ନିର୍ବାଚନରେ ହେବ ଟଙ୍କା ବର୍ଷା:ରେକର୍ଡ କରିବ ଭାରତ

ନିର୍ବାଚନରେ ହେବ ଟଙ୍କା ବର୍ଷା:ରେକର୍ଡ କରିବ ଭାରତ

ନିର୍ବାଚନରେ ହେବ ଟଙ୍କା ବର୍ଷା:ରେକର୍ଡ କରିବ ଭାରତ
ନୂଆଦିଲ୍ଳୀ:ଚଳିତ ସାଧାରଣ ନିର୍ବାଚନ ଭାରତୀୟ ଇତିହାସରେ ସବୁଠାରୁ ଖର୍ଚ ବହୁଳ ନିର୍ବାଚନ ହେବାକୁ ଯାଉଛି । ବିଶ୍ୱର କୌଣସି ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ଖର୍ଚରେ ଏଥର ରେକର୍ଡ ଭାଙ୍ଗିବ ଭାରତ । ଏପରିକି ଆମେରିକାରେ ଅନୁଷ୍ଟିତ ରାଷ୍ଟ୍ରପତି ଓ ସଂସଦ ନିର୍ବାଚନରେ ମଧ୍ୟ ଏତେ ଖର୍ଚ ହେଉ ନଥିବ । ଗତ ୨୦୧୪ ନିର୍ବାଚନ ଖର୍ଚକୁ ଦୃଷ୍ଟିରେ ରଖି ଅନେକ ବିଶେଷଜ୍ଞମାନେ ଏଭଳି ପୂର୍ବାନୁମାନ କରିଛନ୍ତି । କାରଣ ୨୦୧୪ ନିର୍ବାଚନରେ ଯେତେ ଖର୍ଚ ହୋଇଥିଲା ତାହା ପୂର୍ବରୁ ହୋଇଥିବା ସମସ୍ତ ନିର୍ବାଚନ ଖର୍ଚର ୪ ଭାଗର ନିତି ଭାଗ ଥିଲା । ଏଥର ଭୋଟରଙ୍କ ସଂଖ୍ୟା ବଢି ଥିବାରୁ ଏଭଳି ଖର୍ଚ ବୃଦ୍ଧି ପାଇବା ସ୍ୱାଭାବିକ । ୧୯୫୧-୫୨ରେ ପ୍ରଥମ ଥର ଲାଗି ସାଧାରଣ ନିର୍ବାଚନ ହୋଇଥିଲା । ଏଥିରେ ଖର୍ଚ ହୋଇଥିଲା ୧୦ କୋଟି ଟଙ୍କା । ତେବେ ସବୁଠାରୁ କମ୍ ଖର୍ଚ ହୋଇଥିଲା ୧୯୫୭ ନିର୍ବାଚନରେ । ଖର୍ଚ ପରିମାଣ ଥିଲା ୫ କୋଟି ୯୦ ଲକ୍ଷ ଟଙ୍କା । ଏହା ପରଠାରୁ ଖର୍ଚର ପରିମାଣ ବଢି ବଢି ଚାଲିଥଲା । ୧୯୮୦ରେ ୫୪ କୋଟି ୭୭ ଲକ୍ଷ ଟଙ୍କା ଖର୍ଚ ହୋଇଥିବା ବେଳେ ୧୯୮୯ରେ ୧୫୪ କୋଟି, ୧୯୯୧ରେ ୩୫୯ କୋଟି, ୧୯୯୬ରେ ୫୯୭ କୋଟି, ୨୦୦୪ରେ ଏହି ପରିମାଣ ୧ ହଜାର କୋଟିରେ ଯାଇ ପହଂଚଥିଲା । ୨୦୦୯ରେ ୧୧୧୪ କୋଟି ଟଙ୍କା ଖର୍ଚ ହୋଇଥିବା ବେଳେ ୨୦୧୪ ସବୁ ରେକର୍ଡ ଭାଙ୍ଗି ଦେଇଥିଲା । ଖର୍ଚ ହୋଇଥିଲା ୩୮୭୦ କୋଟି ୩୫ ଲକ୍ଷ ଟଙ୍କା । ପୂର୍ବ ନିର୍ବାଚନ ତୁଳନାରେ ଏହା ଥିଲା ସାଢେ ତିନି ଗୁଣ ଅଧିକ । ଭୋଟ ଗ୍ରହଣ କେନ୍ଦ୍ର, ଭୋଟିଂ ମେସିନ୍, ଅନ୍ୟାନ୍ୟ ଭୋଟିଂ ସାମଗ୍ରୀ, ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଫୋନ୍ ବ୍ୟବସ୍ଥା ଏବଂ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପିଛା ହେଉଥିବା ଖର୍ଚକୁ ନେଇ ଏହି ହିସାବ କରାଯାଇଥାଏ । ସେହିଭଳି ଭୋଟର ପିଛା ୧୯୫୭ରେ ସର୍ବନିମ୍ନ ୩୦ ପଇସା ଖର୍ଚ ହୋଇଥିବା ବେଳେ ୧୯୮୦ରେ ୧ ଟଙ୍କା ୫୪ ପଇସା, ୧୯୯୬ରେ ୧୦ ଟଙ୍କା ୮ ପଇସା, ୨୦୦୯ରେ ୧୫ ଟଙ୍କା ୫୪ ପଇସା ଏବଂ ୨୦୧୪ରେ ଏହି ଖର୍ଚ ୪୬ ଟଙ୍କା ୪୦ ପଇସାରେ ଯାଇ ପହଂଚିଥିଲା । ଭୋଟର ସଂଖ୍ୟା ବଢୁଥିବାରୁ ଖର୍ଚ ମଧ୍ୟ ବଢୁଛି । ୧୯୫୧-୪୨ ନିର୍ବାଚନରେ ୧୭ କୋଟି ୩୨ ଲକ୍ଷ ଭୋଟର ଥିବା ବେଳେ ୧୯୬୭ରେ ୨୫ କୋଟି, ୧୯୯୧ରେ ୫୧ କୋଟି ୧୫ ଲକ୍ଷ, ୨୦୦୯ରେ ୭୧ କୋଟି ୭୦ ଲକ୍ଷ ଏବଂ ୨୦୧୪ରେ ଭୋଟର ସଂଖ୍ୟା ଥିଲା ୮୩ କୋଟି ୧୪ ଲକ୍ଷ । ଚଳିତ ନିର୍ବାଚନରେ ଏହି ସଂଖ୍ୟା ୯୦ କୋଟି ହେବ ବୋଲି ଜଣାପଡିଛି ।