ଲାଗୁ ହେଲା ଶ୍ରୀମନ୍ଦିରରେ ଡ୍ରେସ କୋର୍ଡ

ଲାଗୁ ହେଲା ଶ୍ରୀମନ୍ଦିରରେ ଡ୍ରେସ କୋର୍ଡ

ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ପ୍ରସଙ୍ଗରେ ଗୁରୁବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଚିଠି ମାଧ୍ୟମରେ ସମସ୍ତ ନିଯୋଗ ସମ୍ପାଦକ ଏବଂ ସଭାପତିଙ୍କୁ ଅବଗତ କରାଇଛନ୍ତି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ଗତ ୯ ତାରିଖରେ ଅନୁଷ୍ଠିତ ନୀତି ସବ୍‌କମିଟି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ କରାଯାଇଛି। ଭକ୍ତମାନେ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିବା ବାଞ୍ଛନୀୟ। ଏଥିନିମନ୍ତେ ନିର୍ଦ୍ଦିଷ୍ଟ କୌଣସି ପୋଷାକ ତାଲିକା ଧାର୍ଯ୍ୟ କରାଯାଇନାହିଁ। ତେବେ ପୁରୁଷମାନେ ପ୍ୟାଣ୍ଟ, ଶାର୍ଟ, ଚୁଡ଼ିଦାର ପଞ୍ଜାବୀ, ଧୋତି ଆଦି ପାରମ୍ପରିକ ପୋଷାକ ପିନ୍ଧିପାରିବେ। ସେହିପରି ମହିଳାମାନେ ଶାଢି, ସାଲଓ୍ବର କମିଜ ପରି ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରିବେ, ଯାହା ଏକ ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ସହ ଆଧ୍ୟାତ୍ମିକ ସମର୍ପଣ ମନୋଭାବ ସଞ୍ଚରଣ କରିବ। ସେବାୟତମାନେ କେଉଁ ଅନାଦି କାଳରୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହିମାର ପ୍ରଚାର ପ୍ରସାର କରିଆସୁଛନ୍ତି। ଦୂରାଗତ ଭକ୍ତମାନେ ସେବାୟତଙ୍କ ସହଯୋଗରେ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଇଥାନ୍ତି। ତେଣୁ ବାହାରୁ ଆସୁଥିବା ଭକ୍ତଙ୍କୁ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନେଇ ପ୍ରଶିକ୍ଷିତ ଓ ସଚେତନ କରିବା ପାଇଁ ଚିଠିରେ ଅନୁରୋଧ କରାଯାଇଛି।