କରୋନା ପରେ ଦେଖାଦେଇଛି ରାଜନୀତିରେ ହଟସ୍ପଟ,ଗେହଲଟ-ଯୋଗୀ-ନୀତୀଶ ମୁହାଁମୁହିଁ

କରୋନା ପରେ ଦେଖାଦେଇଛି ରାଜନୀତିରେ ହଟସ୍ପଟ,ଗେହଲଟ-ଯୋଗୀ-ନୀତୀଶ ମୁହାଁମୁହିଁ

କରୋନା ପରେ ଦେଖାଦେଇଛି ରାଜନୀତିରେ ହଟସ୍ପଟ,ଗେହଲଟ-ଯୋଗୀ-ନୀତୀଶ ମୁହାଁମୁହିଁ
କରୋନା ମହାମାରୀ ସଂକଟ ଭିତରେ ରାଜସ୍ଥାନର କୋଟା ସହର ଏବେ ରାଜନୀତିର ବଡ଼ ହଟସ୍ପଟ ପାଲଟିଯାଇଛି । ଦେଶକୁ ବହୁ ସଂଖ୍ୟାରେ ଡାକ୍ତର ଓ ଇଞ୍ଜିନିୟର ଦେଉଥିବା କୋଟାରୁ ଛାତ୍ରମାନଙ୍କୁ ଫେରାଇ ଆଣିବା ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଏଠାରେ ଫସିଥିବା ପ୍ରାୟ ୩୫ ହଜାର ଛାତ୍ର ସେମାନଙ୍କ ଘରକୁ ଫେରିବାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ତିକ୍ତତା ବଢ଼ିଛି । ଛାତ୍ରମାନେ ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ସୋସିଆଲ ମିଡିଆରେ ଜୋରଦାର ଅଭିଯାନ ଚଳାଇବା ପରେ ଉତ୍ତରପ୍ରଦେଶ ସରକାର କୋଟାକୁ ବସ ପଠାଇ ଏବେ ଛାତ୍ରମାନଙ୍କୁ ଫେରାଇ ଆଣୁଛନ୍ତି । ତେବେ ଲକଡାଉନ ସମୟରେ ଶହ ଶହ ବସ ବ୍ୟବହାର କରି ଛାତ୍ରଙ୍କୁ ଅଣାଯିବାକୁ ବିହାର ମୁଖ୍ୟମନ୍ତ୍ରୀ ବିରୋଧ କରିଛନ୍ତି । ଏହା ଲକଡାଉନର ଘୋର ଉଲ୍ଲଂଘନ ଦର୍ଶାଇବା ସହ ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ନୀତୀଶଙ୍କ ବିରୋଧକୁ ଗେହଲଟ ପ୍ରତ୍ୟାଖ୍ୟାନ କରିଛନ୍ତି । କୋଟାରେ ୟୁପିର ୭୫୦୦ ଛାତ୍ରଥିବା ବେଳେ ବିହାରର ୬୫୦୦ ଛାତ୍ର ଅଛନ୍ତି । ଅଧିକାଂଶ ଛାତ୍ରଛାତ୍ରୀ କୋଚିଂ ଇନଷ୍ଟିଚ୍ୟୁଟର ହଷ୍ଟେଲରେ ରହୁଛନ୍ତି । ଲକଡାଉନ ସମୟରେ ସେମାନଙ୍କ ଖାଦ୍ୟପେୟରେ ସମସ୍ୟା ସହିତ ସେମାନେ ଏକୁଟିଆ ଅନୁଭବ କରୁଛନ୍ତି । ୟୁପି ସରକାର ଛାତ୍ରଙ୍କୁ ଆଣିବା ପ୍ରକ୍ରିୟା ଆରମ୍ଭ କରିବା ପରେ ବିହାରର ଛାତ୍ରଛାତ୍ରୀମାନେ ଏହାକୁ ସମର୍ଥନ କରିବା ସହ ବିହାର ସରକାର ମଧ୍ୟ ତୁରନ୍ତ ସେମାନଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ବିଏସପି ସୁପ୍ରିମୋ ମାୟାବତୀ ଯୋଗୀ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଇତିମଧ୍ୟରେ ଯୋଗୀଙ୍କ ପଦକ୍ଷେପକୁ ସମର୍ଥନ କରିଥିବା ବେଳେ ନୀତୀଶଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଏହି ମାମଲାରେ ନୀତୀଶ ସରକାରଙ୍କ ଘେରିଛନ୍ତି । ସରକାର ପ୍ରବାସୀ ଶ୍ରମିକ ଏବଂ ଛାତ୍ରଙ୍କ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଆଚରଣ କରୁଛନ୍ତି ବୋଲି ତେଜସ୍ୱୀ କହିଛନ୍ତି । ଅନ୍ୟ ପକ୍ଷରେ ବିହାର ମୁଖ୍ୟମନ୍ତ୍ରୀ ବିରୋଧକୁ ଯୋଗୀ କର୍ଣ୍ଣପାତ କରୁନାହାନ୍ତି ।