ନୂଆ ପ୍ରଜାତିର ତେଲୁଣି ପୋକ

ନୂଆ ପ୍ରଜାତିର ତେଲୁଣି ପୋକ

କାଲିଫର୍ଣ୍ଣିଆ : ଆକର୍ଷଣୀୟ ସହରୀ ଢାଞ୍ଚା ଓ ସୁନ୍ଦର କୋଠାବାଡ଼ି ପାଇଁ ଖ୍ୟାତ ଆମେରିକାର ଲସ୍‌ ଆଞ୍ଜେଲସ୍‌ ସହରର ରାସ୍ତା ତଳେ ଲୁଚି ରହିଥିବା ଏକ ଚମତ୍କାର ଆବିଷ୍କାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାହା ହେଉଛି ଏକ ନୂତନ ପ୍ରଜାତିର ଅମେରୁଦଣ୍ଡୀ ଶତପଦ (ସେଣ୍ଟିପେଡ୍‌) ପ୍ରାଣୀ। ତେଲୁଣି ପୋକ ପରି ଶତପଦ ଇତର ପ୍ରାଣୀଙ୍କ ଭଳି ଏହି ନୂଆ ପ୍ରଜାତିର ବୈଶିଷ୍ଟ୍ୟ ତାହାକୁ ଅନ୍ୟ ଜଣାଶୁଣା ଶତପଦ ପ୍ରଜାତିଙ୍କ ଠାରୁ ପୃଥକ୍‌ କରିଛି। ଈଷତ୍‌ ସ୍ବଚ୍ଛ ବର୍ଣ୍ଣର ଏହି ଚମତ୍କାର ଜୀବଟି ସଂପୂର୍ଣ୍ଣ ଅନ୍ଧ ହୋଇଥିବା ବେଳେ ତାହାର ଗୋଡ଼ ସଂଖ୍ୟା ୪୮୬। ଏହି କୀଟଟି ପ୍ରଥମେ କାଲିଫର୍ଣ୍ଣିଆର ରାସ୍ତାକଡ଼ ନିକଟ ଏକ ଚଷମା ଦୋକାନରୁ ଆବିଷ୍କୃତ ହୋଇଥିଲା।

ଏକ ପେପରକ୍ଳିପ୍‌ ଲମ୍ବର ଏବଂ ପେନ୍‌ସିଲ୍‌ ମୁନ ମୋଟେଇର ଏହି କୀଟଟିର ଶରୀର ଅର୍ଦ୍ଧସ୍ବଚ୍ଛ। ଏହା ଭୂଇଁର ଚାରି ଇଞ୍ଚ ଗଭୀରକୁ ପଶିଯାଇ ଏକ ପ୍ରକାର ଅଜଣା ରାସାୟନିକ ପଦାର୍ଥ ନିର୍ଗତ କରୁଛି। ଆଖି ନଥିବାରୁ ଖପୁରି ଉପରେ ଥିବା ଦୁଇଟି ଶୁଣ୍ଢ ସାହାଯ୍ୟରେ ସେ ଦିଗ ନିର୍ଣ୍ଣୟ କରିପାରୁଛି। ଜୀବବିଜ୍ଞାନୀମାନେ ଏହି ପ୍ରଜାତି କୀଟର ନାମ ‘ଲସ୍‌ ଆଞ୍ଜେଲସ ଥ୍ରେଡ୍‌ ମିଲିପିଡ୍‌’ ରଖିଛନ୍ତି। ପୂର୍ବରୁ କାଲିଫର୍ଣ୍ଣିଆରୁ ଆବିଷ୍କୃତ ହୋଇଥିବା ଅନୁରୂପ ମିଲିପେଡ୍‌ର ୭୫୦ଟି ଗୋଡ଼ ଥିବା ବେଳେ ୨୦୨୧ରେ ଅଷ୍ଟ୍ରେଲିଆରେ ଆବିଷ୍କୃତ ଏ ପ୍ରକାର ଅନ୍ୟତମ କୀଟର ସର୍ବାଧିକ ୧,୩୦୬ଟି ଗୋଡ଼ ଥିବା ଜଣାଯାଇଛି।