ଝାରସୁଗୁଡ଼ା ଉପନିର୍ବାଚନ: ପ୍ରଚାର ମଇଦାନରେ ନବୀନ
ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ସପକ୍ଷରେ ଭୋଟ୍ ପାଇଁ ପ୍ରଚାର କରିବାର ସମ୍ଭାବନା ରହିଛି । ନବୀନଙ୍କ ଗସ୍ତ କାର୍ୟ୍ୟକ୍ରମ ଚୂଡ଼ାନ୍ତ ହୋଇନଥିଲେ ସୁଦ୍ଧା ନବୀନ ୭ତାରିଖରେ ଝାରସୁଗୁଡ଼ାରେ ଦିନକ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ବିଜେଡି ସୂତ୍ରରୁ ସୂଚନା ମିଳିଛି ।
ତେବେ ଚୂଡ଼ାନ୍ତ କାର୍ୟ୍ୟସୂଚୀ ଏପର୍ୟ୍ୟନ୍ତ ପ୍ରସ୍ତୁତ ହୋଇନଥିବାବେଳେ ବ୍ଲକ ଓ ପଂଚାୟତ ଦାୟିତ୍ୱରେ ଥିବା ବିଜେଡି ନେତାମାନେ ପ୍ରଚାର ମଇଦାନକୁ ମୁଖ୍ୟମନ୍ତ୍ରୀ ଆସିବେ ବୋଲି ଦଳୀୟ କର୍ମୀଙ୍କୁ ଅବଗତ କରୁଥିବା ଜଣାପଡ଼ିଛି । ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି ଯେ, ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉପନିର୍ବାଚନରେ ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି । ତାଙ୍କର ଝାରସୁଗୁଡ଼ାକୁ ଆସିବା ଦିନ ଏପର୍ୟ୍ୟନ୍ତ ଧାର୍ୟ୍ୟ ହୋଇନି । ତାଙ୍କ ଗସ୍ତ କାର୍ୟ୍ୟକ୍ରମ ପାଇଁ ବିଚାରବିମର୍ଶ ଚାଲିଛି । ତେବେ ବିଜେଡି ସୂତ୍ର ଅନୁସାରେ, ମେ’ ୧୦ତାରିଖରେ ଭୋଟଗ୍ରହଣ ଥିବାରୁ ୮ତାରିଖରେ ପ୍ରଚାର ଶେଷ ହେବ । ନବୀନ ୭ କିମ୍ବା ୮ ତାରିଖରେ ଗୋଟିଏ ଦିନ ପାଇଁ ମାରାଥନ୍ ନିର୍ବାଚନୀ ପ୍ରଚାରକୁ ଓହ୍ଲାଇବେ । ଶେଷଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ପ୍ରଚାରକୁ ଓହ୍ଲାଇଥିଲେ । ସୂଚନାଯୋଗ୍ୟ, ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୨.୨୧ଲକ୍ଷ ଭୋଟର ଅଛନ୍ତି । ୨୫୩ଟି ଭୋଟଗ୍ରହଣ କେନ୍ଦ୍ରରେ ଆସନ୍ତା ୧୦ତାରିଖରେ ମତଦାନ ହେବ ।




admin 