ଏପ୍ରିଲ ୩ ରୁ ଆରମ୍ଭ ହେବ ୨୦୨୦-୨୧ ଶିକ୍ଷାବର୍ଷ ।
ଏପ୍ରିଲ ୩ ରୁ ଆରମ୍ଭ ହେବ ୨୦୨୦-୨୧ ଶିକ୍ଷାବର୍ଷ ।
admin
Mar 4, 2020 - 05:55
Updated: Mar 4, 2020 - 05:55
ଭୁବନେଶ୍ୱର:ଏପ୍ରିଲ ୩ ରୁ ଆରମ୍ଭ ହେବ ୨୦୨୦-୨୧ ଶିକ୍ଷାବର୍ଷ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଏହି ଦିନ ପ୍ରବେଶ ଉତ୍ସବ ପାଳନ କରାଯିବ । ୬ ରୁ ୧୪ ବର୍ଷ ବୟସର ସମସ୍ତ ଶିଶୁ (ଯେଉଁମାନେ ନୂଆ ନାମ ଲେଖାଇବାକୁ ଥିବେ, ପାଠପଢ଼ା ଅଧାରୁ ଛାଡ଼ିଥିବେ ବା ଆଦୌ ନାମ ଲେଖାଇ ନଥିବେ)ଙ୍କୁ ବିଦ୍ୟାଳୟକୁ ଆଣିବା ଉପରେ ବିଭାଗ ଗୁରୁତ୍ୱ ଦେଇଛି । ପ୍ରବେଶ ଉତ୍ସବ ମାଧ୍ୟମରେ ପିତାମାତା, ଅଭିଭାବକ ଓ ଲୋକଙ୍କ ମଧ୍ୟରେ ପ୍ରାଥମିକ ଶିକ୍ଷାର ଗୁରୁତ୍ୱ ଓ ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା, ଶିକ୍ଷା ଅଧିକାର ନିୟମ ୨୦୧୦ ଅନୁଯାୟୀ ପ୍ରାଥମିକ ଶିକ୍ଷା ସମ୍ପର୍କରେ ଜଣାଇବା, ବିଦ୍ୟାଳୟ ଓ ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତଙ୍କ ମନରେ ଆଗ୍ରହ ସୃଷ୍ଟି କରବାକୁ ଲକ୍ଷ୍ୟ ରଖାଯାଇଛି ।
ପ୍ରବେଶ ଉତ୍ସବ କାର୍ଯ୍ୟସୂଚୀ ଅନୁଯାୟୀ ଏପ୍ରିଲ ୩ ରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ, ଷ୍ଟାଣ୍ଡିଂ କମିଟିର ସଦସ୍ୟ, ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟ ଓ ସଭ୍ୟା, ପିତାମାତା ସଂଘ, ମାତୃମଞ୍ଚ, ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ, ଅବସରପ୍ରାପ୍ତ ଶିକ୍ଷକ / ଶିକ୍ଷୟିତ୍ରୀ, ବେସରକାରୀ ଅନୁଷ୍ଠାନ, ଅଙ୍ଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ପ୍ରତିନିଧି, ଶିକ୍ଷାବିତ ଓ ପିଲାମାନଙ୍କୁ ନେଇ ଶିକ୍ଷା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେବ । ଏହି ଶୋଭାଯାତ୍ରାରେ ଶିକ୍ଷା ଅଧିକାର ନିୟମ ୨୦୧୦ ଅନୁଯାୟୀ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ଗୁଡ଼ିକ ସ୍ଲୋଗାନ, ପ୍ଲାକାର୍ଡ ମାଧ୍ୟମରେ ପ୍ରଚାର କରାଯିବ । ଶୋଭାଯାତ୍ରା ପରେ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ/ ଅଧ୍ୟକ୍ଷାଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇ ବିଭିନ୍ନ ସଂଗଠନ, ବ୍ୟକ୍ତିବିଶେଷ ବିଦ୍ୟାଳୟର ଆଖପାଖ ଗ୍ରାମ ତଥା ପଡ଼ାରେ ଥିବା ୬ ରୁ ୧୪ ବର୍ଷ ବୟସର ପିଲାଙ୍କର ତାଲିକା ପ୍ରସ୍ତୁତ କରିବେ । ଯେଉଁମାନେ ପିଲାଙ୍କ ତାଲିକା ପ୍ରସ୍ତୁତ କରିବେ, ସେମାନଙ୍କ ପିଲାଙ୍କ ମାତାପିତା ବାଅଭିଭାବକଙ୍କୁ ନିକଟସ୍ଥ ବିଦ୍ୟାଳୟରେ ନାମ ଲେଖାଇବାକୁ ବୁଝାଇବେ । ଏପ୍ରିଲ ୮ ପର୍ଯ୍ୟନ୍ତ ପ୍ରବେଶ ଉତ୍ସବ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ।
ଏପ୍ରିଲ ୯ ରେ ସମସ୍ତ ବିଦ୍ୟାଳୟରେ ପୂର୍ଣ୍ଣ ଉପସ୍ଥାନ ପାଳନ ହେବ । ଏହି ଦିନ ବିଦ୍ୟାଳୟରେ ନାମ ଲେଖାଇଥିବା ସମସ୍ତ ପିଲାଙ୍କୁ ଫୁଲ ଓ ଚନ୍ଦନ ଦିଆଯାଇ ସ୍ୱାଗତ କରାଯିବ ଓ ପାଠ୍ୟପୁସ୍ତକ ବଣ୍ଟନ କରାଯିବ । ଏବାବଦୀୟ ଖର୍ଚ୍ଚ ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟରେ ଉପଲବ୍ଧ ଅର୍ଥରାଶିରୁ ବ୍ୟୟ କରାଯିବ ଏବଂ ଗୋଷ୍ଠୀ ସଂଚାଳନ ଉପ ବିଭାଗରେ ଭରଣା କରାଯିବ । ଏଥିରେ ସହଯୋଗ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଚିତ୍ରା ଆରୁମୁଗୁମ ଆଉ ଚିଠି ଲେଖି ସମସ୍ତ ଭିଡିଓ, ଡିପିସି, ବିଇଓ, ଏବିଇଓ ତଥା ବିଆରସିସି, ସିଆରସିସିଙ୍କୁ ଅନୁରୋଧ କରିଛନ୍ତି ।