ଦ୍ରମାର ଚାନ୍ଦିନୀକୁ, ନାରୀମାନଙ୍କୁ ଏବଂ ଆମ୍ର ବୃକ୍ଷକୁ ସୌନ୍ଦର୍ଯ୍ୟ ପ୍ରଦାନ କରେ। ଏପରି କୌଣସି ବସ୍ତୁ ଅଛି କି- ଯାହା ବସନ୍ତରେ ରମଣୀୟ ହୁଏ ନାହିଁ!” ଏହି ବର୍ଣ୍ଣନା ମାଧ୍ୟମରେ ମହାକବି କାଳିଦାସ ଯାହା ଅଭିବ୍ୟଞ୍ଜିତ କରିବାକୁ ଚାହିଁଛନ୍ତି, ତାହା ହେଉଛି- ଆମେ ମଧ୍ୟ ଏହାର ପ୍ରେରଣାରେ ଆମର ଜୀବନକୁ ଚିରବସନ୍ତରେ ପରିଣତ କରିପାରିବା।