ମନ୍ତ୍ରୀପଦ ହରାଇଲା ପରେ ରୋହିତ ପୂଜାରୀଙ୍କ ପ୍ରତିକ୍ରିୟା

ମନ୍ତ୍ରୀପଦ ହରାଇଲା ପରେ ରୋହିତ ପୂଜାରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ବିଭାଗୱାରୀ ସମୀକ୍ଷାରେ ତାଙ୍କ ପ୍ରଦର୍ଶନ ଠିକ୍ ନଥିବା କାରଣ ଦର୍ଶାଇ ରୋହିତ ପୂଜାରୀଙ୍କୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ପଦରୁ ହଟାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋହିତ ପୂଜାରୀଙ୍କ ଇସ୍ତଫା ଗ୍ରହଣ କରିବାକୁ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଅତିରିକ୍ତ ଭାବେ ଦିଆଯାଇଛି ଉଚ୍ଚ ଶିକ୍ଷା ବିଭାଗ ।

ଏପଟେ କିନ୍ତୁ ନବୀନ ସରକାରଙ୍କ ପଞ୍ଚମ ପାଳିର ଏହି ଘଟଣା ଆଉ ଏକ ମାଷ୍ଟରଷ୍ଟ୍ରୋକ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଧରୁଛି ।ମନ୍ତ୍ରୀ ପଦ ଯିବା ପରେ ନିଜର ପ୍ରତିକ୍ରିୟାରେ ରୋହିତ ପୂଜାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋତେ ବହୁ ସୁଯୋଗ ଦେଇଛନ୍ତି। ମୋତେ ନିଗମ ଅଧ୍ୟକ୍ଷ, ଜିଲ୍ଲା ସଭାପତି କରିଥିଲେ। ଦୁଇ ଦୁଇ ଥର ବିଧାୟକ ଟିକେଟ ଦେଇଛନ୍ତି। ଏପରିକି ଭରସା ବଢିବାରୁ ଉଚ୍ଚଶିକ୍ଷା ମନ୍ତ୍ରୀ କରିଥିଲେ। ମୁଁ ମନ୍ତ୍ରୀ ଭାବେ ଆଶାଜନକ କାମ କରିଛି। ହୁଏତ ମୁଖ୍ୟମନ୍ତ୍ରୀ ଅଧିକ ଆଶା କରିଥାଇପାରନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଅନେକ କାର୍ୟ୍ୟ ଦେଇଛନ୍ତି ସେଗୁଡିକ ମୁଁ ସୁଚାରରୂପେ ପାଳନ କରିଛି। ଆଗକୁ ଭଲ କାମ କରିବାକୁ ଚେଷ୍ଟା କରିବି। ଦଳର ଜଣେ କର୍ମୀ ଦଳ ପକ୍ଷରୁ ଯାହା କାର୍ୟ୍ୟ ଦିଆଯିବ ସେଗୁଡିକ ମୁଁ ସମ୍ପାଦନ କରିବି। ବିଗତ ଦିନରେ ମୁଖ୍ୟମନ୍ତ୍ରୀ ମୋତେ ବହୁତ ଆଶୀର୍ବାଦ ଦେଇଥିଲେ। ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ନେଇ ମୋର ଦୁଃଖ ନାହିଁ। ଆଗକୁ ଆହୁରି ଶିଖିବି, ଯାହା ଦାୟିତ୍ଵ ଦେବେ କରିବି।