ଏମଏମ ରାଜେନ୍ଦ୍ରନଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମଏମ ରାଜେନ୍ଦ୍ରନଙ୍କର ଶନିବାର ୮୮ ବର୍ଷ ବୟସରେ ପରଲୋକ ଘଟିଛି। ସେ କିଛି ଦିନ ଧରି ଚେନ୍ନାଇ ଆପୋଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ଏମଏମ ରାଜେନ୍ଦ୍ରନ ୧୯୫୭ ବ୍ୟାଚ ଆଇଏଏସ ଟପ୍ପର ଥିଲେ ଏବଂ ପରେ ତାମିଲନାଡୁର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ସମ୍ବାଳିଥିଲେ । ପରେ ୧୯୯୯ ମହାବାତ୍ୟା ପରେ ପରେ ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ ।
୧୯୬୪ ଧନୁଶଖୋଲି ବାତ୍ୟା ସମୟରେ ସେ ରାମନାଥପୁରମର ଜିଲ୍ଲାପାଳ ଥିଲେ ଏବଂ ବାତ୍ୟା ମୁକାବିଲା କରିବାର ତାଙ୍କର ଅନୁଭୂତି ରହିଥିଲା । ସେହି ଅନୁଭୂତି ତାଙ୍କୁ ବାତ୍ୟା ବିଧ୍ୱସ୍ତ ଓଡ଼ିଶାକୁ ସଜାଡିବାରେ ସାହାଯ୍ୟ କରିଥିଲା । ସେ ସମୟର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କୁ ମହାବାତ୍ୟା ପରେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ ଏବଂ ଚିରାଚରିତ ରାଜ୍ୟପାଳ ନ ହୋଇ ବାତ୍ୟା କ୍ଷତିଗ୍ରସ୍ତ ରାଜ୍ୟକୁ ସମ୍ବାଳିବା ପାଇଁ ଆଗେଇ ଆସିବାକୁ ତାଙ୍କୁ ପରାମର୍ଶ ଦେଇଥିଲେ । ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କୁ ସହଯୋଗ କରିବାକୁ କହିଥିଲେ । ଗତବର୍ଷ ଓଡ଼ିଶା ଆସିଥିଲେ ଏବଂ ରାଜଭବନରେ ତାଙ୍କ ଲିଖିତ ପୁସ୍ତକ ସର୍ଭିସ ଅନଇଣ୍ଟରପ୍ଟେଡ ଉନ୍ମୋଚନ କରିଥିଲେ।