ହାଥରସ ଦଳାଚକଟା ଘଟଣା, ୩ ଶହ ପୃଷ୍ଠାର ରିପୋର୍ଟ ଦାଖଲ କଲା ଏସଆଇଟି
ଉତ୍ତରପ୍ରଦେଶର ହାଥରସ ଦଳାଚକଟା ଘଟଣା। ଏନେଇ ରିପୋର୍ଟ ଦାଖଲ କଲା ଏସଆଇଟି । ୩ ଶହ ପୃଷ୍ଠା ବିଶିଷ୍ଟ ଏକ ରିପୋର୍ଟ ଏସଆଇଟି ଦାଖଲ କରିଛି । ତେବେ ସତସଙ୍ଗ ଆୟୋଜନ କରିଥିବା କମିଟିକୁ ଏଥିରେ ଦାୟୀ କରାଯାଇଛି । ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ନ ହୋଇ ଏହାର ଆୟୋଜନ କେମିତି ହୋଇଥିଲା ତାହା ମଧ୍ୟ ରିପୋର୍ଟରେ ରହିଛି ।
ଅନୁମତିଠାରୁ ଅଧିକ ଲୋକେ ସେଠାରେ ଉପସ୍ଥିତ ଥିବା ଦର୍ଶାଇଛି ଏସଆଇଟି । ମାତ୍ର ଏହି ୩ଶହ ପୃଷ୍ଠାର ରିପୋର୍ଟରେ ଭୋଲେ ବାବାଙ୍କ ନାଁ ଥରେ ବି ଉଲ୍ଲେଖ ହୋଇନାହିଁ।
ଏସଆଇଟି ନିଜ ୩ ଶହ ପୃଷ୍ଠାର ରିପୋର୍ଟରେ ୧୧୯ ଜଣଙ୍କ ବୟାନ ରେକର୍ଡ କରିଛି। ଏଥିରେ ହାଥରସର ଡିଏମ୍, ଏସ୍ପି, ସତସଙ୍ଗ ଅନୁମତି ଦେଇଥିବା ଏସ୍ଡିଏମ୍, ସତସଙ୍ଗରେ ମୁତୟନ ପୁଲିସ୍ କର୍ମୀଙ୍କ ବୟାନ ରେକର୍ଡ କରାଯାଇଛି। ଏହାକୁ ବାଦ ଦେଲେ ମୃତକଙ୍କ ପରିବାରବର୍ଗ ଓ ଗୁରୁତର ହୋଇଥିବା ଶ୍ରଦ୍ଧାଳୁଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ଏହି ସତସଙ୍ଗ ନିମନ୍ତେ ୮୦ ହଜାର ଲୋକଙ୍କ ସମାଗମ ନିମନ୍ତେ ଆୟୋଜକଙ୍କୁ ଅନୁମତି ମିଳିଥିଲା। ମାତ୍ର ଏଥିରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ଆୟୋଜକ କମିଟି ଏଥି ନିମନ୍ତେ ପୂର୍ବ ପ୍ରସ୍ତୁତି କରି ନ ଥିବା ବେଳେ ଅତ୍ୟଧିକ ଭିଡ଼ ହେତୁ ପରିସ୍ଥିତି ଅସମ୍ଭାଳ ହୋଇଥିଲା । ଏହାସତ୍ତ୍ୱେ ଘଟଣାସ୍ଥଳରେ ଉପସ୍ଥିତ ଅଧିକାରୀ ଓ ପୁଲିସ୍ କର୍ମୀ ଏହାକୁ ଗୁରୁତର ସହ ନେଇ ନ ଥିଲେ କି ଭିଡ଼କୁ ନିୟନ୍ତ୍ରଣ ପାଇଁ କୌଣସି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ ବୋଲି ଏସଆଇଟି ନିଜ ରିପୋର୍ଟରେ ଉଲ୍ଲେଖ କରିଛି। ଏସଆଇଟି ନିଜ ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଛି।
ସେପଟେ ଏହି ଘଟଣାରେ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ଦେବ ପ୍ରକାଶ ମଧୁକରଙ୍କ ସମେତ ୭ ଜଣଙ୍କୁ ସମୁଦାୟ ଗିରଫ କରିଛି। ସମସ୍ତେ ସତସଙ୍ଗ ଆୟୋଜନ ସମିତିର ସଦସ୍ୟ ବୋଲି ଜଣାଯାଇଛି। ଏହି ଦଳଚକଟା ଘଟଣା ପରେ ଉତ୍ତରପ୍ରଦେଶର ଜୁଡିସିଆଲ କମିଶନ ଟିମ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବହୁ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିଥିଲେ। ଏହାପରେ ଗତ ୬ ତାରିଖରେ ଭୋଲେ ବାବାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସେ ଏକ ଭିଡିଓ ମେସେଜ ଛାଡ଼ିଥିଲେ। ଏହି ଅପ୍ରତ୍ୟାଶିତ ଘଟଣା ତାଙ୍କୁ ଶକ୍ତ ଧକ୍କା ଦେଇଥିବା ବେଳେ ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ରଖିବାକୁ ସେ ପୀଡ଼ିତଙ୍କ ପରିବାରବର୍ଗଙ୍କୁ ଆଶ୍ୱାସନା ଦେଇଥିଲେ।