ହାଇଟେକ୍ ବିସ୍ଫୋରଣ ଘଟଣା: ହେବ ଡିଏନଏ ଟେଷ୍ଟ
ଭୁବନେଶ୍ୱର : ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ମୃତ ଘୋଷିତ ଦିଲ୍ଲୀପ ବଞ୍ଚିଥିବା ଚର୍ଚ୍ଚା ବଢ଼ୁଥିବା ବେଳେ ଦ୍ୱନ୍ଦ୍ୱ ଦୂର ପାଇଁ ଡିଏନଏ ଟେଷ୍ଟ କରାଯାଇପାରେ । ଆଜି ହସ୍ପିଟାଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଦିଲ୍ଲୀପ ବୋଲି କହୁଥିବା ବ୍ୟକ୍ତି ୯୦-୯୫ ପ୍ରତିଶତ ଦିଲ୍ଲୀପ ସାମନ୍ତରାୟ ହିଁ ବୋଲି ସେ ସ୍ୱଷ୍ଟ ହେଉଛନ୍ତି । କାରଣ ଦିଲ୍ଲୀପଙ୍କ ସମ୍ପର୍କରେ ପଚରା ଯାଉଥିବା ପ୍ରତିଟି କଥା ସେ ଅତି ସ୍ପଷ୍ଟ ଓ ସଠିକ୍ ଭାବେ କହିପାରୁଛନ୍ତି ।
ଦୁର୍ଘଟଣାରେ ଗତ ୩୦ ତାରିଖରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା । ଦିଲ୍ଲୀପଙ୍କ ପରିବାର ଲୋକ ମୃତଦେହ ନେଇ ଅନ୍ତିମ ସଂସ୍କାର କରି ସାରିଛନ୍ତି । ଦିଲ୍ଲୀପଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିବା ତାଙ୍କ ପତ୍ନୀ ସୌମ୍ୟାଶ୍ରୀ ଆତ୍ମହତ୍ୟା ବି କରିଦେଇଛନ୍ତି । ଏପଟେ ବିସ୍ଫୋରଣରେ ଗୁରୁତର ହୋଇଥିବା ଦୁଇ ଜଣ ସୀମାଞ୍ଚଳ ବିଶ୍ୱାଳ ଓ ଜ୍ୟୋତିରଞ୍ଜନ ମଲ୍ଲିକଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ଗତକାଲି ସେମାନଙ୍କୁ ଭେଣ୍ଟିିଲେଟରରୁ ବାହାର କରାଯାଇଛି । ହେଲେ ଜ୍ୟୋତିରଞ୍ଜନ ନାଁରେ ଯିଏ ଚିକିତ୍ସିତ ହେଉଥିଲେ ସେ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହୁଛନ୍ତି । ସେ ମାନସିକ ଭାରସାମ୍ୟ ହରାଇ ନିଜକୁ ଦିଲ୍ଲୀପ କହୁଥିବା ଭାବି ମନସ୍ତତ୍ୱବିତ୍ଙ୍କୁ ଡକାଯାଇ ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା । ଏହା ପରେ ହସ୍ପିଟାଲ ପକ୍ଷରୁ ପରିବାର ସଦସ୍ୟଙ୍କୁ ଡକାଯାଇଥିଲା । ପରିବାର ସଦସ୍ୟଙ୍କ ଉପସ୍ଥିତିରେ ରୋଗୀ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି ପରିଚୟ ଦେବା ସହ ଦିଲ୍ଲୀପଙ୍କ ସମ୍ପର୍କରେ ପଚରା ଯାଇଥିବା ସବୁ ପ୍ରଶ୍ନର ଉତର ଦେଉଛନ୍ତି । ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବା ସହ ପରିବାର ଲୋକଙ୍କ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କାରଣ ହୋଇଛି । ଏପଟେ ନିଜକୁ ଦିଲ୍ଲୀପ ବୋଲି ଏବେ ପରିଚୟ ଦେଉଥିବା ବ୍ୟକ୍ତି ଜ୍ୟୋତିରଂଜନ ବୋଲି ତାଙ୍କ ପରିବାର ଲୋକ କହୁଛନ୍ତି । ଯାହା ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।