୪୮ ଘଣ୍ଟାରେ ଲଘୁଚାପ, ୧୪ ଯାଏ ବର୍ଷା

୪୮ ଘଣ୍ଟାରେ ଲଘୁଚାପ, ୧୪ ଯାଏ ବର୍ଷା

୪୮ ଘଣ୍ଟାରେ ଲଘୁଚାପ, ୧୪ ଯାଏ ବର୍ଷା
ଭୁବନେଶ୍ୱର : ଉତ୍ତରପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ । ଯାହାକି ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଲଗ୍ନ ଅଞ୍ଚଳ ଉପରେ ରହି ପରବର୍ତ୍ତୀସ ମୟରେ ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ପ୍ରଭାବରେ ସୋମବାରଠାରୁ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ । ଏହି ସମୟରେ କେରଳର ଅଧିକାଂଶ ସ୍ଥାନରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୧୨ ଓ ୧୩ ତାରିଖରେ ଅଧିକ ବର୍ଷା ହେବ । ୧୨ ତାରିଖରେ ଉତ୍ତର ଓ ପଶ୍ଚିମ ଓଡ଼ିଶା ଯଥା ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ନବରଙ୍ଗପୁର, ବରଗଡ଼ ଓ ନୂଆପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ସମୟ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, ରାୟଗଡ଼ା, ଢ଼େଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୧୩ ରୁ ୧୪ ତାରିଖ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ଭଦ୍ରକ, କେନ୍ଦ୍ରାପଡ଼ା ଓ କଟକରେ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଲଘୁଚାପ ପ୍ରଭାବରେ ଉତ୍ତର ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନେ ୧୨ ତାରିଖ ସୁଦ୍ଧା କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରଣିତ ହେବ । ତାହା ପଶ୍ଚିମ ଦିଗରେ ଗତି କରି ୧୩ ତାରିଖରେ ଝାଡ଼ଖଣ୍ଡ, ଦକ୍ଷିଣ ଉତ୍ତର ପ୍ରଦେଶ ଉପରେ ରହିବା ପରେ ଉତ୍ତରପ୍ରଦେଶରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ରହିବ । ଏହା ଦ୍ୱାରା ରାଜ୍ୟରେ ୧୨ ତାରିଖ ସକାଳଠାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ହେବ । ଯାହାକି ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଲାଗିରହିବ । ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟର ଅବିଭକ୍ତ କୋରାପୁଟ ସମେତ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ବହୁତ କମ୍ ବର୍ଷା ହେବ । ଏହା ପରେ ୧୮ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହୁଛି । ଏହା ଦ୍ୱାରା ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ । ଏହି ତିନି ଦିନରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଭଲ ବର୍ଷା ହେବାକୁ ଥିବା ବେଳେ ଦକ୍ଷିଣ ଓଡ଼ିଶାରେ କମ୍ ବର୍ଷା ହେବ । ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳରେ ୮୦ ମିମି ବର୍ଷା ହେବାକୁ ଥିବା ବେଳେ ପଶ୍ଚିମ ଓଡ଼ିଶାରେ ୬୦ ରୁ ୭୦ ମିମି ବର୍ଷା ହେବ । ମୋଟାମୋଟି ଭାବେ ୨୦ ତାରିଖ ମଧ୍ୟରେ ରାଜ୍ୟର ହାରାହାରି ୧୨୦ ରୁ ୧୩୦ ମିମି ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଇଛି ।