ଊନାକୋଟି ସଂପର୍କରେ ଏକ ଚମତ୍କାର ଲୋକକଥା
ଆଠଟି ଜିଲା ବିଶିଷ୍ଟ କ୍ଷୁଦ୍ର ରାଜ୍ୟ ତ୍ରିପୁରାରେ ରହିଛି ଊନାକୋଟି ଜିଲାର ଊନାକୋଟି ପର୍ବତ। ‘ଊନାକୋଟି’ର ଅର୍ଥ- କୋଟିଏରୁ ଊଣା। ସାଧାରଣତଃ ତ୍ରିପୁରା ହେଉଛି ଶୈବାଳୟ। ଶିବଙ୍କର ତ୍ରିପୁରାରି ନାମରୁ ତ୍ରିପୁରା ରାଜ୍ୟର ନାମ ଆସିଛି। ପୁରାଣର ବର୍ଣ୍ଣନା ଅନୁସାରେ, ତ୍ରିପୁରାଠାରେ ଶିବ ତ୍ରିପୁରାସୁରର ତିନି ନଗରୀକୁ ତୀର ମାରି ଧ୍ୱଂସ କରିଥିଲେ। ସେହି ଯୁଦ୍ଧରେ ଦେବତାମାନେ ଶିବଙ୍କୁ ସହଯୋଗ କରିଥିଲେ। ଯୁଦ୍ଧ ପରେ ତ୍ରିପୁରା ପାହାଡ଼ ଉପରେ ଶିବ କିଛି ସମୟ ବିଶ୍ରାମ ନେଇ କୈଳାସ ଅଭିମୁଖେ ଯାତ୍ରା କରିଥିଲେ।
ସେଠାରେ ଥିବା ଜନଜାତିମାନଙ୍କ ମୁଖରେ ଊନାକୋଟି ସଂପର୍କରେ ଏକ ଚମତ୍କାର ଲୋକକଥା ଶୁଣିବାକୁ ମିଳେ। ଊନାକୋଟିରେ ବିଶ୍ରାମ କଲାବେଳେ ପାର୍ବତୀ ସେଠାରେ ଥିବା କାଳୁଗୁର୍ଜର ନାମକ ଏକ ମୂର୍ତ୍ତିକାରର କଳାକୃତି ଦେଖି ଚମତ୍କୃତ ହୋଇଥିଲେ ଏବଂ ତାକୁ କୈଳାସ ନେଇ ଯିବାପାଇଁ ଶିବଙ୍କୁ ଅନୁରୋଧ କରିଥିଲେ। ଶିବ ସେଥିରେ ରାଜି ହେଲେ; କିନ୍ତୁ ସର୍ତ୍ତ ରଖିଲେ- କାଳୁ ଯଦି ଏକ ରାତ୍ରି ମଧ୍ୟରେ ଏକକୋଟି ମୂର୍ତ୍ତି ନିର୍ମାଣ କରିଦେବ, ତେବେ ସେ ତାକୁ ସଙ୍ଗରେ ନେଇଯିବେ। କାଳୁ ମୂର୍ତ୍ତି ଗଢ଼ିବାରେ ଲାଗିଲା। ସକାଳେ ଦେଖାଗଲା, ସେହି ମୂର୍ତ୍ତିର ସଂଖ୍ୟା ଏକ କୋଟିରୁ ଗୋଟିଏ କମ୍। ସର୍ତ୍ତ ଅନୁସାରେ କୋଟିଏ ପୂର୍ଣ୍ଣ ନହେବାରୁ କାଳୁକୁ ସେଠାରେ ଛାଡ଼ି ଶିବ, ପାର୍ବତୀ ଓ ଅନ୍ୟାନ୍ୟ ଦେବଦେବୀମାନେ ସେଠାରୁ ଚାଲିଗଲେ।
ପର୍ବତମାଳିନୀ ତ୍ରିପୁରାର ସୁନ୍ଦରତମ ପର୍ବତ ଉପରେ ରହିଛି ଏହି ଆକର୍ଷଣୀୟ ଶୈବପୀଠ। ପ୍ରାୟ ସପ୍ତମରୁ ନବମ ଶତାବ୍ଦୀ ମଧ୍ୟରେ ଅଙ୍କିତ ଓ ଖୋତିତ ଏହି କଳାକୃତି ପ୍ରାୟ ଏକ କୋଟି ପାଖାପାଖି। ବିଷ୍ଣୁ, ଦୁର୍ଗା, ସୂର୍ଯ୍ୟ, ସିଂହବାହିନୀ ଦୁର୍ଗା ଆଦି ଅନେକ ଦେବଦେବୀଙ୍କର ପଥର ଖୋଦିତ ସ୍ଥାପତ୍ୟ ତଥା ଅଙ୍କିତ ଲେପଚିତ୍ର ଏଠାରେ ରହିଛି। ଏହା ମଧ୍ୟରେ ରହିଛି ଊନାକୋଟୀଶ୍ୱର କାଳଭୈରବଙ୍କର ପ୍ରସ୍ତରଖୋଦିତ ଏକ ମୂର୍ତ୍ତି। ତାହାର ଉଚ୍ଚତା ପ୍ରାୟ ୩୦ଫୁଟ ଏବଂ ତାହାଙ୍କର ମସ୍ତକ ଉପରେ ରହିଛି ଏକ କାରୁକାର୍ଯ୍ୟ ଶୋଭିତ ଶିରୋଭୂଷା। ଏହି ଖୋଦିତ ସ୍ଥାପତ୍ୟର ଦୁଇପାର୍ଶ୍ବରେ ଦୁଇଟି ନାରୀ ମୂର୍ତ୍ତି ବିଦ୍ୟମାନ। ଗୋଟିଏ ପାର୍ଶ୍ବରେ ରହିଛନ୍ତି ସିଂହବାହିନୀ ଦେବୀଦୁର୍ଗା ଏବଂ ଅନ୍ୟ ପାର୍ଶ୍ବରେ ରହିଛନ୍ତି ମକରବାହିନୀ ଦେବୀଗଙ୍ଗା। ଏହା ସହିତ ତାହାର ନିମ୍ନ ଭାଗରେ ଅଧାପୋତା ତିନୋଟି ନନ୍ଦୀ ମୂର୍ତ୍ତି ରହିଛନ୍ତି। ଝରଣା, ବୃକ୍ଷଲତା ଓ ପଶୁପକ୍ଷୀ ଶୋଭିତ ପାହାଡ଼ ଦେହରେ, ଏହି ବିଶାଳ ପର୍ବତ ଉପରେ, ବିଛାଡ଼ି ହୋଇ ପଡ଼ିଥିବା ଏହି ଅସାମାନ୍ୟ କଳାକୃତିକୁ ଦେଖି ଏହାକୁ ଉତ୍ତର-ପୂର୍ବ ଭାରତର ଆଙ୍କରଭଟ କୁହାଯାଇଥାଏ।
ଏହି ଶୈବପୀଠକୁ ଅଶୋକାଷ୍ଟମୀ ତିଥିରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି। ଏହା ବ୍ୟତୀତ, ଏହାର ପ୍ରାକୃତିକ ଶୋଭା ଦର୍ଶନ କରିବା ନିମିତ୍ତ ବର୍ଷସାରା ପର୍ଯ୍ୟଟକଙ୍କର ଭିଡ଼ ଲାଗି ରହିଥାଏ।




admin 