ଯୁକ୍ତ ୨ ନାମ ଲେଖେଇବେ କି ? ଜାଣନ୍ତୁ ପ୍ରଣାଳୀ
ଭୁବନେଶ୍ବର : ଯୁକ୍ତ୨ କଲେଜର ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ମେ’ ୨୯ରୁ ପ୍ରକ୍ରିୟା ଆରମ୍ଭ ହେବ। ଦୁଇ ମାସ ଧରି ଚାଲିବାକୁ ଥିବା ଏହି ପ୍ରକ୍ରିୟା ଅନ୍ଲାଇନ୍ରେ ଅନୁଷ୍ଠିତ ହେବ। କୌଣସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ ଅଫ୍ଲାଇନ୍ରେ ଛାତ୍ରଛାତ୍ରୀଙ୍କ ନାମଲେଖା କରିପାରିବେ ନାହିଁ।
୩ଟି ପର୍ଯ୍ୟାୟରେ ମେଧା ତାଲିକା ପ୍ରକାଶ ସହ ଛାତ୍ରଛାତ୍ରୀଙ୍କ ନାମଲେଖା କରାଯିବ। ଖୁବ୍ଶୀଘ୍ର ନାମଲେଖା ପ୍ରକ୍ରିୟାର ବିସ୍ତୃତ ତାରିଖ ଘୋଷଣା ହେବ। ଜୁଲାଇ ମାସରୁ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷଠାରୁ ଅନ୍ଲାଇନ ଜରିଆରେ ଯୁକ୍ତ୨ ସ୍ପଟ ନାମଲେଖା ଅନୁଷ୍ଠିତ ହେବ। ମେଧାବୀ ତାଲିକା ଅନୁସାରେ ଛାତ୍ରଛାତ୍ରୀଙ୍କୁ ସିଟ୍ ମିଳିବ। ସ୍ପଟ୍ ନାମଲେଖା ପାଇଁ ସିଲେକ୍ସନ୍ ହେଲେ ହ୍ୱାଟ୍ସଆପ୍ କିମ୍ବା ଏସ୍ଏମ୍ଏସ୍ ଜରିଆରେ ସୂଚନା ଦିଆଯିବ। କାଗଜପତ୍ରରେ ଦୁର୍ନୀତି ରୋକିବାକୁ ସାମ୍ସ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଥିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।
୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ୨୧୭୩ ଯୁକ୍ତ୨ କଲେଜର ୫ଲକ୍ଷ ୨୨ ହଜାରରୁ ଅଧିକ ସିଟ୍ରେ ନାମଲେଖା ହେବ। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୮୦ ହଜାର ସିଟ୍ରେ ନାମଲେଖା ହେବାକୁ ଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୬୫ହଜାର, ବାଣିଜ୍ୟରେ ୪୬ହଜାର ସିଟ୍ରେ ନାମଲେଖା କରାଯିବ। ୨୫୧ଟି ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦ ହଜାରରୁ ଅଧିକ ସିଟ୍ରେ ନାମଲେଖା କରିବାକୁ ଆଜି ଗଣଶିକ୍ଷା ବିଭାଗ ଅଧିକାରୀମାନଙ୍କୁ ନେଇ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବିଗତ ଦୁଇବର୍ଷ ହେଲା ଲକ୍ଷାଧିକ ସିଟ୍ ଖାଲି ପଡ଼ୁଥିବାରୁ ସେଥିପ୍ରତି ମଧ୍ୟ ଗୁରୁତ୍ବ ଦିଆଯାଇଛି।




admin 