ଶରୀରରେ ଅଧିକ ଜଳ ରକ୍ତରେ କମାଏ ସୋଡିୟମ୍

ଶରୀରରେ ଅଧିକ ଜଳ ରକ୍ତରେ କମାଏ ସୋଡିୟମ୍

କାନାଡା : କଥାରେ କହନ୍ତି ଜଳ ହିଁ ଜୀବନ। ଜଣେ ମୃତ୍ୟୁମୁଖୀ କ୍ଷୁଧାର୍ତ୍ତର ମୁହଁରେ ଜଳମୁନ୍ଦେ ପଡ଼ିଗଲେ ସେ ସତେଜ ହୋଇଉଠେ। ମାତ୍ର କାନାଡା ଅନ୍ତର୍ଗତ ଟରୋଣ୍ଟୋର ଜଣେ ମହିଳା ଦୈନିକ ୪ ଲିଟର ଲେଖାଏଁ ପାଣି ପିଇ ଭୀଷଣ ଭାବରେ ଅସୁସ୍ଥ ହୋଇପଡ଼ିବା ସହିତ ଡାକ୍ତରଖାନାରେ ଶଯ୍ୟାଶାୟୀ ହୋଇ ଚିକିତ୍ସିତ ହୋଇଛନ୍ତି। ମିଚେଲ୍ ଫେୟାରବର୍ଣ୍ଣ ନାମକ ଏହି ମହିଳା ଜଣକ ସାମାଜିକ ଗଣମାଧ୍ୟମର ଏକ ଅଦ୍ଭୁତ ଆହ୍ବାନ ଗ୍ରହଣ କରିଥିଲେ। ‘୭୫ ହାର୍ଡସ୍‌’ ନାମକ ଏହି ଚ୍ୟାଲେଞ୍ଜରେ ଦୀର୍ଘ ୭୫ ଦିନ ଯାଏ ଦିନକୁ ଏକ ଗ୍ୟାଲନ୍‌ ବା ପାଖାପାଖି ୪ ଲିଟର ପାଣି ପିଇବା ଦରକାର। ତେବେ ପ୍ରଥମେ ଏହାକୁ ଏକ ସହଜ ବୋଲି ଭାବି ଫେୟାରବର୍ଣ୍ଣ ତାଙ୍କ ଅଭିଯାନ ଆରମ୍ଭ କରିଥିଲେ। ତାହାର ଦ୍ବାଦଶ ଦିବସରେ ସେ ଭୀଷଣ ଭାବରେ ଅସୁସ୍ଥ ହୋଇପଡ଼ିଲେ। ତାଙ୍କ ମୁଣ୍ଡ ବୁଲାଇବା ସହ ସେ ଚଲାବୁଲା କରିପାରିଲେ ନାହିଁ। 

ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରିବାରୁ ପ୍ରବଳ ଜଳପାନ ଯୋଗୁଁ ତାଙ୍କ ରକ୍ତରେ ସୋଡିଅମ୍‌ ପରିମାଣ କମିଯାଇଥିବା ଜଣାପଡ଼ିଥିଲା। ଏହାକୁ ‘ପାଣି ବିଷକ୍ରିୟା’ ବୋଲି କୁହାଯାଏ। ଠିକଣା ସମୟରେ ଡାକ୍ତରଖାନାରେ ଭର୍ତ୍ତି ହୋଇନଥିଲେ ତାହା ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥା’ନ୍ତା ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଏବେ ଫେୟାରବର୍ଣ୍ଣ ବିଭିନ୍ନ ପ୍ରକାର ଖାଦ୍ୟ, ଭିଟାମିନ ଓ ଔଷଧ ସାଙ୍ଗକୁ ଦିନକୁ ମାତ୍ର ଅଧଲିଟରରୁ କମ୍‌ ପାଣି ପିଉଛନ୍ତି। ତାଙ୍କୁ ସ୍ବାଭାବିକ ହେବାକୁ ଆଉ କିଛି ଦିନ ଲାଗିବ ବୋଲି ଡାକ୍ତର କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅତ୍ୟଧିକ ପାଣି ପିଇବା ଦ୍ବାରା ବିଷକ୍ରିୟା ହେବା ଖୁବ୍ ବିରଳ ଘଟଣା।